Categories: ଜାତୀୟ

ଯୋଗୀ ସରକାରଙ୍କ ସତ୍ୟପାଠ: ରାତ୍ରରେ ସଂସ୍କାର ନ କରିଥିଲେ ସକାଳେ ଥିଲା ଦଙ୍ଗାର ଆଶଙ୍କା

ନୂଆଦିଲ୍ଲୀ, ୬।୧୦: ଉତ୍ତରପ୍ରଦେଶ ହାଥରସ୍‌ରେ ହୋଇଥିବା ବଳାତ୍କାର ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିିତ୍ୟନାଥ ସରକାର ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ରାତ୍ରରେ ପୀଡ଼ିତାଙ୍କ ମୃତଦେହ ସଂସ୍କାର ହୋଇ ନ ଥିଲେ ସକାଳେ ସାମ୍ପ୍ରଦାୟିକ ଦଙ୍ଗାର ଆଶଙ୍କା ଥିଲା। ସେହିପରି ବଳାତ୍କାର ହୋଇ ନ ଥିବା ମଧ୍ୟ ଯୋଗୀ ସରକାରଙ୍କ ପକ୍ଷରୁ କୁହାଯାଇଛି। ତେଣୁ ତରବରିଆ ଭାବେ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ସହମତିରେ ଏଭଳି କରାଯାଇଥିଲା। ଦଙ୍ଗା ହେବାର ଆଶଙ୍କା ନେଇ ଗୋଇନ୍ଦା ବିଭାଗ ପକ୍ଷରୁ ଗୁପ୍ତ ସୂଚନା ମିଳିଥିଲା। ରାଜ୍ୟ ପ୍ରଶାସନ ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରିଥିବା ସତ୍ୟପାଠରେ ଦର୍ଶାଯାଇଛି। ଏହି ଘଟଣାର ସିବିଆଇ ଯାଞ୍ଚ୍‌ ପାଇଁ ଯୋଗୀ ସରକାର ସୁପ୍ରିମ୍‌କୋର୍ଟରେ ଆବେଦନ କରିଛନ୍ତି। ସୂଚନାଯୋଗ୍ୟ, ଏହାପୂର୍ବରୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଏଚ୍‌.ସି.ଅଓ୍ବସ୍ଥି ମଧ୍ୟ ତରିବରିଆ ଭାବେ ପୀଡ଼ିତାଙ୍କ ମୃତ ଦେହ ସଂସ୍କାର ନେଇ କହିଥିଲେ ଯେ, ପରିସ୍ଥିତିକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଲାଗି ବାଧ୍ୟ ହୋଇ ଏଭଳି କରାଯାଇଥିଲା। ଏହା ବ୍ୟାତିତ ଅନ୍ୟ କୌଣସି ବାଟ ନ ଥିଲା।

Share