କେନ୍ଦ୍ରାପଡ଼ା ଅଫିସ/ଯାଜପୁର ଅଫିସ/ବରଗଡ଼ ଅଫିସ୍, ୨୭ା୪: ଓଡ଼ିଶା ଦିବସ ପାଳନ ଅବସରରେ ରାଜ୍ୟ ସରକାର ୪୩ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ଯୋଜନା ମାଧ୍ୟମରେ ୮୭୭ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସୋମବାର ୩୫ ଲକ୍ଷ ଚାଷୀଙ୍କୁ ୪୪୧.୭୬ କୋଟି ଟଙ୍କାର ସୁଧ ରିହାତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ କୃଷକ କଲ୍ୟାଣକାରୀ ଯୋଜନା, ଓଡ଼ିଶା ପଣସ ମିଶନ, ଓଡ଼ିଶା ମିଲେଟ ମିଶନ ଆଦିରେ ଅର୍ଥ ବ୍ୟୟ ବରାଦ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଭାଗଚାଷୀଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ। ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ଦୃଢ଼ ମନୋଭାବରେ ଚାଷ କାର୍ଯ୍ୟକୁ ଆଗେଇ ନେଉଥିବା ଏହି ଶ୍ରେଣୀର ଚାଷୀ ଚଳିତବର୍ଷର ଚାଷ ପାଇଁ ବିମୁଖ ହେଉଛନ୍ତି।
କେନ୍ଦ୍ରାପଡ଼ା ବ୍ଲକ କଂସାର ଗ୍ରାମର ଭାଗଚାଷୀ ନିରଞ୍ଜନ ପରିଡ଼ା କହିଛନ୍ତି, ତାଙ୍କର ନିଜର ଜମି ନାହିଁ। ୬ ଜଣିଆ ପରିବାର ପୋଷିବା ପାଇଁ ୫ ଏକର ଜମି ଭାଗରେ ନେଇ ଚାଷ କରୁଛନ୍ତି। ଏଥିପାଇଁ ଧାନ ଫସଲରୁ ଅଧା ଓ ରବି ଫସଲରୁ ଦୁଇ ପଞ୍ଚମାଂଶ ଜମିମାଲିକଙ୍କୁ ଦେବାକୁ ପଡ଼ୁଛି। ହେଲେ ରୋଗପୋକ ଓ ପ୍ରାକୃତିକ ବିପର୍ଯ୍ୟୟ ଦାଉ ସାଧୁଥିବାବେଳେ ଅମଳ ପରେ ତାଙ୍କ ଭାଗକୁ ଆସୁଥିବା ଧାନ ସରକାରୀ ମଣ୍ଡିରେ ବିକ୍ରି କରିବା ସମ୍ଭବ ହେଉନାହିଁ। ତେଣୁ ସେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ନିଜ ନାମରେ ଜମି ନ ଥିବାରୁ ବ୍ୟାଙ୍କ ଋଣ ଦେଉନାହଁି। ଅଧିକ ସୁଧରେ ମହାଜନଙ୍କଠାରୁ ଋଣ ଆଣି ତାହାକୁ ଶୁଝିବା ପରେ ଯେତିକି ପାରିଶ୍ରମିକ ମିଳୁଛି, ସେଥିରେ ପରିବାର ଗୁଜରାଣ ମେଣ୍ଟାଇବା କଷ୍ଟକର ହେଉଥିବା ପରିଡ଼ା କହିଛନ୍ତି।
