ଶ୍ରୀବ୍ୟାସଦେବଙ୍କ ପ୍ରଣିତ ବ୍ରହ୍ମତନ୍ତ୍ର ଓ ପଦ୍ମ ପୁରାଣରେ ଉତ୍କଳର ୫ ଆଧ୍ୟାତ୍ମିକ କ୍ଷେତ୍ର ମଧ୍ୟରେ କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ର ଅନ୍ୟତମ ବୋଲି ଉଲ୍ଲେଖ ଅଛି। କନ୍ଦରାସୁରର କନ୍ୟା ତୁଳସୀଙ୍କୁ ବିବାହ କରି ଶ୍ରୀବଳଦେବଜୀଉ ଏଠାରେ ରହିବାରୁ ଏହାର ନାମ ତୁଳସୀକ୍ଷେତ୍ର। ବିପ୍ରମାଧୁରୀଙ୍କ ତୁଳସୀ କ୍ଷେତ୍ର ମାହାତ୍ମ୍ୟରେ ଶ୍ରୀଜୀଉଙ୍କ ମନ୍ଦିର ସମ୍ପର୍କରେ ଆଲୋଚନା ବେଳେ ଧ୍ୱଜା ବା ପତିତପାବନ ବାନାର ଉଲ୍ଲେଖ ଅଛି। ସହରର ଇଚ୍ଛାପୁରରେ ୧୬୭୦ରେ ନିର୍ମିତ ନୂତନ ମନ୍ଦିର ଦାକ୍ଷିଣାତ୍ୟର ପିଢ଼ ଶୈଳୀରେ ନିର୍ମାଣ କରାଯାଇଛି। ମନ୍ଦିରର ବାନା ସମ୍ପର୍କରେ ସେବାୟତ ତଥା ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ କୁହନ୍ତି, ଏଠାରେ ପ୍ରତ୍ୟହ ସୂର୍ଯ୍ୟ ପୂଜା ସମୟରେ ବାନାର ବ୍ରହ୍ମବିନ୍ଦୁ ଓ ଅର୍ଦ୍ଧଚନ୍ଦ୍ରକୁ ସ୍ମରଣ କରାଯାଏ। ଏହି କ୍ଷେତ୍ରର ଅଧିପତି ଶ୍ରୀବଳଦେବଜୀଉଙ୍କର ହଳାୟୁଧ। କୃଷିପ୍ରଧାନ ଏହି କ୍ଷେତ୍ରରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ପ୍ରଭାବ ରହୁଥିବାରୁ ବାନାରେ ଏହି ଚିହ୍ନ ପ୍ରତୀକ ଭାବେ ଅଛି। ଏହାକୁ ଆଧ୍ୟାତ୍ମିକ ଦୃଷ୍ଟିରେ ମୋକ୍ଷର ମାର୍ଗ କୁହାଯାଏ। ପତିତପାବନ ବାନା ତ୍ରିଭୁଜାକାର ହୋଇଥିବା ବେଳେ ଏହାର ଲମ୍ବ ୫ ହାତ, ୪ ଅଙ୍ଗୁଳି ଏବଂ ଓସାର ଦେଢ଼ ହାତ। ଅମାବାସ୍ୟା, ପୂର୍ଣ୍ଣିମା, ସଂକ୍ରାନ୍ତି, ନେତ୍ରୋତ୍ସବ, ଗୁଣ୍ଡିଚା ଯାତ୍ରା ଆଦି ପର୍ବପର୍ବାଣିରେ ଏହି ବାନାର ପରିବର୍ତ୍ତନ ହୁଏ। ଏହା ବ୍ୟତୀତ ମାନସିକ ବାନା ମଧ୍ୟ ମନ୍ଦିର ଉପରେ ଶୋଭା ପାଏ। -ଜଗନ୍ନାଥ ଧଳ