ବିତର୍କ ବେଳେ ମହିଳା ସଦସ୍ୟଙ୍କୁ ମାଡ଼ ମାରିଲେ ଏମ୍‌ପି

ଟ୍ୟୁନିଶ୍‌,୫।୭: ଟ୍ୟୁନେଶିଆର ସଂସଦରେ ହିଂସାର ଏକ ମାମଲା ସାମ୍ନାକୁ ଆସିଛି। ବିତର୍କ ସମୟରେ ଜଣେ ମହିଳା ସଦସ୍ୟଙ୍କୁ ଅନ୍ୟ ଜଣେ ଏମ୍‌ପି ମାଡ଼ ମାରିଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ସଂସଦରେ ବିତର୍କ ଚାଲୁଥିବା ବେଳେ ଟ୍ୟୁନେଶିଆ ସରକାର ଓ କାତର ଫଣ୍ଡ ଫର୍‌ ଡେଭଲ୍ପମେଣ୍ଟ (କ୍ୟୁଏଫ୍‌ଏଫ୍‌ଡି) ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ଫ୍ରି ଡିଷ୍ଟୋରିଆନ ପାର୍ଟିର ନେତା ତଥା ମହିଳା ଏମ୍‌ପି ଅବୀର ମୌସି ବିରୋଧ କରିଥିଲେ। ଏହାକୁ ନେଇ ଏମ୍‌ପି ସାହବୀ ସମରା ଓ ଅବୀର ମୌସିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ଯୁକ୍ତିତର୍କ ଏତେ ବଢ଼ିଯାଇଥିଲା ଯେ, ସାହବୀ ସମରା ନିଜ ସିଟ୍‌ରୁ ଉଠି ଅବୀର ମୌସିଙ୍କ ସିଟ୍‌ ପାଖକୁ ଯାଇ ତାଙ୍କୁ ଚାପୁଡା ମାରିଥିଲେ।

ସେହି ସମୟରେ ଅନ୍ୟ ଏମ୍‌ପିମାନେ ଅବୀର ମୌସୀଙ୍କୁ ରକ୍ଷା କରିବା ସହ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ମହିଳା ଏମ୍‌ପି ଜଣଙ୍କ ସେତେବେଳେ ଫେସ୍‌ବୁକ ଲାଇଭ୍‌ କରୁଥିବା ବେଳେ ଏହି ଆକ୍ରମଣର ଦୃଶ୍ୟ ମଧ୍ୟ ଲାଇଭ୍‌ ହୋଇଥିଲା। ଏହି ଭିଡିଓକୁ ସେ ଶେୟାର କରିବା ସହ କ୍ୟାପସନ୍‌ରେ ଲେଖିଛନ୍ତି, ସାହବୀ ସମରାଙ୍କ ଏ ହେଉଛି ଅସଲି ରୂପ। ହିସାଂ ଘଟାଇବା ଓ ମହିଳାଙ୍କ ଅପମାନ କରିବା ହେଉଛି ତାଙ୍କ ପ୍ରକୃତି। ତେବେ ଏହି ଭିଡିଓଟି ଜୁଲାଇ ୧ର ବୋଲି କୁହାଯାଉଥିବା ବେଳେ ଏବେ ଭାଇରାଲ ହେବାରେ ଲାଗିଛି। ଅନ୍ୟପଟେ ଏହି ଘଟଣାକୁ ନେଇ ଟ୍ୟୁନେଶିଆ ରାଷ୍ଟ୍ରପତି ପ୍ରତିକ୍ରିୟା ଦେଇଛନ୍ତି। ଏହି ମାମଲାରେ ସେ ଅବୀରଙ୍କୁ ଦାୟୀ କରିଛନ୍ତି।

Share