ବରଗଡ଼ ଜିଲା ବରଗଡ଼ ବ୍ଲକ କଲାପାଣି ଗ୍ରାମର ଭାଗଚାଷୀ ସୁରେଶ ନେକାଣ୍ଟି କହିଛନ୍ତି, ସେ ୧୦ଏକର ଜମି ଭାଗଚାଷ କରୁଛନ୍ତି। ହେଲେ ଭାଗଚାଷୀଙ୍କ ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା ରହିଥିବା ସେ ଏପର୍ଯ୍ୟନ୍ତ ଜାଣିନାହାନ୍ତି। ଧାନ ବିକିବା ବେଳେ ଜମି ମାଲିକଙ୍କ ଚାଷୀ ପରିଚୟ ପତ୍ରରେ ଧାନ ବିକୁଛନ୍ତି। ଜମି ମାଲିକଙ୍କ ଆକାଉଣ୍ଟରେ ବିକ୍ରିଧାନର ପ୍ରାପ୍ୟ ଜମା ହେଉଛି। ସେହିପରି ଫସଲକ୍ଷତି ହେଲେ ଯଦି ସରକାର କ୍ଷତିପୂରଣ କିମ୍ବା ବୀମାରାଶି ପ୍ରଦାନ କରୁଛନ୍ତି, ତାହା ମଧ୍ୟ ଜମି ମାଲିକଙ୍କ ପାଖକୁ ଯାଉଛି ବୋଲି ନେକାଣ୍ଟି କହିଛନ୍ତି। ଚାଷୀନେତା ରମେଶ ମହାପାତ୍ର କହିଛନ୍ତି, ଭାଗଚାଷୀଙ୍କ ପାଇଁ ରାଜ୍ୟ ସରକାର ବଳରାମ ଯୋଜନା କରିଛନ୍ତି। ଏହି ଯୋଜନା ଅନୁସାରେ ସେମାନେ କୃଷିଋଣ ପାଇପାରିବେ। ହେଲେ ଏହି ଯୋଜନାରେ କେହି ଚାଷୀ ଉପକୃତ ହେବା ଭଳି ଦୃଷ୍ଟାନ୍ତ ବରଗଡ଼ ଜିଲାରେ ନାହିଁ। ଭାଗଚାଷୀମାନେ ଋଣ, ଧାନ, ବିହନ, କୃଷି ଯନ୍ତ୍ରପାତି କିଣିବାରେ ରିହାତି ତଥା ଫସଲକ୍ଷତି ବେଳେ କ୍ଷତିପୂରଣ ପାଇବାକୁ ସ୍ବତନ୍ତ୍ର ବ୍ୟବସ୍ଥା ନ ଥିବା ମହାପାତ୍ର କହିଛନ୍ତି।
ଯାଜପୁର ଜିଲା କୋରେଇ ବ୍ଲକ ହଳଦିଗଡ଼ିଆ ପଞ୍ଚାୟତ ସାଳକଣା ଗ୍ରାମର ଭାଗଚାଷୀ ଭରତ ନାୟକ ୨୦ ବର୍ଷ ହେଲା ଅନ୍ୟ ଲୋକଙ୍କ ଜମିରେ ଚାଷକରି ଆସୁଛନ୍ତି। ତାଙ୍କ କହିବାନୁଯାୟୀ ସେ ପ୍ରାୟ ୧ ଏକର ଜମିରେ ଚାଷ କରିଥାନ୍ତି। ସାର, ଧାନ ଆଦି ବାବଦକୁ ଖର୍ଚ୍ଚ କରିବା ପରେ ପ୍ରାୟ ୧୭ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥାଏ। ସେଥିରୁ ପ୍ରାୟ ୫ କୁଇଣ୍ଟାଲ ଧାନ ମାଲିକଙ୍କୁ ଦେଇଥାନ୍ତି। ସରକାର ଧାର୍ଯ୍ୟ କରିଥିବା ମୂଲ୍ୟଠାରୁ ବହୁତ କମ୍ ଅର୍ଥାତ୍ କୁଇଣ୍ଟାଲ ପିଛା ୧୨୦୦ରୁ ୧୩୦୦ ଟଙ୍କାରେ ମଧ୍ୟସ୍ଥଙ୍କ ହାତରେ ଧାନ ବିକ୍ରି କରନ୍ତି। ତାଙ୍କୁ ଟୋକନ ମିଳେ ନାହିଁ। ଫଳରେ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)ରେ ଧାନ ବିକ୍ରି କରିବା ସମ୍ଭବପର ନୁହେଁ। ଯେଉଁ ବର୍ଷ ମରୁଡି କିମ୍ବା ବନ୍ୟା, ବାତ୍ୟା ହୁଏ, ସେହି ବର୍ଷ ପରିବାର ଚଳାଇବା କଷ୍ଟକର ହୋଇଥାଏ। ବଳରାମ ଯୋଜନା ଭାଗଚାଷୀଙ୍କ ପାଇଁ କେବଳ ଘୋଷଣା ମାତ୍ର ହୋଇଛି। କାଳିଆ ଏବଂ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରୁ ସେ ବଞ୍ଚିତ ହୋଇଛନ୍ତି। ଏପରିକି ଭାଗଚାଷୀ ଟୋକନ ପାଉ ନଥିବାରୁ ସରକାରଙ୍କ ଧାର୍ଯ୍ୟ ଦରଠାରୁ ବହୁ କମ୍ ମୂଲ୍ୟରେ ଦଲାଲ ହାତରେ କଷ୍ଟୋପାର୍ଜିତ ଧାନକୁ ଟେକି ଦେଉଛନ୍ତି ବୋଲି ନାୟକ କହିଛନ୍ତି।
