Categories: ଫୁରସତ

ଈଶ୍ୱରଙ୍କ ଉପରେ ଆସ୍ଥା ରଖ

ସର୍ବବ୍ୟାପୀ ପରମାତ୍ମା ସବୁଆଡ଼େ ଅଛନ୍ତି ସତ୍ୟ କିନ୍ତୁ ସେ ମଧ୍ୟ ଆମ ଭିତରେ, ଆମ ହୃଦୟରେ ଅଛନ୍ତି l ସେଥିପାଇଁ ପଞ୍ଚସଖା ସନ୍ଥ ଅଚ୍ୟୁତାନନ୍ଦ କହିଲେ, ଆତ୍ମାରେ ଆତ୍ମାକୁ ଦେଖ, ଦେଖିଲେ ପାଇବୁ ସୁଖ, ତୋର ଦେହେ ତୁହି ଦେଖ ଦିଶୁଅଛି ଜକ ଜକ l ପ୍ରଭୁ, ତାଙ୍କୁ ଆପଣ ରାମ କୁହନ୍ତୁ, ହରି, ଗୋବିନ୍ଦ ଗୋପାଳ କୃଷ୍ଣ ବା ଜଗନ୍ନାଥ କୁହନ୍ତୁ, ସେ ବାହାରେ ଅଛନ୍ତି l ଭିତରେ ବି ଅଛନ୍ତି l ଭିତରେ ଯେ ଲୁଚିକି ଅଛନ୍ତି ତା’ ନୁହେଁ, ଅଚ୍ୟୁତାନନ୍ଦ ପରା କହିଲେ, ସେ ଜକ ଜକ ହୋଇ ଦେଖା ଯାଉଛନ୍ତି l ତାଙ୍କୁ ଦୃଷ୍ଟି ନେଇ କେବଳ ଦେଖିବାର ଅଭିପ୍ସା ରହିବା ଦରକାର l ଆକୁଳତା ବା ବ୍ୟାକୁଳତା ରହିବା ଦରକାର l ଦୃଢ଼ ବିଶ୍ୱାସ ଟିକକ ରହିବା ଦରକାର l ଈଶ୍ୱରଙ୍କ ଉପରେ ବିଶ୍ୱାସ ବା ଭରସା ଟିକକ ହରାଇ ବସିଲେ ତାଙ୍କୁ ପାଇବା ମୁସ୍କିଲ l ସେ ଭରସା, ସେ ବିଶ୍ୱାସର ସ୍ବରୂପ କ’ଣ? – ସେ ବାବଦରେ ଛୋଟିଆ ଏକ କାହାଣୀ l

ଗ୍ରୀକ ଦେଶର କଥା l ସ୍ବାମୀ -ସ୍ତ୍ରୀ ଦୁହେଁ ଖୁବ୍‌ ଆଧ୍ୟାତ୍ମିକ ପରାୟଣ ଥିଲେ l ସ୍ବାମୀଙ୍କର ବୃତ୍ତି ହେଲା ବ୍ୟବସାୟ l ନୂଆ ନୂଆ ବିବାହ କରିବା ସମୟର ଘଟଣା l ବିବାହର କିଛିଦିନ ପରେ ବ୍ୟବସାୟ କରିବା ପାଇଁ ଦୂର ବିଦେଶକୁ ଯାତ୍ରା ନିମନ୍ତେ ସେ ପ୍ରସ୍ତୁତ ହେଲେ l କିନ୍ତୁ ଏତିକି ବେଳେ ତାଙ୍କୁ ତାଙ୍କ ସ୍ତ୍ରୀଙ୍କ କଥା ଘାରିଲା – ସେ ଏକୁଟିଆ ରହିବେ କେମିତି? ସେ ଖାଇବେ କ’ଣ? ତାଙ୍କ ଭୋଜନ ନିମନ୍ତେ କେତେଦିନ ପାଇଁ ଖାଦ୍ୟସାମଗ୍ରୀ ବନ୍ଦୋବସ୍ତ କରି ମୋତେ ରଖିବାକୁ ପଡ଼ିବ ଯେମିତି ସେ ମୋର ଅନୁପସ୍ଥିତିକୁ ଆଦୌ ଅନୁଭବ କରି ନ ପାରିବେ? ଇତ୍ୟାଦି ଇତ୍ୟାଦି l

ଯାତ୍ରା ଆରମ୍ଭ କରିବାର କିଛିଘଣ୍ଟା ପୂର୍ବରୁ ସେ ସ୍ତ୍ରୀଙ୍କ ପାଖକୁ ଯାଇ ପଚାରିଲେ – କୁହ, ତୁମ ପାଇଁ କେତେ ଦିନର ସଉଦାପତ୍ର ତଥା ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ରଖିଦେଇ ଯିବି? ପ୍ରବଳ ଈଶ୍ୱର ବିଶ୍ୱାସୀ ସ୍ତ୍ରୀ ତତ୍‌କ୍ଷଣାତ ଉତ୍ତର ଦେଲେ – ଆଚ୍ଛା କହିଲ, ମୋର ଆୟୁ କେତେ? ମୁଁ ଆଉ କେତେ ବର୍ଷ ବଞ୍ଚିବି?

