ଅଙ୍କାରା,୬ ।୨: ତୁର୍କିର ନୁର୍ଦଗିଠାରୁ ୨୩ କିଲୋମିଟର ପୂର୍ବରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୮ ବୋଲି ମପା ଯାଇଛି । ଏହି ଭୂକମ୍ପ ଦକ୍ଷିଣ ତୁର୍କିରେ ଆସିଛି । ବିଏନଓ ନ୍ୟୁଜର ସୂଚନା ଅନୁଯାୟୀ, ଭୂକମ୍ପ ଫଳରେ ଅନେକ ଆପାର୍ଟମେଣ୍ଟ ଓ ବଡ ବଡ କୋଠା ଭୂଷୁଡି ଯାଇଛି ।ଏହି ଭୂକମ୍ପରେ ବହୁ ପରିମାଣର କ୍ଷୟକ୍ଷତି ହୋଇଥିବା କୁହାଯାଉଥିବା ବେଳେ ଅଫିସିୟାଲି କିନ୍ତୁ ଏହାର କୌଣସି ଘୋଷଣା କରାଯାଇନାହିଁ ।
ଭୂକମ୍ପ ସ୍ଥାନୀୟ ସମୟ ସକାଳ ୪ଟା ୧୭ରେ ପ୍ରାୟ ୧୭.୯ କିଲୋମିଟର ଗଭିରତାରେ ହୋଇଛି । ୟୁଏସ ଜିଓଲଜିକାଲ ସର୍ଭିସ କହିଛି, ସୋମବାର ଦକ୍ଷିଣ ତୁର୍କିରେ ଗାଜିୟାଂଟେପ ନିକଟରେ ୭.୮ ତୀବ୍ରତାର ଭୂକମ୍ପ ଅନୁଭୁତ ହୋଇଛି । ଏହାଦ୍ୱାରା ତୁର୍କି ଓ ସିରିଆରେ ବଡ ଧରଣର କ୍ଷୟକ୍ଷତି ହୋଇଛି ।
ବିଏନଓ ନ୍ୟୁଜର ସୂଚନା ଅନୁଯାୟୀ, ତୁର୍କିର ଆଭ୍ୟନ୍ତରିଣ ମନ୍ତ୍ରଣାଳୟ କହିଛି, ଶକ୍ତିଶାଳୀ ଭୂକମ୍ପ ପରେ ହାଇ ଆଲର୍ଟ ଜାରି କରାଯାଇଛି । ସୋସିଆଲ ମିଡିଆରେ ଏହାର ଅନେକ ଭିଡିଓ ଦେଖିବାକୁ ମିଳିଛି । ଏହି ଭିଡିଓରେ ଭୂକମ୍ପରେ ହେଉଥିବା କ୍ଷୟକ୍ଷତି ଦେଖିବାକୁ ମିଳିଛି ।