ଟ୍ରମ୍ପଙ୍କ ସୁରକ୍ଷାରେ ପୁଣି ତ୍ରୁଟି? ଧସେଇ ପଶିବାକୁ ଚାହୁଁଥିଲେ ବ୍ୟକ୍ତି, ଅଟକାଇଲା ପୋଲିସ

ଓ୍ବାଶିଂଟନ,୩୧।୮: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମାହୋଲ ରହିଛି ବେଶ ସରଗରମ। ରାଷ୍ଟ୍ରପତି ପଦ ପାଇଁ ଉଭୟ ପ୍ରାର୍ଥୀ – ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସ ରାଲିରେ ପରସ୍ପରକୁ ଟାର୍ଗେଟ କରୁଛନ୍ତି। ଏହି ସମୟରେ, ରିପବ୍ଲିକାନ ପ୍ରାର୍ଥୀ ଟ୍ରମ୍ପ ଶୁକ୍ରବାର ପେନସିଲଭାନିଆରେ ଏକ ରାଲି କରିଥିଲେ, ଯେଉଁଠାରେ ଜଣେ ବ୍ୟକ୍ତିଙ୍କ ହଙ୍ଗାମା ପରେ ପୁଣି ଥରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା। ସୂଚନାଯୋଗ୍ୟ, ଗତ ମାସରେ ପେନସିଲଭାନିଆରେ ଏକ ରାଲିରେ ଟ୍ରମ୍ପଙ୍କୁ ଲକ୍ଷ୍ୟ କରି ଗୁଳି କରାଯାଇଥିଲା। ଏହି ଆକ୍ରମଣରେ ବୁଲେଟ ତାଙ୍କ କାନକୁ ଛୁର୍ଇ ବାହାରି ଯାଇଥିଲା ଓ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହି ଘଟଣା ପରେ ଟ୍ରମ୍ପଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା।

ପ୍ରକାଶ ଯେ, ପେନସିଲଭାନିଆର ଜନଟାଉନରେ ଟ୍ରମ୍ପଙ୍କ ରାଲିରେ ଜଣେ ବ୍ୟକ୍ତି ପ୍ରେସ ଏରିଆରେ ପ୍ରବେଶ କରିଥିଲେ। ଏହି ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ତାଙ୍କ ବିରୋଧରେ ପକ୍ଷପାତିତା ପାଇଁ କିଛି ଗଣମାଧ୍ୟମ ଗୋଷ୍ଠୀକୁ ଗାଳି ଦେଉଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ସାଇକେଲ ର଼୍ୟାକ ଚଲାଇ ଗଣମାଧ୍ୟମ ଥିବା ସ୍ଥାନରେ ପହଞ୍ଚି ଷ୍ଟେଜ ସାମ୍ନାରେ ସେହି ସ୍ଥାନକୁ ଚଢିବାକୁ ଚେଷ୍ଟା କରିବା ଆରମ୍ଭ କରିଥିଲେ ଯେଉଁଠାରେ ଚ୍ୟାନେଲଗୁଡିକର କ୍ୟାମେରା ଏବଂ ଟିଭି ସାମ୍ବାଦିକମାନେ ନିୟୋଜିତ ହୋଇଥିଲେ।
ସେହି ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଟାଣି ନେଇଥିଲେ। ଏହି ସମୟରେ ପୋଲିସ କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜଣେ ପୋଲିସ ତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ଟାସର (ଶକ ବନ୍ଧୁକ) ସାହାଯ୍ୟରେ ଉକ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା। ପରେ ପୋଲିସ କର୍ମଚାରୀମାନେ ଏହି ବ୍ୟକ୍ତିଙ୍କୁ ବାହାରକୁ ନେଇଥିଲେ। କୌତୁହଳର ବିଷୟ ହେଉଛି ଟ୍ରମ୍ପ ନିଜେ ଏହି ଘଟଣା ଦେଖି କହିଛନ୍ତି, ମୋର ରାଲି ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଅଧିକ ମଜା ହୋଇପାରିବ କି।

Share