ତୁମର କେତେ ଆୟୁ ଅଛି ସେ କଥା ମୁଁ କେମିତି କହିବି? ମୁଁ କ’ଣ ତ୍ରିକାଳଦର୍ଶୀ ନା କ’ଣ? -ସ୍ବାମୀଙ୍କର ଏପରି ଉତ୍ତର ଶୁଣି ସ୍ତ୍ରୀ କହିଲେ, ଯାହାଙ୍କୁ ମୋ ଆୟୁ ବିଷୟରେ ଜଣା ନାହିଁ ସେ ମୋ ପାଇଁ ଖାଦ୍ୟଦ୍ରବ୍ୟ ବାବଦରେ ଚିନ୍ତା କରିବା ବୃଥା। ଆପଣଙ୍କର ବା ବିଶ୍ୱର ପ୍ରତିଟି ପ୍ରାଣୀଙ୍କର ରହିବା ଓ ଖାଇବା ବିଷୟରେ ଯେ ଅତି ନିର୍ଭୁଲ ଭାବରେ ଗଣନା କରି ଭରଣ ପୋଷଣ କରୁଛନ୍ତି, ସେ ମୋ ବିଷୟରେ ନିଶ୍ଚୟ ଚିନ୍ତା କରିବେ l ଆପଣ ସେ ବାବଦରେ କିଛି ଚିନ୍ତା ନ କରି ଭଲରେ ଯାଇ ଭଲରେ ଫେରି ଆସନ୍ତୁ – ଏତିକି ମୋର ଶୁଭେଚ୍ଛା l

ପତ୍ନୀଙ୍କ କଥାର ମର୍ମକୁ ସ୍ବାମୀ ଭଲ ଭାବରେ ବୁଝି ଦୂର ରାଇଜକୁ ଯାତ୍ରା କଲେ l ପରଦିନ ଜଣେ ପଡ଼ୋଶୀ ବୃଦ୍ଧା ମାଉସୀ ବ୍ୟବସାୟୀଙ୍କ ପତ୍ନୀକୁ ପଚାରିଲେ – ଝିଅ, ସ୍ବାମୀ ତୁମ ପାଇଁ କ’ଣ ସବୁ ବ୍ୟବସ୍ଥା କରି ଯାଇଛନ୍ତି? ହସି ହସି ପତ୍ନୀ ଉତ୍ତର ଦେଲେ – ମା’, ସ୍ବାମୀ କ’ଣ ବ୍ୟବସ୍ଥା କରିବେ l ମୋ ପାଇଁ ଜନ୍ମରୁ ଆଜି ପର୍ଯ୍ୟନ୍ତ ବ୍ୟବସ୍ଥା କରି ଆସୁଥିବା ଲୋକ ଜଣକ ଆଜି ବି ମୋ ପାଖରେ ଅଛନ୍ତି l ମରିବା ପର୍ଯ୍ୟନ୍ତ ବି ପାଖେ ପାଖେ ରହି ସବୁକଥା ବୁଝୁଥିବେ l

ପାକୁଆ ପାଟି ମେଲାଇ ମାଉସୀ କହିଲେ – ସେ ଲୋକଟା କିଏ ବା?

