ତୁର୍କୀ ଭୂକମ୍ପ: ମନରେ କୋହ-ଆଖିରେ ଲୁହ, ମାଟି ତଳେ ଜୀବନ ସନ୍ଧାନ ଜାରି…

ଇସ୍ତାନବୁଲ,୭।୨ : ତୁର୍କୀ ଭୂକମ୍ପର ଛତିଥରା ଦୃଶ୍ୟ ସଭିଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ପ୍ରିୟ ପରିଜନଙ୍କୁ ହରାଇଥିବା ଲୋକଙ୍କ ମନରେ କୋହ ଏବଂ ଆଖିରେ ଲୁହ ଭରି ରହିଛି। ପ୍ରବଳ ଥଣ୍ଡାରେ ଶହ ଶହ ଲୋକ ମାଟି ତଳେ ଦବି ରହିଛନ୍ତି। ମାଟି ତଳେ ସମ୍ଭାବ୍ୟ ଜୀବନ ସନ୍ଧାନରେ ଉଦ୍ଧାରକାରୀ ଦଳ ଏବଂ ସ୍ଥାନୀୟ ଲୋକେ ଭଙ୍ଗାରୁଜା ଘରର ଇଟା ପଥର ହଟାଉଛନ୍ତି। ତୁର୍କୀରେ ଭୂକମ୍ପର କାହାଣୀ ସମଗ୍ର ବିଶ୍ୱର ମାନବ ସମାଜକୁ ବ୍ୟଥିତ କରିଛି। ତୁର୍କୀରେ ଅନେକ ଭୂକମ୍ପ ଗୋଟିଏ ପରେ ଗୋଟିଏ ବଡ଼ ଧରଣର ବିନାଶ ଘଟାଇଛି।

ଚାରିଆଡେ କେବଳ ଲୋକଙ୍କ ଚିତ୍କାର ଏବଂ ଯନ୍ତ୍ରଣା ଭରି ରହିଛି। । ଆଖି କୁଆଡେ ଯାଉଛି, କେବଳ ଧ୍ୱଂସସ୍ତପର ଦୃଶ୍ୟ ଦେଖାଯାଉଛି। ଏହି ବିରାଟ ବିନାଶରେ ଲକ୍ଷ ଲକ୍ଷ ଲୋକ ବାସହରା ହୋଇଯାଇଛନ୍ତି। ଥଣ୍ଡା ବର୍ଷା ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ବଢ଼ାଇ ଦେଇଛି। ଲୋକମାନେ ଆଶ୍ରୟ ନେବାକୁ ମଧ୍ୟ ବହୁ ସଂଘର୍ଷ କରୁଛନ୍ତି। ଏହି ଭୂକମ୍ପରେ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

ଭୂକମ୍ପ ଯୋଗୁଁ ତୁର୍କୀର ୧୦ ଟି ପ୍ରଦେଶରେ ପ୍ରାୟ ୩୫୦୦ କୋଠା ନଷ୍ଟ ହୋଇଯାଇଛି। ଆକଳନ ଅନୁଯାୟୀ ଏପର୍ଯ୍ୟନ୍ତ ଚାରି ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ବହୁ ସଂଖ୍ୟକ ଲୋକ ମଧ୍ୟ ନିଖୋଜ ଅଛନ୍ତି। ତେଣୁମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି।

Share