କୃଷକ ନେତା ବିଜୟ କୁମାର ପରିଡ଼ା କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ୩ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କ ଜମି ମଧ୍ୟରୁ ୭୦ ପ୍ରତିଶତ ଭାଗଚାଷ ଦ୍ୱାରା ଫସଲ ହୋଇଥାଏ। ଭାଗଚାଷୀ ଜମି ମାଲିକଙ୍କ ନିକଟରୁ ବର୍ଷକ ପାଇଁ ଚାଷଜମି ଲିଜ୍ରେ ନେଇଥାନ୍ତି। ଏଥିପାଇଁ ଧାନ ଫସଲରୁ ଅଧା ଜମିମାଲିକଙ୍କୁ ଦେବାକୁ ହୋଇଥାଏ। କିନ୍ତୁ ଭାଗଚାଷୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟଠାରୁ ଆରମ୍ଭ କରି ଅଭାବୀ ବିକ୍ରି ପର୍ଯ୍ୟନ୍ତ ଜମି ମାଲିକଙ୍କ କୌଣସି ସହଯୋଗ ନ ଥାଏ। ଜମି ମାଲିକମାନେ ନିଜକୁ ଚାଷୀ ଦର୍ଶାଇ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଓ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ହାତେଇ ନେଉଛନ୍ତି। କୃଷକ ବିକାଶ ସମବାୟ ସମିତି ସଭାପତି ପ୍ରମୋଦ କୁମାର ସାହୁ କୁହନ୍ତି, କେନ୍ଦ୍ରାପଡ଼ା ଜିଲାର ୧୫ ପ୍ରତିଶତ ନାମମାତ୍ର ଓ କ୍ଷୁଦ୍ରଚାଷୀ ନିଜ କ୍ଷେତରେ ଚାଷ କରୁଥିବା ବେଳେ ଅବଶିଷ୍ଟ ଭାଗଚାଷୀଙ୍କ ଦ୍ୱାରା ସମ୍ପନ୍ନ ହେଉଛି। ଏହି ଭାଗ ଚାଷୀଙ୍କ ଚିହ୍ନଟୀକରଣ ଅଦ୍ୟାବଧି ହୋଇନାହିଁ। ଫଳରେ ବ୍ୟାଙ୍କଋଣ, ଫସଲବୀମାଠାରୁ ଆରମ୍ଭ କରି କୃଷକ ଉନ୍ନୟନ ଯୋଜନାରେ ସେମାନେ ସାମିଲ ହୋଇ ପାରୁନାହାନ୍ତି। ଏଥିପାଇଁ ପ୍ରଥମେ ଭାଗଚାଷୀ ଚିହ୍ନଟୀକରଣର ଆବଶ୍ୟକତା ଅଛି। କେନ୍ଦ୍ରାପଡ଼ା ଜିଲା ଚାଷୀ ଓ ଶ୍ରମିକ ସଂଘର ସଭାପତି ଗୟାଧର ଧଳ କୁହନ୍ତି, ୨୦୧୫ ମସିହାରେ ଭାଗଚାଷୀ ଚିହ୍ନଟୀକରଣ ପାଇଁ ରାଜ୍ୟ ସରକାର ଏକ ବୈଠକ କରିଥିଲେ। ଏଥିରେ ଜିଲାସ୍ତରୀୟ କୃଷି ଯୋଜନା ସହ ଅନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ଭାଗଚାଷୀଙ୍କ ଭାଗୀଦାରି ରହିବା