Categories: ବାଣିଜ୍ୟ

ଯକ୍ଷ୍ମା ଦୂର କରିବ ଭେଜି ବାଇଗଣ

ଭୁବନେଶ୍ୱର,୧୯।୭(ଅନୁରାଧା ମହାରଣା): ଯକ୍ଷ୍ମାରୋଗ ନିରାକରଣରେ ଛୋଟି କଟେଲି ବା ଭେଜି ବାଇଗଣ ଉପଯୋଗୀ। ପତଞ୍ଜଳି ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଏପରି ତଥ୍ୟ ପ୍ରକାଶ ପାଇଛି। ଏହି ଅଧ୍ୟୟନର ଉଦ୍ଦେଶ୍ୟ ଥିଲା ଯକ୍ଷ୍ମା ପାଇଁ ଆୟୁର୍ବେଦିକ ଚିକିତ୍ସା ବିକାଶ କରିବା ବୋଲି ପତଞ୍ଜଳି ପକ୍ଷରୁ ସୂଚନା ଦିଆଯାଇଛି; ଯାହା ଏକାକୀ କିମ୍ବା ବର୍ତ୍ତମାନର ପ୍ରଚଳିତ ଯକ୍ଷ୍ମା ଔଷଧ ସହ ବ୍ୟବହାର କରାଯାଇପାରିବ। ଅଧ୍ୟୟନ ଅନୁସାରେ ଏହାର ଛୋଟ କଣ୍ଟା ଯକ୍ଷ୍ମା ଜୀବାଣୁ ବୃଦ୍ଧି ହାରକୁ ହ୍ରାସ କରିଥାଏ ବୋଲି ଜଣାପଡ଼ିଛି। ଏସ୍‌ଇଏମ୍‌ ଏବଂ ଟିଏଲ୍‌ସି ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ,ଏସ୍‌ଭିଇ ଚିକିତ୍ସା ବ୍ୟାକ୍ଟେରିଆ କୋଷ ଗଠନକୁ ଦୁର୍ବଳ କରିଥାଏ।

ଏହି ଅବସରରେ ଆଚାର୍ଯ୍ୟ ବାଲକ୍ରିଷ୍ଣା କହିଛନ୍ତି, ପତଞ୍ଜଳି ପାଇଁ ଏହା ଅତ୍ୟନ୍ତ ଆନନ୍ଦଦାୟକ ବିଷୟ ଯେ ଏହି ଅଧ୍ୟୟନ ‘ଫ୍ରଣ୍ଟିଅର୍ସ ଇନ୍‌ ମାଇକ୍ରୋବିଓଲୋଜି’ ପତ୍ରିକାରେ ସ୍ଥାନ ପାଇଛି। ଏହି ଅନୁସନ୍ଧାନ ଯକ୍ଷ୍ମା ଉପରେ ଭବିଷ୍ୟତରେ ଅଧ୍ୟୟନର ମୂଳଦୁଆ ଭାବରେ କାର୍ଯ୍ୟ କରିବ, ଯାହା ଯକ୍ଷ୍ମାକୁ ରୋକିବା ପାଇଁ ଜନସାଧାରଣଙ୍କୁ ନୂତନ ସମ୍ଭାବନା ପ୍ରଦାନ କରିବ ବୋଲି ସେ କହିଛନ୍ତି। ଯକ୍ଷ୍ମା ଏକ ସଂକ୍ରାମକ ରୋଗ ହୋଇଥିବାବେଳେ ଏହା ମଣିଷର ଫୁସ୍‌ଫୁସ୍‌କୁ ପ୍ରଭାବିତ କରିଥାଏ।

ଏହା କାଶ, ଛିଙ୍କ ଏବଂ ସଂକ୍ରମିତ ବ୍ୟକ୍ତିଙ୍କ ଛେପ ଦ୍ୱାରା ବ୍ୟାପିଥାଏ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ୨୦୨୨ ମସିହାରେ ବିଶ୍ୱରେ ୧ କୋଟିରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହି ରୋଗ ବିଶ୍ୱର ପ୍ରାୟ ସମସ୍ତ ଦେଶରେ ବ୍ୟାପିଛି ଏବଂ ଭାରତରେ ମଧ୍ୟ ୧୯୬୨ ମସିହାରୁ ଏହାର ନିରାକରଣ ପାଇଁ ସରକାରୀ ଯୋଜନା ଚାଲିଛି।

Share