ପାକିସ୍ତାନର ବନ୍ଧୁ କୁହାଯାଉଥିବା ତୁର୍କୀ ଦେଖାଇଲା ତା’ର ଅସଲ ରୂପ

ଅଙ୍କାରା,୩୧।୮: ପାକିସ୍ତାନ ସହ ବନ୍ଧୁତ୍ୱର ସମ୍ପର୍କ ଦେଖାଉଥିବା ତୁର୍କୀର ଅସଲ ଚେହେରା ଏବେ ପଦାକୁ ଆସିଛି। ଘଟଣା ହେଲା ତୁର୍କୀ ଏବେ ପାଖାପାଖି ୫୧ ଜଣ ପାକିସ୍ତାନୀ ନାଗରିକଙ୍କୁ ଦେଶରୁ ବାହାର କରିଦେଇଛି। ପାକିସ୍ତାନୀ ଗଣମାଧ୍ୟମର ସୂଚନାରୁ ଜଣାପଡିଛି କି ଏମାନେ ସେଠାରେ କୌଣସି ଅବୈଧ କାର୍ଯ୍ୟରେ ଲିପ୍ତ ଥିବାରୁ ତୁର୍କୀ ଏଭଳି ପଦକ୍ଷେପ ନେଇଛି। ତୁର୍କୀ ଏମାନଙ୍କୁ ଏକ ବିଶେଷ ବିମାନରେ ଇସ୍‌ଲାମାବାଦ ପଠାଇ ଦେଇଥିବା ସୂଚନା ରହିଛି। ଏକ ରିପୋର୍ଟରେ କୁହାଯାଇଛି କି ତୁର୍କୀର ସନ୍ଧିଗ୍ଧ ଯାଞ୍ଚ ଏଜେନ୍ସି ଆଣ୍ଟି ହ୍ୟୁମାନ ଟ୍ରାଫିକିଂ ଆଣ୍ଡ ସ୍ମଗଲିଂ ସେଲ୍‌କୁ ୩୩ ଜଣଙ୍କୁ ହସ୍ତାନ୍ତର କରିଛି। ଆଉ ଅବଶିଷ୍ଟଙ୍କୁ ପୂର୍ବରୁ ଅଟକ ରଖାଯାଇଛି। ଏମାନଙ୍କୁ ନେଇ ତୁର୍କୀର ଅଧିକାରୀ ସ୍ଥାନୀୟ ପାକିସ୍ତାନ ଦୂତାବାସ ସହ ସମ୍ପର୍କ କରିବା ପରେ ଏମାନଙ୍କ ନାଗରିକତା ସମ୍ପର୍କରେ ସୂଚନା ମିଳିଥିଲା। ଏହାପରେ ସେମାନଙ୍କୁ ସ୍ବତନ୍ତ୍ର ବିମାନ ଦ୍ୱାରା ପାକିସ୍ତାନ ପଠାଇ ଦିଆଯାଇଥିଲା। ସୂଚନାଯୋଗ୍ୟ, ଚଳିତବର୍ଷ ଫେବୃୟାରୀରେ ବି ତୁର୍କୀ ୧୧୦ ଜଣ ପାକିସ୍ତାନୀ ନାଗରିକଙ୍କୁ ଫେରାଇ ଦେଇଥିଲା। ଏମାନଙ୍କ ଉପରେ ବେଆଇନ ଭାବେ ତୁର୍କୀରେ ପ୍ରବେଶ କରିବା, ନିଶା କାରବାର କରିବା ଆଦି ଅଭିଯୋଗ ଆସିଥିଲା।

Share