ଯୁଦ୍ଧ ମଧ୍ୟରେ ତୁର୍କୀ ଗସ୍ତ କରିବେ ପୁଟିନ! ଏର୍ଦୋଗନ କହିଲେ ତାରିଖ ସ୍ଥିର ହୋଇନି, ଆଶା କରାଯାଉଛି ଚଳିତ ମାସରେ ଆସିବେ

ଇସ୍ତାନବୁଲ,୫।୮: ତୁର୍କୀ ଗସ୍ତ କରିପାରନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ। ପୁଟିନଙ୍କ ଏହି ଗସ୍ତକୁ ନେଇ ରାଷ୍ଟ୍ରପତି ରେସେପ ତୈୟପ ଏର୍ଦୋଗନ କହିଛନ୍ତି ଏବେ ପର୍ଯ୍ୟନ୍ତ ପୁଟିନଙ୍କ ଗସ୍ତକୁ ନେଇ କୌଣସି ତାରିଖ ସ୍ଥିର କରାଯାଇ ନାହିଁ, ହେଲେ ଏହାକୁ ନେଇ କଥାବାର୍ତ୍ତା ଚାଲିଛି ଓ ସେ ଅଗଷ୍ଟରେ ହିଁ ଆସିପାରନ୍ତି।
ତୁର୍କୀର ସରକାରୀ ନ୍ୟୁଜ ଏଜେନ୍ସି ଆନାଡୋଲୁ ଅଜାଂସି (ଏଏ) ଏହି ସୂଚନା ଦେଇଛି। ଇସ୍ତାନବୁଲରେ ଶୁକ୍ରବାର ପ୍ରାର୍ଥନା ପରେ ଏର୍ଦୋଗନ ଗଣମାଧ୍ୟମକୁ କହିଛନ୍ତି ଯେ ତାରିଖ ସ୍ପଷ୍ଟ ହୋଇନାହିଁ, କିନ୍ତୁ ବୈଦେଶିକ ମନ୍ତ୍ରୀ, ଗୁପ୍ତଚର ସଂଗଠନର ମୁଖ୍ୟ, ସେମାନେ ସମସ୍ତେ ପୁଟିନଙ୍କ ଗସ୍ତକୁ ନେଇ ଆଲୋଚନା କରୁଛନ୍ତି।
ଏର୍ଦୋଗନ କହିଛନ୍ତି, ଏହି କଥାବାର୍ତ୍ତାର ରୂପରେଖା ଭିତରେ ମୁଁ ଭାବୁଛି ଆଶା ଅନୁଯାୟୀ ଅଗଷ୍ଟରେ ଏହି ଗସ୍ତ ହେବ। ନ୍ୟୁଜ ଏଜେନ୍ସି ଏଏ ଅନୁଯାୟୀ ବୁଧବାର ପୁଟିନଙ୍କ ସହ ଫୋନ କଲ ପରେ ଏର୍ଦୋଗନଙ୍କ ବିବୃତ୍ତି ଆସିଛି। ଆଲୋଚନା ସମୟରେ ସେମାନେ ସହମତ ହୋଇଥିଲେ ଯେ ପୁଟିନ ଆଗାମୀ ଦିନରେ ତୁର୍କୀ ଗସ୍ତ କରିବେ। କୃଷ୍ଣ ସାଗରର ଶସ୍ୟ କାରବାରକୁ ପୁନଃ ଆରମ୍ଭ କରିବା ପାଇଁ ତୁର୍କୀ ନିଜର ପ୍ରଚେଷ୍ଟା ଏବଂ କୂଟନୈତିକ କାର୍ଯ୍ୟ ଜାରି ରଖିବ ବୋଲି ଏର୍ଦୋଗନ ପୁଟିନଙ୍କୁ ମଧ୍ୟ କହିଛନ୍ତି।

Share