ତୁର୍କି କୋଇଲା ଖଣିରେ ବିସ୍ଫୋରଣ, ୧୪ ମୃତ ୨୮ରୁ ଅଧିକ ଆହତ, ଫସି ରହିଛନ୍ତି ୫୦, ଯାତ୍ରା ରଦ୍ଦ କଲେ ରାଷ୍ଟ୍ରପତି

ଅଂକାରା,୧୫ ।୧୦: ତୁର୍କିର ଏକ କୋଇଲା ଖଣିରେ ହୋଇଥିବା ବିସ୍ଫୋରଣରେ ଅତିକମରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ବିସ୍ଫୋରଣରେ ୨୮ରୁ ଅଧିକ ଆହତ ହୋଇଛନ୍ତି । ଦେଶର ଗୃହ ମନ୍ତ୍ରୀ ସୁଲେମାନ ସୋୟଲୁ ସୂଚନା ଦେଇ କହିଛନ୍ତି ଏବେବି ୫୦ଜଣ ଖଣି ମଧ୍ୟରେ ଫସି ରହିଛନ୍ତି । ସେମାନଙ୍କୁ ବାହାରକୁ ବାହାର କରିବାର ପ୍ରକ୍ରିୟା ଜାରି ରହିଛି । ଏମାନେ ଅତି ବିପଦପୂର୍ଣ୍ଣ ସ୍ଥାନରେ ଫସି ରହିଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ, ଏହି ବିସ୍ଫୋରଣ ବ୍ଲାକ ସି ଉପକୂଳରେ ବାର୍ଟିନର ଅମାସର ସହରରେ ସରକାରୀ ଟିଟିକେ ଅମାସରା ମୁସେସେ ମୃଦୁର୍ଲୁଗୁ ଖଣିରେ ହୋଇଛି । ଶକ୍ତି ମନ୍ତ୍ରୀ ଫାତିଜ ଡୋନମେଜ କହିଛନ୍ତି ବିସ୍ଫୋରଣ ସମ୍ଭବତଃ କୋଇଲା ଖଣିରେ ମିଳୁଥିବା ଜ୍ୱଳନଶୀଳ ଗ୍ୟାସ କାରଣରୁ ହୋଇଥାଇପାରେ ।
ଗୃହମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ବିସ୍ଫୋରଣ ସମୟରେ ଖଣିରେ ପ୍ରାୟ ୧୧୦ ଜଣ କାମ କରୁଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ବାହାରକୁ ଚାଲିଆସିବାରେ ସକ୍ଷମ ହୋଇଥିଲା ବେଳେ ଏବେବି ୫୦ ଜଣ ଖଣି ଭିତରେ ଫସି ରହିଥିବା ଜଣାପଡିଛି । ଏହି ଘଟଣା ପରେ ରାଷ୍ଟ୍ରପତି ରେସେପ ତଇପ ଏର୍ଦେଗନ ଦକ୍ଷିଣ-ପୂର୍ବ ତୁର୍କି ଗସ୍ତକୁ ରଦ୍ଦ କରି ଅମାସରା ଗସ୍ତ କରିବେ ବୋଲି ଜଣାପଡିଛି ।

Share