ପୁଣି ଅଶାନ୍ତ ରୁଷିଆ-ୟୁକ୍ରେନ୍‌ ସୀମା, ୨୪ ଘଣ୍ଟାରେ ୬୬ ଥର ଅସ୍ତ୍ରବିରତି ଉଲ୍ଲଂଘନ…

ମସ୍କୋ/କ୍ୱିଭ୍‌,୧୯।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଶଙ୍କା ପୁଣି ଥରେ ଘନେଇବାରେ ଲାଗିଛି। ଗୋଟିଏ ପଟେ ଉଭୟ ଦେଶର ନେତାମାନେ ଶାନ୍ତି ପାଇଁ କଥାବାର୍ତ୍ତା କରୁଛନ୍ତି। ଅପରପକ୍ଷରେ, ରୁଷିଆର ସମର୍ଥକ ବିଦ୍ରୋହୀ ଗୋଷ୍ଠୀ ୟୁକ୍ରେନରେ ବିସ୍ଫୋରଣ ଆରମ୍ଭ କରିଛନ୍ତି। ୟୁକ୍ରେନ ସୈନ୍ୟ ବାହିନୀ ଅଭିଯୋଗ କରିଛନ୍ତି ଯେ ପୂର୍ବ ୟୁକ୍ରେନରେ ବିଦ୍ରୋହୀମାନଙ୍କ ଦ୍ୱାରା ଅଧିକୃତ ହୋଇଥିବା ସହରର ଉତ୍ତର ଅଞ୍ଚଳରେ ଏକାଧିକ ବିସ୍ଫୋରଣ ଘଟିଛି।

ଗତ ୨୪ ଘଣ୍ଟା ମଧ୍ୟରେ ରୁଷିଆ-ୟୁକ୍ରେନ୍‌ ସୀମାରେ ୬୬ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ସେହିପରି ଶନିବାର ପୂର୍ବ ୟୁକ୍ରେନରେ ରୁଷିଆର ସମର୍ଥକ ବିଦ୍ରୋହୀଙ୍କ ଦ୍ୱାରା ୧୨ଥର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ୟୁକ୍ରେନ୍‌ ସୈନ୍ୟବାହିନୀ କହିଛି। ୟୁକ୍ରେନର ଡୋନେଟସ୍କ ଅଞ୍ଚଳରେ ରୁଷିଆର ସମର୍ଥକ ବିଦ୍ରୋହୀ ସରକାରର ମୁଖ୍ୟ ଡେନିସ ପୁଶିଲିନ ଏକ ବିବୃତ୍ତି ଜାରି କରିଛନ୍ତି। ସେ ବିଦ୍ରୋହୀମାନଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୟୁକ୍ରେନର ସୈନ୍ୟ ବାହିନୀ ନିଜ ଫେସବୁକ ପେଜରେ କହିଛି ଯେ ବିଦ୍ରୋହୀମାନେ ୨୦ରୁ ଅଧିକ ବସ୍ତିରେ ଗୁଳି ଚଳାଇବା ସହିତ ରକେଟ ମାଡ଼ କରିଛନ୍ତି।

ପୂର୍ବ ୟୁକ୍ରେନର ଏକ ଗ୍ୟାସ ପାଇପଲାଇନ ଉପରେ ଆକ୍ରମଣ ପରେ ଏହା ର ନିଆଁକୁ ଆୟତ୍ତ କରାଯାଇଛି। ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ପୂର୍ବ ୟୁକ୍ରେନରେ କାର ବିସ୍ଫୋରଣ ପରେ ଲୋକମାନେ ଭୟଭୀତ ହେବାରେ ଲାଗିଛନ୍ତି। ସୋସିଆଲ ମିଡ଼ିଆରେ ଏକ ଜଳୁଥିବା କାରର ଫଟୋ ଅପ୍‌ଲୋଡ କରାଯାଇଛି।

Share