ସେ ମୋ ଇଷ୍ଟ l ଏକ ଅଦୃଶ୍ୟ ସତ୍ତା l

ସୁଖରେ ହେଉ ବା ଦୁଃଖରେ, ମଣିଷ ସବୁବେଳେ ଈଶ୍ୱରଙ୍କ ଉପରେ ଏମିତି ଆସ୍ଥା ରଖି ବାଟ ଚାଲିବା ଉଚିତ l ସୁଖ ବେଳେ ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖିଲେ ତାଙ୍କ ପ୍ରତି ଥିବା ପ୍ରେମର ଧାରାଟି ବୃଦ୍ଧିପ୍ରାପ୍ତ ହୁଏ l ଦୁଃଖ ବେଳେ ଈଶ୍ୱରଙ୍କ କଥା ଚିନ୍ତା କଲେ ତାଙ୍କ ପ୍ରତି ଥିବା ପ୍ରେମର ଧାରାଟି ପ୍ରଗାଢ଼ ହୁଏ l ଅନେକ ଲୋକ ସୁଖ ବେଳେ ଈଶ୍ୱରଙ୍କୁ ପୂରା ଭୁଲିଯାଆନ୍ତି କିନ୍ତୁ ଦୁଃଖ ପଡିଲେ ହେ ଠାକୁର ! ହେ ପ୍ରଭୁ ହୋଇ ମୁଣ୍ଡ ପିଟନ୍ତି l ହେଲେ ଈଶ୍ୱର ସେ ସବୁର ଊର୍ଦ୍ଧ୍ୱରେ ଥା’ନ୍ତି l ସୁଖ ବା ଦୁଃଖ ବେଳେ ଆପଣ ତାଙ୍କୁ ଡାକନ୍ତୁ ବା ନ ଡାକନ୍ତୁ, ସେଥିରେ ତାଙ୍କର କିଛି ଯା’ ଆସ ନ ଥାଏ l କାରଣ ଈଶ୍ୱରଙ୍କୁ ସ୍ମରଣ କଲେ ଈଶ୍ୱରଙ୍କ ଅପେକ୍ଷା ବେଶି ଲାଭ ହୁଏ ମଣିଷର l ସୁଖ ବେଳେ ଈଶ୍ୱରଙ୍କୁ ସ୍ମରଣ କଲେ ମଣିଷ ସଂଯମୀ ହୁଏ l ଧନ ସମ୍ପତ୍ତି ବା କ୍ଷମତା ପାଇ ସେ ଅହଂକାରୀ ହୁଏନା l ଉଦ୍ଧତ ହୁଏନା l କାରଣ ଈଶ୍ୱର ସ୍ମରଣ ତାକୁ ସବୁବେଳେ କାନେ କାନେ ଚେତାଇ ଦେଇ କହି ଦେଉଥାଏ – ବାବୁରେ! ତୋର ଏ ଧନ ସମ୍ପତ୍ତିକୁ ଈଶ୍ୱର ନିମିଷକରେ ହରଣ କରିନେଇ ପାରନ୍ତି l ତେଣୁ ଅହଂକାରୀ ହୁଅନା l ଉଦ୍ଧତ ହୁଅନା l ଲୋକଙ୍କୁ ପୋକ ମାଛି ପରି ମଣନା l ଯଦି ଅହଂକାରୀ ହେଲ, ତେବେ ଲୋକେ ଛିଃ ଛାକର କରିବେ l ତେଣୁ ସୁଖବେଳେ ଈଶ୍ୱର ସ୍ମରଣ କଲେ ଏତିକି ଲାଭ ମିଳେ l

ଦୁଃଖରେ ଈଶ୍ୱର ସ୍ମରଣ କଲେ ଆହୁରି ଲାଭ l ଦୁଃଖ କ’ଣ ଈଶ୍ୱର ଦିଅନ୍ତି? ଶହେରୁ ଅନେଶତ ଲୋକଙ୍କ ଧାରଣା ଯେ ଦୁଃଖକୁ କୁଆଡ଼େ ଈଶ୍ୱର ହିଁ ଦିଅନ୍ତି l ତେଣୁ କିଛି ମଣିଷ ବାହୁନା ପକାଇ କାନ୍ଦି କୁହନ୍ତି – ହେ ପ୍ରଭୁ ! ତୁମେ ଏତେ ନିଷ୍ଠୁର କାହିଁକି ହେଲ l ଏଡ଼େ ବଡ଼ ଦଣ୍ଡ ତାକୁ କାହିଁକି ଦେଲ ଇତ୍ୟାଦି ଇତ୍ୟାଦି l

ମଣିଷ ନିଜ କର୍ମର ଫଳକୁ ହିଁ ଭୋଗେ l ଈଶ୍ୱର କର୍ମଫଳକୁ ଭୋଗାଇବାର ଏକ ମାଧ୍ୟମ ମାତ୍ର l ଆପଣ ଆଜି ଯେଉଁ ଦୁଃଖ ଭୋଗୁଛନ୍ତି ସେଥିପାଇଁ ଈଶ୍ୱର ନୁହେଁ, ଆପଣ ନିଜେ ହିଁ ଦାୟୀ l ଦୁଃଖରେ ଈଶ୍ୱରଙ୍କୁ ଡାକିଲେ ସେ ଦୁଃଖ ହରଣ କରନ୍ତି ନାହିଁ ବରଂ ଦୁଃଖକୁ ସହିବାର ସାମର୍ଥ୍ୟ ପ୍ରଦାନ କରନ୍ତି l

-ଦିବ୍ୟାଲୋକ ସନ୍ଧାନେ, ରାମନଗର, ତେଲେଙ୍ଗାପେଣ୍ଠ, କଟକ
ମୋ: ୯୪୩୭୨୯୨୬୯୯

Share