Categories: ଜାତୀୟ

ରାଲି ପାଇଁ ତୃଣମୂଳକୁ ଅନୁମତି ଭାଜପାକୁ ମନା

କୋଲକାତା, ୬।୨: ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ। ରାଜ୍ୟରେ କ୍ଷମତା ଦଖଲ ପାଇଁ ଶାସକ ତୃଣମୂଳ ମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ଭାଜପା ପକ୍ଷରୁ ଶନିବାରଠାରୁ ପରିବର୍ତ୍ତନ ରଥଯାତ୍ରା ଆରମ୍ଭ ହେବାର ଥିଲା। ଏହି ସହିତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଭାଷଣ କାର୍ଯ୍ୟକ୍ରମ ପାଇଁ ପୋଲିସ ବିଭାଗଠାରୁ ଅନୁମତି ଲୋଡ଼ାଯାଇଥିଲା। ମାତ୍ର ରଥଯାତ୍ରାକୁ ଅନୁମତି ଶନିବାର ପୂର୍ବାହ୍ନ ୧୧ଟା ସୁଦ୍ଧା ମିଳି ନାହିଁ। କିନ୍ତୁ ନଡ୍ଡାଙ୍କ ଭାଷଣ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି। ରଥାଯାତ୍ରାକୁ ଅନୁମତି ନ ମିଳିବା ନେଇ ଭାଜପା ନେତାଙ୍କ ସ୍ବର କଡ଼ା ହେବାରେ ଲାଗିଛି। ଅପରପକ୍ଷରେ ତୃଣମୂଳ ପକ୍ଷରୁ ଶନିବାରଠାରୁ ଆରମ୍ଭ ହେଉଥିବା ବାଇକ୍‌ ରାଲିକୁ ପୋଲିସ ବିଭାଗ ପକ୍ଷରୁ ଅନୁମତି ମିଳିଛି। ନଦିଆ ଜିଲାର ନବଦ୍ୱୀପରେ ଜନସମର୍ଥନ ଯାତ୍ରା ଭାବେ ଏହି ଦୁଇ ଦିନିଆ ରାଲି କରାଯାଉଛି। ରାଲି ଛପରାରୁ ଆରମ୍ଭ ହୋଇ ତ୍ରିବେଣୀ, କୃଷ୍ଣାନଗର ଦେଇ ପଲାସୀରେ ପହଞ୍ଚିବ। ଏନେଇ କୃଷ୍ଣାନଗର ପୋଲିସ ଅଧିକ୍ଷକ ବିଶ୍ୱଜିତ୍‌ ଘୋଷ କହିଛନ୍ତି ଯେ, ନବଦ୍ୱୀପ ରାଲିକୁ ଅନୁମତି ପ୍ରଦାନ କରାଯାଇଛି। କିନ୍ତୁ ରଥ ଯାତ୍ରା ଲାଗି କୌଣସି ଅନୁମତି ଦିଆ ଯାଇ ନାହିଁ।

Share