ସତ୍ୟ ହିଁ ସାହିତ୍ୟର ଷଠୀଘର

ମାୟାଧର ନାୟକ

ସାହିତ୍ୟ ଏବେ ମନର କଥା ଆଉ ମୁହଁର କଥା ମଧ୍ୟରେ ତାଳମେଳ ନ ରଖି କେବଳ ମଖମଲି ମୁଖାର କଥା ପାଲଟିଯାଇଛି। ଛାତିରେ ହାତ ଦେଇ ଆଜି କେତେଜଣ କହିବେ- ଆମେ ଲେଖୁଛୁ ଟୁକୁରା ଟୁକୁରା ଭଙ୍ଗା ସ୍ବପ୍ନର ମା’ମାନଙ୍କ ପାଇଁ? ମା’ବାପାଙ୍କ ରାଣଖାଇ କେତେଜଣ ଲେଖିକା କହିବେ- ଆମେ ଲେଖୁଛୁ ଅମର୍ଯ୍ୟାଦାରେ ଭୂଲୁଣ୍ଠିତା ସେଇ ଭାଷାହୀନା ନ୍ୟାୟପ୍ରତୀକ୍ଷିତା ମହିଳାମାନଙ୍କ ପାଇଁ? ଦେଶର ନାରୀ ପାଇଁ ସାହିତ୍ୟରେ ଯଦି ସମ୍ମାନଜନକ ନାରା ନ ଶୁଭେ, ସେସବୁ ସାହିତ୍ୟ ନାଆଁରେ ଲେଖାଲେଖିଟା ତେବେ କାହାପାଇଁ ଆଉ କେତେଦିନ?
ଆମର ସାହିତ୍ୟ ଏବେ ନୂଆ ପରିଭାଷାରେ ନାମିତ। ଆମେ ଆଉ ସାହିତ୍ୟ ନ କହି ସବୁଠି କହିଲୁଣି ଲେଖାଲେଖି। ଦୁଇଟାଯାକ ଏକାକଥା ନୁହେଁ ବୋଲି ମୋର ବିନମ୍ର ମତ। ସାହିତ୍ୟ କହିଲେ ଗୋଟିଏ ଯୋଗ, ଗୋଟିଏ ଜୀବନମାର୍ଗ, ଗୋଟିଏ ଏକାନ୍ନଭୋଜୀ ଅଭିବାଞ୍ଛନାଶ୍ରିତ ଅଭିବ୍ୟକ୍ତି- ଯାହା ବ୍ୟକ୍ତିକୁ ଲେଖକରେ ପରିଣତ କରୁକରୁ ପରିଶେଷରେ କରାଏ ସମୂହର ସମ୍ବେଦନଶୀଳ ଅଂଶ- ବିଚ୍ଛିନ୍ନ ଏକକ ନୁହେଁ ମୋଟେ। ଯିଏ ଅସଲ ଲେଖକ ସେ କେବେ ଲେଖେନାହିଁ କାହାପାଇଁ- କାରଣ ସେ ଯାହା ଲେଖେ ସେଥିରେ ସ୍ବୟଂ ସମୟ ହିଁ ଲେଖିଚାଲୁଥାଏ ନିଜସ୍ବ କଥନ, ଅସମାପ୍ତ ଆତ୍ମଚରିତର ସୂକ୍ଷ୍ମ ଶ୍ରୁତଲିଖନ।
