
ଜାତିସଂଘ,୧୩।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅନେକ ଦେଶ ଉପରେ ପାରସ୍ପରିକ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଥିବାରୁ ଏହା ବିଶ୍ୱ ବାଣିଜ୍ୟକୁ ୩ ପ୍ରତିଶତ ସଂକୁଚିତ କରିପାରେ। ଏଥିସହିତ ଆମେରିକା ଏବଂ ଚାଇନା ଭଳି ବଜାରଗୁଡ଼ିକ ଆମେରିକା, କାନାଡ଼ା ଓ ବ୍ରାଜିଲକୁ ଖସିଯାଇପାରେ ବୋଲି ଜାତିସଂଘର ଶୀର୍ଷ ଅର୍ଥନୀତିଜ୍ଞ ଆକଳନ କରିଛନ୍ତି। ଟ୍ରମ୍ପ୍ ଗତ ସପ୍ତାହରେ ବ୍ୟାପକ ଟାରିଫ ଯୋଜନା କରିଥିବାବେଳେ ଚାଇନା ବ୍ୟତୀତ ଅନ୍ୟ ଦେଶଗୁଡ଼ିକ ପାଇଁ ଏହାକୁ ୯୦ ଦିନ ସ୍ଥଗିତ ରଖିଛନ୍ତି। ଚାଇନା ଉପରେ ଆମେରିକା ୧୪୫ ପ୍ରତିଶତ ଶୁଳ୍କ ଲଗାଇଥିବାବେଳେ ବେଜିଂ ମଧ୍ୟ ଆମେରିକାରୁ ଆମଦାନୀ ସାମଗ୍ରୀ ଉପରେ ୧୨୫ ପ୍ରତିଶତ ଜବାବୀ ଶୁଳ୍କ ଲଗାଇଛି। ଏହାର ପ୍ରଭାବରେ ବିଶ୍ୱ ବାଣିଜ୍ୟ ୩ ପ୍ରତିଶତ ହ୍ରାସ ପାଇବା ସହ ବାଣିଜ୍ୟ ଢାଞ୍ଚା ଏବଂ ଅର୍ଥନୈତିକ ଏକୀକରଣରେ ଉଲ୍ଲେଖନୀୟ ଦୀର୍ଘମିଆଦୀ ପରିବର୍ତ୍ତନ ହୋଇପାରେ ବୋଲି ଅନ୍ତର୍ଜାତୀୟ ବାଣିଜ୍ୟ କେନ୍ଦ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପାମେଲା କୋକ୍-ହାମିଲଟନ୍ ଜେନେଭାରେ କହିଛନ୍ତି।
ଉଦାହରଣ ସ୍ବରୂପ, ଅତ୍ୟଧିକ ପ୍ରଭାବିତ ହୋଇଥିବା ମେକ୍ସିକୋ ରପ୍ତାନି ଆମେରିକା, ଚାଇନା ଏବଂ ୟୁରୋପୀୟ ବଜାରରୁ ଦକ୍ଷିଣ ଆମେରିକୀୟ ଦେଶଗୁଡ଼ିକୁ ଶିଫ୍ଟ ହେଉଛି। କିଛି ପରିମାଣରେ ମେକ୍ସିକୋ ରପ୍ତାନି ଭାରତକୁ ମଧ୍ୟ ଆସୁଛି। ସେହିପରି ଭିଏଟ୍ନାମ୍ ରପ୍ତାନି ଆମେରିକା, ମେକ୍ସିକୋ, ଚାଇନା ବଜାର ପରିବର୍ତ୍ତେ ମଧ୍ୟପ୍ରାଚ୍ୟ, ଉତ୍ତର ଆଫ୍ରିକା ବଜାର, ୟୁରୋପୀୟ ୟୁନିୟନ ଏବଂ କୋରିଆ ଚାଲିଯାଉଛି। ବିକଶିତ ରାଷ୍ଟ୍ରଗୁଡ଼ିକ ପାଇଁ ଆର୍ଥତ୍କ
କାର୍ଯ୍ୟକଳାପ ଏବଂ ନିଯୁକ୍ତି ସୃଷ୍ଟିରେ ପୋଷାକ ଶିଳ୍ପର ବଡ଼ ଭୂମିକା ରହିଥିବାବେଳେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ପୋଷାକ ରପ୍ତାନିକାରୀ ବାଂଲାଦେଶ ଉପରେ ଆମେରିକା ୩୭ ପ୍ରତିଶତ ରେସିପ୍ରୋକାଲ ଟାରିଫ୍ ଲଗାଇଛି। ଏହା କାର୍ଯ୍ୟକାରୀ ହେଲେ ୨୦୨୯ ସୁଦ୍ଧା ଆମେରିକାକୁ ବାଂଲାଦେଶର ବାର୍ଷିକ ରପ୍ତାନି ୩.୩ ବିଲିୟନ ଡଲାର କ୍ଷତି ସହିପାରେ। ମହାମାରୀ, ଜଳବାୟୁ ବିପର୍ଯ୍ୟୟ ଏବଂ ହଠାତ୍ ନୀତିରେ ପରିବର୍ତ୍ତନ ଜନିତ ବୈଶ୍ୱିକ ଝଟ୍କା ଅତିକ୍ରମ କରିବାକୁ ହେଲେ ବିକାଶଶୀଳ ଦେଶଗୁଡ଼ିକୁ ବିବିଧୀକରଣ, ମୂଲ୍ୟ ବୃଦ୍ଧି ଏବଂ ଆଞ୍ଚଳିକ ଏକୀକରଣ ଉପରେ ପ୍ରାଥମିକତା ଦେବାକୁ ହେବ ବୋଲି ପାମେଲା କହିଛନ୍ତି।