ନୂଆଦିଲ୍ଲୀ,୩ା୯: ଦିଲ୍ଲୀ ବିଧାନସଭାରେ ଗୁରୁବାର ଏକ ସୁଡ଼ଙ୍ଗର ସନ୍ଧାନ ମିଳିଛି। ଦିଲ୍ଲୀ ବିଧାନସଭା ଅଧ୍ୟକ୍ଷ ତଥା ବାଚସ୍ପତି ରାମ ନିବାସ ଗୋଏଲ କହିଛନ୍ତି, ଏହି ସୁଡ଼ଙ୍ଗ ବିଧାନସଭା ତଳୁ ଲାଲ୍କିଲ୍ଲା ପର୍ଯ୍ୟନ୍ତ ଯାଇଛି। ବ୍ରିଟିଶମାନେ ସ୍ବାଧୀନତା ସଂଗ୍ରାମୀଙ୍କ ଆନ୍ଦୋଳନ ସମୟରେ ଲୋକଙ୍କ କ୍ରୋଧରୁ ରକ୍ଷା ପାଇବା ପାଇଁ ଏହାକୁ ବ୍ୟବହାର କରୁଥିଲେ ବୋଲି କୁହାଯାଉଛି।
ବାଚସ୍ପତି କହିଛନ୍ତି, ଯେତେବେଳେ ମୁଁ ୧୯୯୩ରେ ବିଧାୟକ ହୋଇଥିଲି, ସେତେବେଳେ ଲାଲ୍କିଲ୍ଲାକୁ ଯାଇଥିବା ଏକ ସୁଡ଼ଙ୍ଗ ଗୁଜବ ଉଠିଥିଲା। ମୁଁ ଏହାର ଇତିହାସ ଜାଣିବାକୁ ଚାହିଁଥିଲି। ମାତ୍ର ଏହା ଉପରେ କୌଣସି ସ୍ପଷ୍ଟତା ମିଳି ନ ଥିଲା। କିନ୍ତୁ ଏବେ ଆମକୁ ସୁଡ଼ଙ୍ଗର ଦ୍ୱାର ମିଳିଯାଇଛି। କିନ୍ତୁ ମେଟ୍ରୋ ପ୍ରକଳ୍ପ ଏବଂ ସ୍ବେରେଜ ଯୋଗୁ ସମସ୍ତ ସୁଡ଼ଙ୍ଗ ରାସ୍ତା ନଷ୍ଟ ହୋଇଯାଇଥିବାରୁ ଏହାକୁ ଖୋଳି ନ ଥିଲୁ। ଯେତେବେଳେ ରାଜଧାନୀ କୋଲକାତାଠାରୁ ଦିଲ୍ଲୀକୁ ସ୍ଥାନାନ୍ତର ହେଲା ସେତେବେଳେ ୧୯୧୨ ମସିହାରେ ଦିଲ୍ଲୀ ବିଧାନସଭା ଗୃହ ନିର୍ମାଣ କରୁଥିବା ଏହି କୋଠା କେନ୍ଦ୍ରୀୟ ବିଧାନସଭା ଭାବରେ ବ୍ୟବହୃତ ହୋଇଥିଲା। ପରେ ଏହାକୁ ୧୯୨୬ ମସିହାରେ ଏକ କୋର୍ଟର ରୂପାନ୍ତରିତ କରାଯାଇଥିଲା। ଏହି ସୁଡ଼ଙ୍ଗରେ ବ୍ରିଟିଶମାନେ ସ୍ବାଧୀନତା ସଂଗ୍ରାମୀଙ୍କୁ କୋର୍ଟକୁ ଆଣିବା ପାଇଁ ବ୍ୟବହାର କରୁଥିଲେ। ବାଚସ୍ପତି ଆହୁରି କହିଛନ୍ତି, ଏହାର ଅସ୍ତିତ୍ୱ ବିଷୟରେ ମୁଁ ଜାଣିଥିଲି କିନ୍ତୁ କେବେ ଏହାକୁ ଖୋଲି ନ ଥିଲି। ସ୍ବାଧୀନତାର ୭୫ ବର୍ଷ ପରେ ଏହି କୋଠରିକୁ ଯାଞ୍ଚ କରିବାକୁ ଯାଇଥିଲି। ସେ କହିଛନ୍ତି, ସ୍ବାଧୀନତା ସଂଗ୍ରାମୀ ଦୃଷ୍ଟିରୁ ବହୁତ ସମୃଦ୍ଧ ଇତିହାସ ରହିଛି। ଏହାକୁ ଏବେ ଆମେ ନବୀକରଣ କରିବାକୁ ଇଚ୍ଛା ପ୍ରକାଶ କରିଛୁ। ଯେପରି ପର୍ଯ୍ୟଟକ ଏବଂ ଆଗନ୍ତୁକମାନେ ଆମର ଇତିହାସର ପ୍ରତିଫଳନ କରିପାରିବେ।