ରାଜନୀତିରୁ ଦୂରେଇ ରହିବେ ଟ୍ରମ୍ଫଙ୍କ ସାନ ପୁଅ

ଓ୍ବାଶିଂଟନ,୧୧।୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନପୁଅ ବାରୁନ ବର୍ତ୍ତମାନ ରାଜନୀତିରୁ ଦୂରେଇ ରହିବେ। ନିକଟରେ ଖବର ଆସିଥିଲା ଯେ ସେ ଟ୍ରମ୍ପ ପରିବାରର ନୂତନ ସଦସ୍ୟ ହୋଇପାରନ୍ତି, ଯିଏ ରାଜନୀତିରେ ପ୍ରବେଶ କରିବେ। ଜୁଲାଇରେ ଅନୁଷ୍ଠିତ ହେବାକୁ ଥିବା ରିପବ୍ଲିକାନ ପାର୍ଟି ସମ୍ମିଳନୀରେ ତାଙ୍କ ବିଷୟରେ ଆଲୋଚନା ହୋଇଥିଲା, କିନ୍ତୁ ବର୍ତ୍ତମାନ ବାରୁନଙ୍କ ମାତା ମେଲାନିଆ ଏହାକୁ ଅସ୍ବୀକାର କରିଛନ୍ତି।
ତାଙ୍କ ମାତା ମେଲାନିଆ ଟ୍ରମ୍ପ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଫ୍ଲୋରିଡାଠାରେ ରିପବ୍ଲିକାନ ପାର୍ଟି ସମ୍ମିଳନୀରେ ପ୍ରତିନିଧୀ ଭାବରେ ମନୋନୀତ ହୋଇ ବାରୁନ ଗୌରବାନ୍ବିତ, କିନ୍ତୁ ସେ ଦୁଃଖିତ ଯେ କିଛି କାରଣରୁ ସେ ଏହି ସମ୍ମିଳନୀରେ ଯୋଗ ଦେଇ ପାରିବେ ନାହିଁ। ଜୁଲାଇରେ ଅନୁଷ୍ଠିତ ହେବାକୁ ଥିବା ରିପବ୍ଲିକାନ ପାର୍ଟି ସମ୍ମିଳନୀରେ ଡୋନାଲ୍ଡ ଟ୍ରମ୍ପଙ୍କୁ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ମନୋନୀତ କରାଯିବ। ଏହି ସମ୍ମିଳନୀରେ ପ୍ରତ୍ୟେକ ରାଜ୍ୟରୁ ରିପବ୍ଲିକାନ ପାର୍ଟିର ପ୍ରତିନିଧୀମାନେ ଯୋଗଦେବେ ଏବଂ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଟ୍ରମ୍ପଙ୍କ ନାମକୁ ଆନୁଷ୍ଠାନିକ ଭାବେ ଅନୁମୋଦନ କରିବେ। ରାଷ୍ଟ୍ରପତି ନିର୍ବାଚନ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଝିଅ ଇଭାଙ୍କା ତାଙ୍କ ସ୍ବାମୀ ଜେରେଡ କୁଶନର୍‌, ଭଉଣୀ ଟିଫିନି, ଭାଇ ଡନ ଜୁନିଅର ଏବଂ ଏରିକଙ୍କ ସହ ତାଙ୍କ ପିତାଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ମାର୍ଚ୍ଚରେ ଏରିକଙ୍କ ସ୍ତ୍ରୀ ଲାରା ମଧ୍ୟ ଆନୁଷ୍ଠାନିକ ଭାବେ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ତାଙ୍କ ଶ୍ୱଶୁର ଟ୍ରମ୍ପଙ୍କ ସପକ୍ଷରେ ପ୍ରଚାର ଆରମ୍ଭ କରିଥିଲେ।
ଟ୍ରମ୍ପ ପରିବାର ବରୁନଙ୍କୁ ଏପର୍ଯ୍ୟନ୍ତ ଲାଇମଲାଇଟ ଠାରୁ ଦୂରରେ ରଖିଛନ୍ତି। ବରୁନ ମାର୍ଚ୍ଚ ୨୦୦୬ ରେ ଜନ୍ମଗ୍ରହଣ କରିଥିଲେ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ପଞ୍ଚମ ସନ୍ତାନ ଏବଂ ମେଲାନିଆ ଟ୍ରମ୍ପଙ୍କ ପ୍ରଥମ ସନ୍ତାନ। ତାଙ୍କ ପିଲାଦିନ ନ୍ୟୁୟର୍କରେ ଅତିବାହିତ ହୋଇଥିଲା ଏବଂ ତାଙ୍କର ପ୍ରାଥମିକ ଶିକ୍ଷା ମଧ୍ୟ ସେଠାରୁ ହୋଇଥିଲା । ଯେତେବେଳେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ, ସେତେବେଳେ ସେ କହିଥିଲେ ଯେ ବରୁନ ନ୍ୟୁୟର୍କ ଛାଡି ହ୍ବାଇଟ ହାଉସକୁ ଯିବାକୁ ଦ୍ୱିଧା କରୁଛନ୍ତି। ତାଙ୍କୁ ବର୍ତ୍ତମାନ ୧୮ବର୍ଷ ବୟସ ହୋଇଛି ଏବଂ ଟ୍ରମ୍ପଙ୍କ ପୁଅ ହୋଇଥିବାରୁ ତାଙ୍କୁ ସୋସିଆଲ ମିଡିଆରେ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିବ।

Share