ଟ୍ରେନ୍‌ ଦୁର୍ଘଟଣାକୁ ସାମ୍ପ୍ରଦାୟିକ ରୂପ ଦେଲେ କାର୍ଯ୍ୟାନୁଷ୍ଠାନ: ଚେତାବନୀ ଦେଲା ଓଡ଼ିଶା ପୋଲିସ

ଭୁବନେଶ୍ୱର,୫ା୬(ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗାଠାରେ ଶୁକ୍ରବାର ସାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଏହି ରେଳ ବିଭୀଷିକା ପାଇଁ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଉଥିବାବେଳେ କିଛି ମନ୍ଦ ପ୍ରକୃତିର ଲୋକ ଏହାକୁ ସାମ୍ପ୍ରଦାୟିକ ରୂପ ଦେବାକୁ ଚେଷ୍ଟା କରୁଛନ୍ତି। ସେମାନେ ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତିକର ପୋଷ୍ଟ ଭାଇରାଲ କରି ଘଟଣା ପଛର ମୁଖ୍ୟ କାରଣକୁ ହଟାଇବାକୁ ଚେଷ୍ଟା କରୁଛନ୍ତି। ତେବେ ଏଭଳି ସ୍ଥିତିରେ ଏହି ଦୁର୍ଘଟଣାକୁ ସାମ୍ପ୍ରଦାୟିକ ରୂପ ଦେବାକୁ ହେଉଥିବା ଉଦ୍ୟମକୁ ନେଇ ଓଡ଼ିଶା ପୋଲିସ ସତର୍କ କରାଇଛି। ଏଥିରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରବିବାର ରାଜ୍ୟ ପୋଲିସ ପକ୍ଷରୁ ଟୁଇଟ୍‌ ଯୋଗେ ଚେତାବନୀ ଦିଆଯାଇଛି।
ଉକ୍ତ ଟୁଇଟ୍‌ରେ କୁହାଯାଇଛି, ବାଲେଶ୍ୱରରେ ହୋଇଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାକୁ କିଛି ଲୋକ ସାମାଜିକ ଗଣମାଧ୍ୟମରେ ସାମ୍ପ୍ରଦାୟିକ ରଙ୍ଗ ଦେଉଥିବା ଲକ୍ଷ୍ୟ କରାଯାଉଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଓଡ଼ିଶା ଜିଆର୍‌ପି ପକ୍ଷରୁ ଦୁର୍ଘଟଣାର କାରଣ ଓ ଏହାର ଅନ୍ୟାନ୍ୟ ଦିଗକୁ ନେଇ ଅନୁସନ୍ଧାନ କରାଯାଉଛି। ଏହିପରି ମିଥ୍ୟା ଓ ମନ୍ଦ ଉଦ୍ଦେଶ୍ୟ ରଖି ପୋଷ୍ଟଗୁଡ଼ିକ ପ୍ରଚାର ନ କରିବାକୁ ଆମେ ସମ୍ପୃକ୍ତ ଲୋକମାନଙ୍କୁ ଅନୁରୋଧ କରୁଛୁ। ଯେଉଁମାନେ ଏଭଳି ଗୁଜବ ପ୍ରଚାର କରି ସାମ୍ପ୍ରଦାୟିକ ଅସହଯୋଗ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉକ୍ତ ଟୁଇଟ୍‌ରେ କୁହାଯାଇଛି।

Share