Categories: ଖେଳ

ଟିଟି ଖେଳାଳିଙ୍କୁ ନୂତନ ପଦ୍ଧତିରେ ପ୍ରଶିକ୍ଷଣ ଦିଆଯିବ

କଟକ ଅଫିସ, ୬ା୪: ଓଡ଼ିଶାରେ ଟେବୁଲ ଟେନିସ (ଟିଟି) କ୍ରୀଡ଼ାର ପ୍ରସାର ହେବ। ଖେଳାଳିମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ପ୍ରଦାନ ସହ ପ୍ରୋତ୍ସାହିତ କରାଯିବ। ସ୍ଥାନୀୟ ବାଣିଜ୍ୟକର ଭବନଠାରେ ବୁଧବାର ଆୟୋଜିତ ଏକ ବୈଠକରେ ଅନ୍ତର୍ଜାତୀୟ ଟେବୁଲ ଟେନିସ ଫେଡେରେଶନ ସଭାପତି ମାଡାମ ପେଟ୍ରା ସୋର୍ଲିଂ ଯୋଗଦେଇ ଏକଥା କହିଛନ୍ତି। ରାଜ୍ୟର ବିଭିନ୍ନ ଜିଲାରେ ଟେବୁଲ ଟେନିସ ଏକାଡେମୀ ପ୍ରତିଷ୍ଠା, ବିଦେଶୀ ପ୍ରଶିକ୍ଷକଙ୍କ ଦ୍ୱାରା ନୂତନ ପଦ୍ଧତିରେ କିପରି ପ୍ରଶିକ୍ଷଣ ପ୍ରଦାନ କରାଯାଇପାରିବ ଆଦି ବିଭିନ୍ନ ପ୍ରସଙ୍ଗରେ ସୋର୍ଲିଂ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ତଥା ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ସଂଘ ସଭାପତି ସଞ୍ଜୟ କୁମାର ସିଂହ କହିଥିଲେ, ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୀଡ଼ା କ୍ଷେତ୍ରରେ ବ୍ୟାପକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ କରି ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶା ସ୍ଥାନିତ ହୋଇଛି। ଭାରତୀୟ ଟେବୁଲ ଟେନିସ ଫେଡେରେଶନ ସଚିବ କମଲେଶ ମେହେଟା କହିଥିଲେ, ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମି ସରଞ୍ଚନା ବେଶ୍‌ ସୁଦୃଢ।

ଆସନ୍ତା ଜୁନରେ ଓଡ଼ିଶାରେ ଜାତୀୟ ର଼୍ୟାଙ୍କିଙ୍ଗ ଟୁର୍ନାମେଣ୍ଟ ଓ ଅଗଷ୍ଟରେ ବିଶ୍ୱ ଯୁବ ଟେବୁଲ ଟେନିସ ଚାମ୍ପିୟନଶିପ ଆୟୋଜନ କରିବା ନିମନ୍ତେ ବିଚାରବିମର୍ଶ ଚାଲିଛି। ଅନ୍ତର୍ଜାତୀୟ ଟେବୁଲ ଟେନିସ ଫେଡେରେଶନର ପ୍ରତିଷ୍ଠାତା ନିର୍ଦ୍ଦେଶକ ଲିଆଣ୍ଡ୍ରୋ ଓଲଭେକ ମଧ୍ୟ ଏହି ବୈଠକରେ ଯୋଗଦେଇଥିଲେ। ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ସଂଘର ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା ଧନ୍ୟବାଦ ଦେଇଥିଲେ।

Share