ଲେଖାଲେଖି କଥାଟା ସାହିତ୍ୟର ସଚ୍ଚା ନାମାନ୍ତର ନୁହେଁ। ଏଥିରେ ସାହିତ୍ୟଗତ ଦାୟିତ୍ୱ ଯେତେ ନାହିଁ, ସେତେ ଅଛି ଏକ ବ୍ୟକ୍ତିଗତ ସ୍ପୃହାର ଶାବ୍ଦିକ ସମରାଭ୍ୟାସ ମାତ୍ର। ଯୁଦ୍ଧ ନାହିଁ, ଶିବିର ନାହିଁ, ସାମ୍ମୁଖ୍ୟ ନାହିଁ, ଆହ୍ବାନ ନାହିଁ- ଅଥଚ ଅଙ୍ଗୀକାରହୀନ ଏକ ଅଭ୍ୟାସର ଅଙ୍ଗଚାଳନା- ଆକାଶକୁ ଅସ୍ତ୍ର ଉତ୍ତୋଳନ- ଶୂନ୍ୟତାକୁ ବଦ୍ଧମୁଷ୍ଟି ପ୍ରଦର୍ଶନ। ସାହିତ୍ୟବୋଧ ଅପେକ୍ଷା ଏ ଧାରାରେ ଏବେ ଅନୁପ୍ରବେଶ କରିଛି ଅରୁଚିକର ଅନେକ ପ୍ରକାର ଆଭିମୁଖ୍ୟ- ଯେମିତି ମଞ୍ଚଦଖଲ, ପୁରସ୍କାର ହାସଲ, ପ୍ରଶଂସାପତ୍ର/ ମାନପତ୍ର ଆଦାୟର ନୟାନ୍ତ ନକଲ। ଆମର ଆଉ ଗୋପବନ୍ଧୁ, ଫକୀରମୋହନ, ପ୍ରେମଚନ୍ଦ, ଶରତ ଚନ୍ଦ୍ର, ନଜରୁଲ, ସଚ୍ଚି ରାଉତରା ଦରକାର ନାହିଁ- ଦରକାର ନିର୍ଧୂମ୍‌ ହାସ୍ୟରସର ଧୁମ୍‌ଧାମ୍‌ ସାହିତ୍ୟକାର। ହସର ସାହିତ୍ୟ ବଜାର, ହସର ହାଟ ବସାଅ ଗ୍ରାହକ ପାଠକବର୍ଗ ପାଇଁ। ହସ ହିଁ ଅସଲ ରସ। ହସିବାକୁ ଇଚ୍ଛାହୁଏ ଖୁବ୍‌। ହେଲେ ହସିପାରେନା ମୋଟେ।
ରୁଷିଆର ମହାନ୍‌ କଥାକାର ଗର୍କୀଙ୍କ ବିଶ୍ୱବିଖ୍ୟାତ ଉପନ୍ୟାସ ‘ମଦର୍‌’। ଏ ଉପନ୍ୟାସର ମହାନାୟିକା ବାଟ ଚାଲିବାରେ ବିଶ୍ୱାସ କରୁଥିବା ସେଇ ମା’, ଯିଏ ମୁଣ୍ଡେଇଥିବା ପସରା ଭିତରେ ସେଦିନ ଥିଲା ବିପ୍ଳବକୁ ଦୀର୍ଘଜୀବୀ କରିବା ପାଇଁ ପ୍ରେରଣାଦାୟକ ପ୍ରଚାରପତ୍ରସବୁ। ପୁଅ ସାମିଲ ହୋଇଥିବା ଦୂରାନ୍ତରର ବିପ୍ଳବୀ ସଙ୍ଗଠନକୁ ହସ୍ତାନ୍ତର କରିଦେବା ଉଦ୍ଦେଶ୍ୟରେ ନିଜ ପସରାର ଗୁଡ଼ିଏ ଜିନିଷପତ୍ର ତଳେ ମାଆଟି ଛପାଇ ରଖୁଥିଲା ସେସବୁ ଗୁପ୍ତ ପ୍ରଚାରପତ୍ର। ଗୋଇନ୍ଦା ପୋଲିସର ଆଖି ଆଉ ପ୍ରତିକ୍ରିୟାଶୀଳ ଶାସକ ଦଳର ଚର-ଅନୁଚରମାନଙ୍କ ନଜରକୁ ଫାଙ୍କିଦେଇ ନିୟମିତ ସେସବୁ ବୈପ୍ଳବିକ କାର୍ଯ୍ୟକ୍ରମର ନିର୍ଦ୍ଦେଶନାମା ମାଆ ମାର୍ଫତ୍‌ରେ ପହଞ୍ଚାଉଥିଲା ଠିକଣା