ରାଜଧାନୀରେ ଚାଞ୍ଚଲ୍ୟ; ଅଳିଆ ଗଦାରୁ ମିଳିଲା କଟା ହାତ, ଗୋଡ଼

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରୁ ଗୁରୁବାର କଟା ହାତ, ଗୋଡ଼ ଜବତ ହୋଇଛି। ଏହା କାହାର, ଏଠାକୁ କିପରି ଆସିଲା ତାହା ଏଯାଏ ଅସ୍ପଷ୍ଟ ରହିଛି। ତେବେ ଏହା ବହୁତ ଦିନର ହୋଇଥିବା ନେଇ ପୋଲିସ ଅନୁମାନ କରିଛି।

ସୂଚନାଯୋଗ୍ୟ, ଉକ୍ତ ଥାନା ଅଞ୍ଚଳର ହାଉସିଂ କର୍ପୋରେଶନ କଲୋନୀ(ରାମ ମନ୍ଦିର ପଛପଟ) ରାସ୍ତାକଡ଼ ଅଳିଆ ଗଦାରେ ଏହି କଟା ହାତ ଗୋଡ଼ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ। ପରେ ପୋଲିସ ପହଞ୍ଚି ତଦନ୍ତ ଚଳାଇବା ସହ ନିକଟରୁ ହୃତପିଣ୍ଡ ଓ ନବଜାତ ଶିଶୁ ଆକୃତିର ଏକ ପିଣ୍ଡୁଳା ମଧ୍ୟ ଜବତ କରିଥିଲା। ଘଟଣାଟି ବହୁତ ଦିନର ହୋଇଥିବା ଅନୁମାନ କରାଯାଉଥିଲେ ମଧ୍ୟ ଏଥିରୁ କୌଣସି ଦୁର୍ଗନ୍ଧ ବାହାରୁନାହିଁ। ନିକଟରେ ଏକ ମେଡିକାଲ୍‌ ଥିବାରୁ କେହି ଏଠାରେ ଫୋପାଡ଼ି ଦେଇପାରିଥାନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ଏହି ଅଙ୍ଗ ଗୁଡ଼ିକୁ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ତଦନ୍ତ ପରେ ଏ ନେଇ ସ୍ପଷ୍ଟ ସୂଚନା ମିଳିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି।

Share