ଆତ୍ମହତ୍ୟାର ୩ ଦିନ ପୂର୍ବରୁ ତୁନିଶା ମା’ଙ୍କୁ କରିଥିଲେ ଏହି ଭଏସ୍‌ ଏସ୍‌ଏମ୍‌ଏସ୍‌

ମୁମ୍ବାଇ: ଛୋଟ ପରଦାର ବହୁ ପ୍ରତିଭା ସମ୍ପନ୍ନ ଅଭିନେତ୍ରୀ ତୁନିଶା ଶର୍ମା ୨୪ ଡିସେମ୍ବର ୨୦୨୨ରେ ଏହି ଦୁନିଆକୁ ସବୁଦିନ ପାଇଁ ବିଦାୟ ଦେଇ ଚାଲିଯାଇଛନ୍ତି। ସେତେବେଳକୁ ତାଙ୍କୁ ମାତ୍ର ୨୦ ବର୍ଷ ହୋଇଥିଲା। ଅଭିନେତ୍ରୀ ନିଜ ଟିଭି ଶୋ’ ‘ଅଲି ବାବା: ଦସ୍ତାନ-ଏ-କାବୁଲ’ର ଶେଟ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କ ଆତ୍ମହତ୍ୟା ପରଠାରୁ ଗୋଟିଏ ପରେ ଗୋଟିଏ କଥା ସାମ୍ନାକୁ ଆସୁଛି। ଆତ୍ମହତ୍ୟା ପରେ ତାଙ୍କ ମା’ ଜାଣିବାକୁ ପାଇଲେ ଯେ, ତାଙ୍କ କୋ-ଷ୍ଟାର୍‌ ତଥା ପୂର୍ବତନ ପ୍ରେମିକ ଶିଜାନ ଖାନ୍‌ଙ୍କ ସହ ବ୍ରେକଅପ ହେତୁ ତୁନିଶା ଡିପ୍ରେଶନରେ ଥିଲେ। ଅନ୍ୟପକ୍ଷରେ ଶିଜାନଙ୍କ ପରିବାର ଅଭିଯୋଗ କରିଛନ୍ତି, ତୁନିଶାଙ୍କ ମା’ ଅଭିନେତ୍ରୀଙ୍କୁ ନିୟନ୍ତ୍ରଣ କରୁଥିଲେ। ବର୍ତ୍ତମାନ ତୁନିଶାଙ୍କ ମା’ ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି।

ଏକ ସାକ୍ଷାତକାରରେ ତୁନିଶାଙ୍କ ମା’ ବନିତା ଶର୍ମା ଏନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଏହା ୨୧ ଡିସେମ୍ବର୨୦୨୨ର କଥା ଥିଲା। ଯେତେବେଳେ ସେ ନିଜ ପୋଷା କୁକୁର ନୋଡି ସହ ହ୍ବାଟ୍ସଆପ୍‌ରେ ତୁନିଶାଙ୍କୁ ଫଟୋ ଶେୟାର କରିଥିଲେ। ତାଙ୍କ ମା’ କୁକୁର ପସନ୍ଦ କରୁ ନ ଥିବାରୁ ଫଟୋ ଦେଖି ତୁନିଶା ବେହୋସ ହୋଇଥିଲେ। ତୁନିଶା ତାଙ୍କ ମା’ଙ୍କୁ ଏକ ଭଏସ୍‌ ଏସ୍‌ଏମ୍‌ଏସ୍‌ ମଧ୍ୟ ପଠାଇଥିଲେ। ଯେଉଁଥିରେ ସେ କହିଥିଲେ, ମାମା, ମୁଁ ତୁମକୁ କେତେ ଭଲ ପାଏ ମୁଁ କହି ପାରିବି ନାହିଁ। ମାମା ଆଇ ଲଭ୍‌ ୟୁ। ତୁମେ ମୋ’ ପାଇଁ ସବୁକିଛି କର ଯାହା ମୁଁ କୁହେ। ଥ୍ୟାଙ୍କ୍‌ ୟୁ ମାଇ ଜାନ୍‌। ମୁଁ ଶୀଘ୍ର ଘରକୁ ଆସିବି।

ଅନ୍ୟପକ୍ଷରେ ଶିଜାନଙ୍କ ପରିବାର ତୁନିଶାଙ୍କ ମା’ଙ୍କ ବିରୋଧରେ ଅନେକ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ତୁନିଶାଙ୍କ ମା’ତାଙ୍କୁ ନିୟନ୍ତ୍ରଣ କରୁଥିଲେ, ତୁନିଶାଙ୍କଠାରୁ ଟଙ୍କା ପାଇଁ ଇଚ୍ଛା କରୁଥିଲେ। ଏପରିକି ତୁନିଶାଙ୍କ ଉପରକୁ ସେ ଥରେ ହାତ ବି ଉଠାଇଥିଲେ। ତୁନିଶାଙ୍କ ମା’ ଏହି ସବୁ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି, ତୁନିଶା ତାଙ୍କର ଏକମାତ୍ର ଝିଅ ଏବଂ ସେ ତାଙ୍କ ପିତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ସେ ସର୍ବଦା ତାଙ୍କୁ ଖୁସିରେ ରଖିବେ। ଏଥିସହ ଟଙ୍କା ନ ଦେବା ଅଭିଯୋଗରେ ତୁନିଶାଙ୍କ ମା’ କହିଛନ୍ତି, ସେ ଗତ ୩ ମାସ ମଧ୍ୟରେ ତୁନିଶାଙ୍କୁ ୩ ଲକ୍ଷ ଟଙ୍କା ଦେଇଛନ୍ତି, ଯାହା ସେ ବୋଧହୁଏ ଶିଜାନଙ୍କ ପରିବାର ପାଇଁ ଖର୍ଚ୍ଚ କରିଛନ୍ତି।

Share