ନ୍ୟୁୟର୍କ,୧୨।୨: ତୁର୍କୀ ଓ ସିରିଆ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ଥମିବାର ନାଁ ନେଉନାହିଁ। ରବିବାର ମୃତ୍ୟୁ ସଂଖ୍ୟା ୩୩,୦୦୦ ଛୁଇଁଛି। ମୃତ୍ୟୁସଂଖ୍ୟା ୫୦ ହଜାର ଟପିବା ନେଇ ଜାତିସଂଘ ଆଶଙ୍କା ବ୍ୟକ୍ତ କରିଛି। ଭୂକମ୍ପ ମୃତ୍ୟୁସଂଖ୍ୟା ୫୦ ହଜାରରୁ ଯଥେଷ୍ଟ ଅଧିକ ହେବ ବୋଲି ତୁର୍କୀ ଗସ୍ତରେ ଥିବା ଜାତିସଂଘ ରିଲିଫ ମୁଖ୍ୟ ମାର୍ଟିନ ଗ୍ରିଫିଥ୍ସ କହିଛନ୍ତି। ୟୁକ୍ରେନରେ ଯୁଦ୍ଧ ଆରମ୍ଭ ବେଳେ ବହୁସଂଖ୍ୟାରେ ଲୋକେ ତୁର୍କୀର ଦକ୍ଷିଣପୂର୍ବରେ ଅବସ୍ଥିତ ଆଣ୍ଟାକ୍ୟା ସହରକୁ ଚାଲିଯାଇଥିଲେ। ସେମାନେ ଗୋଟିଏ ବିପର୍ଯ୍ୟୟରୁ ବର୍ତ୍ତିଥିବାବେଳେ ଏବେ ଭୂକମ୍ପରେ ସେମାନଙ୍କ ନୂଆ ଆଶ୍ରୟସ୍ଥଳ ଧ୍ୱଂସ ସ୍ତୂପରେ ପରିଣତ ହୋଇଛି। ସେହିପରି ସିରିଆରେ ଗୃହଯୁଦ୍ଧ ଯୋଗୁ ୨୦୧୧ରୁ ଅନୂ୍ୟନ ୩୬ ଲକ୍ଷ ଲୋକ ନିଜ ଭିଟାମାଟି ଛାଡ଼ି ତୁର୍କୀ ପଳାଇଆସିଥିଲେ। ଭୂକମ୍ପ ସେମାନଙ୍କ ଉପରେ ଦାଉ ସାଧିଛି। ଜାତିସଂଘ ସୂଚନା ଅନୁଯାୟୀ ନିଜ ଦେଶରେ ବିବାଦ ଓ ଅସୁବିଧାରୁ ବର୍ତ୍ତିବା ପାଇଁ ୩ ଲକ୍ଷରୁ ଊର୍ଦ୍ଧ୍ୱ ତୁର୍କୀକୁ ପଳାଇଆସିଥିଲେ। ସେମାନଙ୍କ ପାଇଁ ଭୂକମ୍ପ ଦୁଃଖ ଦେଇଛି।
ସୂଚନାଯୋଗ୍ୟ, ତୁର୍କୀ ଓ ସିରିଆରେଭଗ୍ନାବଶେଷ ତଳେ ରହିଯାଇଥିବା ଲୋକଙ୍କୁ ଖୋଜି ବାହାର କରିବା ପାଇଁ ଉଦ୍ଧାରକାରୀମାନେ ଖୋଳିବା ଅବ୍ୟାହତ ରଖିଛନ୍ତି। ପ୍ରତିଦିନ କେତେଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଉଥିବାବେଳେ ଆହୁରି ଅନେକ ଭଗ୍ନାବଶେଷ ତଳେ ରହିଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି।