ଓ୍ବାଶିଂଟନ,୧୮ା୨(ପି.ଟି.): ପାକିସ୍ତାନର କଶ୍ମୀର କୈନ୍ଦ୍ରିକ ହିଜବୁଲ୍ ମୁଜାହିଦ୍ଦିନ ଏବଂ ତେହରିକ୍-ଇ-ତାଲିବାନ ପାକିସ୍ତାନ (ଟିଟିପି) ବୈଶ୍ୱିକ ଆତଙ୍କବାଦୀ ସଂଗଠନ ରହିଛି। ଏହାର ପଦବୀରେ କୌଣସି ପରିବର୍ତ୍ତନ ହେବାର କାରଣ ନାହିଁ ବୋଲି ସମୀକ୍ଷା ପରେ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି। ବିଭିନ୍ନ ବିଦେଶୀ ଆତଙ୍କବାଦୀ ସଂଗଠନର ପଦବୀକୁ ସମୀକ୍ଷା କରାଯିବା ପରେ ଏହାକୁ ସଂଘୀୟ ରେଜିଷ୍ଟରରେ ବିଜ୍ଞପିତ କରାଯାଇଛି। ୨୦୧୦ ସେପ୍ଟେମ୍ବର ୧ରେ ଟିଟିପିକୁ ଆମେରିକା ଆତଙ୍କବାଦୀ ସଂଗଠନ ତାଲିକାଭୁକ୍ତ କରିବା ସହ ଏହାର ନେତା ହକିମୁଲ୍ଲା ମେହସୁଦ୍ ଏବଂ ଓ୍ବାଲି ଉର୍-ରେହମନଙ୍କୁ ବୈଶ୍ୱିକ ଆତଙ୍କବାଦୀ ଘୋଷଣା କରିଥିଲା। ୨୦୦୭ରେ ଗଠିତ ଟିଟିପିର ନୀତି ଆଦର୍ଶ ଆଫଗାନିସ୍ତାନ ତାଲିବାନ ସହ ସମାନ। ସେହିପରି କଶ୍ମୀର କୈନ୍ଦ୍ରିକ ହିଜବୁଲ୍ ମୁଜାହିଦ୍ଦିନକୁ ଆମେରିକା, କାନାଡା, ଭାରତ ଏବଂ ୟୁରୋପୀୟ ସଂଘ ବୈଶ୍ୱିକ ଆତଙ୍କବାଦୀ ଘୋଷଣା କରିଛି।