ସମ୍ପର୍କରେ ଆଲୋଚନା ହୋଇଥିଲା। ଇତିମଧ୍ୟରେ ୮ ବର୍ଷ ବିତିଯାଇଥିଲେ ମଧ୍ୟ ଏ ନେଇ କୌଣସି ଅଗ୍ରଗତି ହୋଇନାହିଁ। କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁରର ଜମି ମାଲିକ ତ୍ରିଲୋଚନ ଜେନା କୁହନ୍ତି, ଭାଗଚାଷୀଙ୍କୁ ଆଇନଗତ ଭାବେ ସ୍ବୀକୃତି ଦେବା ପାଇଁ କେତେକ ପ୍ରତିବନ୍ଧକ ଅଛି। ଚୁକ୍ତିପତ୍ର କେତେବର୍ଷ ପାଇଁ ହେବ, ଜମି ମାଲିକ ଭାବେ ଟଙ୍କା ଅଥବା ଫସଲର ଭାଗ କେତେ ପାଇବେ ଆଦିର ତର୍ଜମା ହେବା ଆବଶ୍ୟକ। ଭାଗଚାଷୀ ଆଇନ ଆସିଲେ କୃଷି ପ୍ରତି ଲୋକଙ୍କ ଆଗ୍ରହ ବଢ଼ିବ, ତେବେ ଜମିର ସ୍ବତ୍ୱ ସୁରକ୍ଷା ଏକ ପ୍ରଶ୍ନବାଚୀ ସୃଷ୍ଟି ହେବ ବୋଲି ସେ ପ୍ରକାଶ କରିଛନ୍ତି। ମହାକାଳପଡ଼ାର ଚାଷୀ ସତ୍ୟବ୍ରତ ସେନାପତି କୁହନ୍ତି, ଜମି ହେଉଛି ପାରିବାରିକ ସମ୍ପତ୍ତି। ଆପଦ ବିପଦର ସାହା ଭରସା। ଏଥିପାଇଁ ଜମି କିଣା ଯାଇଥାଏ। ଭାଗଚାଷୀଙ୍କୁ ଆଇନଗତ ଭାବେ ଲିଜ୍ ଦେବା ପରେ ଆବଶ୍ୟକ ସମୟରେ ବିକ୍ରି ଓ ପାରିବାରିକ ଭାଗରେ ସମସ୍ୟା ସୃଷ୍ଟି ହେବ। ମାର୍ଶାଘାଇ ବ୍ଲକ ଦୁମୁକା ଗ୍ରାମର ଅମିୟ ବେହେରା କହିଛନ୍ତ, ଅଭାବୀ ବିକ୍ରି, ପ୍ରାକୃତିକ ବିପର୍ଯ୍ୟୟରେ ସହାୟତା, ସରକାରୀ ପ୍ରୋତ୍ସାହନ ନ ମିଳିବାରୁ ଭାଗଚାଷୀ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି।
ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲା ଆତ୍ମା ଉପ ପ୍ରକଳ୍ପ ନିର୍ଦ୍ଦେଶକ ମନୋରଞ୍ଜନ ରାଉଳ କହିଛନ୍ତି, ଭୂମିହୀନ ଚାଷୀଙ୍କ ପାଇଁ ରାଜ୍ୟ ସରକାର ବଳରାମ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ୨୦୨୨-୨୩ ସୁଦ୍ଧା ଜିଲାରେ ୫୯୧୨ ଜଏଣ୍ଟ ଲାଇବିଲିଟି ଗ୍ରୁପ୍ (ଜିଏଲ୍ଜି) ସୃଷ୍ଟି ହୋଇ ୨୭,୫୪୩ ଚାଷୀଙ୍କୁ ୩୮ କୋଟି ୨୭ ଲକ୍ଷ ୪୪ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଥିଲା। ଇତିମଧ୍ୟରେ ୬୮୯ ଗ୍ରୁପ୍ ଋଣ ଶୁଝିଛନ୍ତି। ଅଧିକ ଜିଏଲ୍ଜି ସୃଷ୍ଟି ପାଇଁ ସଚେତନତା କରାଗଲେ ଭାଗଚାଷୀଙ୍କୁ ଋଣ ମିଳିବାରେ ଅସୁବିଧା ହେବ ନାହିଁ ବୋଲି ଉପ ପ୍ରକଳ୍ପ ନିର୍ଦ୍ଦେଶକ ରାଉଳ କହିଛନ୍ତି ା