ଜାଗାରେ। ମୁଣ୍ଡ ଉପରର ପସରା ଭିତରେ ଲୁଚାଇ ରଖିଥିବା ସେ ଅଗ୍ନିଗର୍ଭ ପ୍ରଚାରପତ୍ରକୁ କ’ଣ ମାଆ ପଢୁଥିଲା କେବେ? ସମକାଳର ଲେଖକ/ଲେଖିକା ବିରାଦରମାନଙ୍କୁ ଗର୍କୀଙ୍କର ସେଇ ‘ମଦର୍‌’ର ମୁହଁକୁ ଏତେବର୍ଷ ପରେ ଆଉଥରେ ଫେରିଚାହାନ୍ତୁ।
ଆଗ ପରି ଏବେ ଆଉ ଉପନ୍ୟାସ ଲେଖା ହେଉନାହିଁ। ଚରିତ୍ରଗୁଡ଼ିକ କ’ଣ କୁଆଡ଼େ ଛୁଟିଦିନ କଟାଇବାରେ ବ୍ୟସ୍ତ ନା ଘଟଣାସବୁ ଗର୍‌ହାଜିର୍‌? ହଁ, ପରିବେଶରେ ଅବଶ୍ୟ ଅନେକଟା ଅଦଳବଦଳ। ମେଶିନ୍‌ ବିସ୍ଥାପିତ କରିଛି ମଣିଷକୁ- ତା’ ନିଜ ମନ-ପ୍ରାଣ-ଆତ୍ମାର ଏକଦା-ଅନ୍ତରଙ୍ଗ ଇଲାକାରୁ। ଶିଳ୍ପ ପ୍ରସାଧିତ ସଭ୍ୟତା ଆଜି କଳାକନା ବୁଲାଇ ସାରିଛି କୃଷିଭିତ୍ତିକ ସଂସ୍କୃତି ଓ ମୂଲ୍ୟବୋଧର ଯୌଥ ଜୀବନ କ୍ଷେତ୍ରରେ। ବହିଃ ପ୍ରକୃତିର ବିକୃତୀକରଣ ପାଛୋଟି ଆଣିଛି ପ୍ରଦୂଷଣ, ଯାହାର ପ୍ରତୀକ କଳାଧୂଆଁ- ଅନ୍ତଃ ପ୍ରକୃତିର ଉଚ୍ଛେଦୀକରଣ ଡାକିଆଣିଚି ବିସ୍ଫୋରିତ ସାମାଜିକ ବ୍ୟବଧାନ, ଯାହାର ସଙ୍କେତ କଳାଧନ। ବ୍ୟବସ୍ଥାକୁ ବଦଳାଇବାର ଆସ୍ଥା ଯେଉଁମାନଙ୍କ ଉପରେ, ସେଇ ଯୁବପିଢ଼ି ଆଜି ଚକ୍ରବୂ୍ୟହସ୍ଥ ଅଭିମନ୍ୟୁର ଦଳ- ମତଲବୀ ମହାରଥୀମାନଙ୍କ ମଇଦାନ ମଝିରେ! ଯେତେବେଳେ କୁରୁକ୍ଷେତ୍ର ପାଲଟି ଯାଇଥିଲା ଯୁଦ୍ଧକ୍ଷେତ୍ର, ସେତେବେଳେ ମହାଭାରତ ଲେଖାଯାଇ ପାରିଥିଲା। ଏହି ଯୁଦ୍ଧକ୍ଷେତ୍ରକୁ ଧର୍ମକ୍ଷେତ୍ରରେ ପରିଣତ କରିବାର ପ୍ରେରଣା ଦେଇଥିଲା ଏ ମହାକାବ୍ୟ। ଅଥଚ ତା’ଠାରୁ ଆହୁରି ଭୟାବହ ଏକ ପରିବେଶ ସମ୍ପ୍ରତି ସୃଷ୍ଟି ହୋଇ ସାରିଥିଲେ ହେଁ ଉପନ୍ୟାସର ଯୁଗାନ୍ତର କାହିଁକି ଏବେ ମଧ୍ୟ ଏକ ପ୍ରଶ୍ନବାଚୀ?
