Categories: ଫୁରସତ

ହସ୍ପିଟାଲରୁ ରାତିରେ ଶୁଭେ ଚିତ୍କାର ଶବ୍ଦ, ଯାଞ୍ଚ୍‌ ହେବାରୁ ମିଳିଲା ଏମିତି ଆଶ୍ଚର୍ଯ୍ୟ ତଥ୍ୟ

ଭୂତ ଅଛି କି ନାହିଁ ସେ ନେଇ ସବୁବେଳେ ବିବାଦ ଲାଗି ରହିଥାଏ। ବିଜ୍ଞାନ କହିଛି ଯେ ଭୂତ ଏବଂ ଆତ୍ମା ଭଳି କୌଣସି ଜିନିଷ ନାହିଁ, ଏହା ସବୁ ମନର ଭ୍ରମ। ବିଶ୍ୱରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଭୂତ ଉପରେ ବିଶ୍ୱାସ କରନ୍ତି। ଆଜିକାଲି ସୋସିଆଲ ମିଡିଆରେ ଏହା ସହ ଜଡିତ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ହସ୍ପିଟାଲରୁ ଶୁଣିବାକୁ ମିଳେ ଯେ କେହି ଜଣେ ଚିତ୍କାର କରୁଛନ୍ତି। ଏହି ସ୍ବର କେବଳ ରାତିରେ ଶୁଣାଯାଏ ବୋଲି ଦାବି କରାଯାଇଛି। ଏହି ମାମଲା ମଧ୍ୟପ୍ରଦେଶର ଇନ୍ଦୋରର ମାଇ ହସ୍ପିଟାଲର ଅଟେ। କୁହାଯାଉଛି ଯେ ଗତ କିଛି ଦିନ ହେବ ଡାକ୍ତରଖାନାର ତଳ ମହଲାରୁ କେହି ଚିତ୍କାର କରୁଥିବା ସ୍ବର ଶୁଣିବାକୁ ମିଳୁଛି। ଏହି କାରଣରୁ ଡାକ୍ତରଖାନାର ସିକ୍ୟୁରୀଟୀମାନେ ମଧ୍ୟ ଡରି ଯାଇଥିଲେ। ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ସହିତ ଏକ କାହାଣୀ ଭାଇରାଲ ହୋଇଛି, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ପ୍ରକାଶ ଯେ, ୧୫-୨୦ ଦିନ ପୂର୍ବରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ଜଳିଯାଇଥିବା ଜଣେ ମହିଳାଙ୍କୁ ଏହି ଡାକ୍ତରଖାନାକୁ ଅଣାଯାଇଥିଲା। କିନ୍ତୁ କିଛି ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ପରିବାର ଲୋକ ତାଙ୍କ ମୃତଦେହକୁ ନେଇଯାଇଥିଲେ। କିନ୍ତୁ ତାଙ୍କ ଆତ୍ମା ଏଠାରେ ବୁଲୁଛି ଯାହା ପ୍ରତିଦିନ ରାତିରେ ଚିତ୍କାର କରେ ବୋଲି କୁହାଯାଇଛି। ବର୍ତ୍ତମାନ ଯେହେତୁ ଭିଡିଓଟି ଭାଇରାଲ ହୋଇସାରିଛି ଏବଂ ଏଥିରେ କାହାର ଚିତ୍କାର ସ୍ବର ମଧ୍ୟ ସ୍ପଷ୍ଟ ଭାବରେ ଶୁଣିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଡାକ୍ତରଖାନା ପ୍ରଶାସନ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ଅନୁସନ୍ଧାନକାରୀ ଦଳ ଗଠନ କରିଥିଲା। ଏହି ସମୟ ମଧ୍ୟରେ ଯାହା ଜଣା ପଡିଲା ତାହା ସମସ୍ତ ଦ୍ୱନ୍ଦ୍ୱକୁ ଦୂର କଲା। ଅନୁସନ୍ଧାନରୁ ଜଣାପଡିଛି ଯେ ଅର୍ଥୋପେଡିକ ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ ଡ୍ରେସିଂ ସମୟରେ ସେ ଚିତ୍କାର କରୁଥିଲେ ଏବଂ ରାତିର ଅନ୍ଧକାରରେ ତାଙ୍କ ସ୍ବର ପ୍ରତିଧ୍ୱନିତ ହେଉଥିଲା।

Share