ସମସ୍ତେ ଟଲଷ୍ଟୟ ହୋଇପାରନ୍ତି ନାହିଁ କି ଗର୍କୀ। ସମସ୍ତେ ପ୍ରେମଚନ୍ଦ୍‌ ହୋଇପାରନ୍ତି ନାହିଁ କି ଫକୀରମୋହନ। ସମସ୍ତେ ଶରତ ଚନ୍ଦ୍ର ହୋଇପାରନ୍ତି ନାହିଁ କି କାହ୍ନୁଚରଣ। ସେମିତି ସମସ୍ତେ କ’ଣ ଲେଖିପାରନ୍ତି ଅଙ୍କଲ୍‌ ଟମ୍‌ସ କ୍ୟାବିନ୍‌ ନା କ୍ରାଇମ୍‌ ଏଣ୍ଡ୍‌ ପନିଶ୍‌ମେଣ୍ଟ? ମହାନ୍‌ ଲେଖକମାନେ ଯେମିତି ସବୁ ଦେଶର, ମହତ୍‌ର କୃତିଗୁଡ଼ିକ ବି ସେମିତି ସବୁକାଳର। ସମସ୍ତେ ବରଣୀୟ। ସେମାନଙ୍କ କାଳଜୟୀ କୃତିସବୁ ମଧ୍ୟ ସ୍ମରଣୀୟ। ସେମାନେ ବଜାରର ହଜାର ଜଣଙ୍କ ପାଇଁ ଲେଖିବା ଅପେକ୍ଷା ନିଜ ଅନ୍ତରାମତ୍ାର ଆଜ୍ଞା ପାଳନ କରିବାକୁ ହିଁ ଲେଖୁଥିଲେ। ଆମେ ଆଜି ଉପନ୍ୟାସର ଯୁଗାନ୍ତର ପାଇଁ କାମନା କରୁଥିବା ବେଳେ ଏଇ ସରଳ ସତ୍ୟଠାରୁ ଯେପରି ଦୂରେଇ ନ ଯାଉ- ଅନ୍ତତଃ ଏତିକି ମନେ ରହିପାରିଲେ ଭଲ।
ଭାରତର ଔପନ୍ୟାସିକ ସମ୍ରାଟ୍‌ ଶରତ ଚନ୍ଦ୍ର କହିଥିଲେ, ‘ପାଦ ଥିଲେ ଚାଲିହୁଏ, କିନ୍ତୁ ହାତ ଥିଲେ ଲେଖିହୁଏନା।’ କେଡ଼େ ବଡ଼ କଥାଟାଏ! ଏଇ ଦୃଷ୍ଟିରୁ କୁହାଯାଇପାରେ, ବୁନ୍ଦାଏ ରକ୍ତରେ ମନର ମଣିଷ ପାଖକୁ ହୁଏତ ଦସ୍ତଖତଟିଏ ପଠାଇ ଦେଇହୁଏ, କିନ୍ତୁ ବୋତଲେ କାଳିରେ ପାଠକ ପାଠିକାଙ୍କ ହାତପାହାନ୍ତାକୁ ଉପନ୍ୟାସଟିଏ ବଢ଼େଇ ଦେଇହୁଏନା। ଶରତ ଚନ୍ଦ୍ରଙ୍କ ସମ୍ପର୍କରେ ଶୁଣା କଥାଟିଏ ଭାରି ଲୋକପ୍ରିୟ। କରଜଭାରରୁ କିଛିଟା ନିସ୍ତାର ପାଇବା ପାଇଁ ଟଙ୍କା ଦରକାର ଥିଲା ତାଙ୍କର। ପ୍ରକାଶକ ତାଙ୍କୁ ପ୍ରତିଶ୍ରୁତି ଦେଲେ, ଲୋଡ଼ୁଥିବା ଟଙ୍କା ତାଙ୍କ ହାତକୁ ଯିବା ପାଇଁ ଅପେକ୍ଷା କରି ରହିଛି- ହେଲେ ତାଙ୍କଠୁ ଗୋଟିଏ ଉପନ୍ୟାସ ପ୍ରକାଶକ ହାତେଇସାରିଲା ପରେ। ଶରତ ଚନ୍ଦ୍ର ରାଜି ହେଲେ। ସକାଳୁ ସେ ଗୋଟିଏ ବଖରା ଭିତରେ ରହି ପ୍ରକାଶକଙ୍କ ପାଖରୁ କାଗଜକଲମ, ଖାଦ୍ୟପାନୀୟ ମଗାଇ ସାରିବା ପରେ ବାହାରୁ ତାଲା ପକାଇ ଦେବାକୁ କହିଲେ। ତା’ପରେ କହିଲେ, କାଲି ସକାଳୁ ଆସି କବାଟ ଫିଟାଇବ- ନଭେଲ୍‌ଟା ନେଇଯିବ!
ଏହି ବିଚିତ୍ରମନା ଲେଖକଙ୍କୁ ପ୍ରକାଶକ କେମିତି ଟିକିଏ ସନ୍ଦିଗ୍ଧ ଦୃଷ୍ଟିରେ ଚାହିଁ ପଛେଇ ପଛେଇ ବଖରା ଭିତରୁ ବାହାରି ଆସିଲେ। ମନେମନେ ଭାବୁଥିଲେ, ରାତାରାତି ନଭେଲ୍‌! କ’ଣ ଲେଖକ ନା ଲେଖା କଳ? ହଉ, ଥରେ ପରୀକ୍ଷା କରିନେଲେ କ୍ଷତି କ’ଣ? ଭୋର୍‌ ବେଳକୁ କବାଟରେ କରାଘାତ। ସାରାରାତି ଉଜାଗର ଶରତ ଚନ୍ଦ୍ର ଅନ୍ତିମ ଅନୁଚ୍ଛେଦ ଲେଖି ସାରିଥିଲେ କି ନାହିଁ ଆମକୁ ଜଣା ନାହିଁ, କିନ୍ତୁ ସେଇ କରାଘାତ ଶୁଣିବାମାତ୍ରେ ସେ ପୂର୍ଣ୍ଣଚ୍ଛେଦ ପକାଇଦେଲେ ସେଯାବତ୍‌ ଲେଖାସରିଥିବା ସବାତଳ ବାକ୍ୟଟି ଉପରେ। ଆଖିରୁ ଖସିପଡ଼ିଲା ଦି’ଟୋପା ଲୁହ- ଯାହା ଟିକିଏ ଝାପ୍‌ସା କରିଦେଲା ତଥାକଥିତ ଶେଷବାକ୍ୟଟିକୁ- ଆଉ ସେଇ ଲୁହବତୁରା ବାକ୍ୟ ଉପରେ କଲମଟାକୁ ଦାବିଦେଇ ତା’ ମୁନଟାକୁ ଭାଙ୍ଗିଦେଲେ ମହାନ୍‌ ଲେଖକ। ବାସ୍‌, ସେଇଠି ଉପନ୍ୟାସ ଶେଷ। ନଁା ଥିଲା ‘ଦେବଦାସ’। କେବଳ ସେଦିନର ପାଠକ ପିଢ଼ି କାହିଁକି ଆଜିର ଉପନ୍ୟାସପ୍ରିୟ ବିଭିନ୍ନ ଭାଷାର ପାଠକଶ୍ରେଣୀ ପାଖରେ ବି ‘ଦେବଦାସ’ର ଅନୁବାଦ ଏକାନ୍ତ ଆଦରଣୀୟ। କେତେଥର କେତେ ଭାଷାରେ ଖାଲି କ’ଣ ଅନୂଦିତ ହୋଇସାରିଛି ଏ ଉପନ୍ୟାସ, ଅତୀତରୁ ଏଯାବତ୍‌ ତା’ର ଚଳଚ୍ଚିତ୍ରିତ ଚେହେରା ପିଢ଼ି ପରେ ପିଢ଼ିକୁ ଭିଡ଼ି ଧରିଛି ଏକ ଚୁମ୍ବକୀୟ ଆକର୍ଷଣରେ!
ସେ ଦିନ ସବୁ ଥିଲା କଥା ସାହିତ୍ୟର ଉଜ୍ଜ୍ୱଳ ଫାଲ୍‌ଗୁନ। ସେଇଭଳି ମହାନ୍‌ ଲେଖକ ଏବେ ଆଉ ନାହାନ୍ତି କି ସେ ଧରଣର ସ୍ମରଣୀୟ କଥାକୃତି ସାରସ୍ବତ ସଂସାରରେ ସୃଷ୍ଟି ହେଉଥିବାର ସୁସମ୍ବାଦ ସେତେବେଶୀ ଶ୍ରୁତିଗୋଚର ହେଉନାହିଁ। ତଥାପି ଭବିଷ୍ୟତର ସାହିତ୍ୟ ନିଜର ମହାନ୍‌ ଲେଖକ/ଲେଖିକାମାନଙ୍କୁ ଅପେକ୍ଷା କରିବାର ଆନନ୍ଦରେ ଯେ ନିତ୍ୟ ନିମଜ୍ଜମାନ ରହିଥିବ- ଏହା ନିଃସନ୍ଦେହ।
ଯାଜପୁର ରୋଡ଼, ଯାଜପୁର
ମୋ: ୯୮୬୧୦୩୪୧୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

ନିଜର ଦୂରଦୃଷ୍ଟି ଓ ସଂକଳ୍ପ ବଳରେ ଭାରତକୁ ଗଢ଼ିଥିବା ରାଷ୍ଟ୍ରନେତା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ୨୫ ଡିସେମ୍ବର, ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଆମ ଦେଶ ଆମର ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ...

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

ପତ୍ରେ ପତ୍ରେ ଠକ

ବର୍ତ୍ତମାନ ସମୟରେ ଡିଜିଟାଲ ଆରେଷ୍ଟ ଏକ ଭୟଙ୍କର ଅନ୍‌ଲାଇନ ଅପରାଧ ଭାବେ ଉଭା ହେଲାଣି। ଏଥିରେ ଠକମାନେ ନିଜକୁ ପୋଲିସ, ସିବିଆଇ, ଆର୍‌ବିଆଇ କିମ୍ବା ନାର୍କୋଟିକ୍ସ...

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri