ସୋସିଆଲ ମିଡିଆରେ ‘କଇଁଛ ତରକାରି’ ଭାଇରାଲ

ଭୁବନେଶ୍ୱର,୨୨।୭(ଅଭିଜିତ ଦାସ): ସଂରକ୍ଷିତ ବନ୍ୟପ୍ରାଣୀ ‘କଇଁଛ’ ରାଜ୍ୟରେ ଅସୁରକ୍ଷତି ହୋଇପଡୁଛି। ଚାଲାଣ ହେବା ସହ ଶିକାର ବଢ଼ିଚାଲିଛି। କଇଁଛକୁ ମାରି ତରକାରି କରି ଖିଆଯାଉଛି। ପୁଣି ଏହି ‘କଇଁଛ ତରକାରି’ର ଭିଡିଓ କରାଯାଇ ସୋସିଆଲ ମିଡିଆରେ ଛଡ଼ାଯାଉଛି। ଭାଇରାଲ ହୋଇଥିବା ଏହି ଭିଡିଓରେ ଜୀଅନ୍ତା କଇଁଛକୁ ମାରିବା ସହ କାଟି ତରକାରି କରାଯାଉଥିବାର ଦୃଶ୍ୟ ରହିଛି। ଖୁଲମ୍‌ଖୁଲା ଭାବେ ବନ୍ୟପ୍ରାଣୀ ଆଇନକୁ ଉଲ୍ଲଂଘନ କରାଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ପ୍ରାଣୀପ୍ରେମୀମାନେ ଚିନ୍ତାବ୍ୟକ୍ତ କରିବା ସହ ପ୍ରଶ୍ନ ଉଠାଇଛନ୍ତି।
ସୂଚନା ଅନୁଯାୟୀ, ଭଦ୍ରକ ଜିଲା ରମ୍ଭିଳା ସୁଧିଲାଦେଇପୁର ଅଞ୍ଚଳର ମନୋଜ ନାମକ ଜଣେ ବ୍ୟକ୍ତି ନିଜ ସୋସିଆଲ ମିଡିଆ ସାଇଟ୍‌ ‘ଓଡିଶା ଭିଲେଜ୍‌ ଲାଇଭ୍‌ ଫୁଡ୍‌’ରେ ଗତ ୧୯ ତାରିଖରେ କଇଁଛରୁ ତରକାରି ତିଆରି ହେଉଥିବାର ଭିଡିଓ ପୋଷ୍ଟ କରିଥିବା ଜଣାପଡିଛି। ଉକ୍ତ ଭିଡିଓଟିରେ ବ୍ୟକ୍ତି ଜଣକ ଏକ ଦୁର୍ଲଭ ପ୍ରଜାତିର କଇଁଛକୁ ମାରି ରୋଷେଇ କରିବାର ପ୍ରଣାଳୀ ଦେଖାଉଛନ୍ତି। ଏହାକୁ ନେଇ ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ଭାରତୀୟ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ୧୯୭୨ ଧାରାରେ ଦୁର୍ଲଭ ପ୍ରଜାତିର କଇଁଛ, ହାତୀ, ବାଘ ଓ ସାପ ଭଳି ବନ୍ୟଜନ୍ତୁଗୁଡିକ ସବ୍‌ ସ୍କେଲ ୧ ପ୍ରଜାତିର ଅଟନ୍ତି। ନିୟମ ଅନୁଯାୟୀ ଦୁର୍ଲଭ ପ୍ରଜାତିର କୌଣସି ବନ୍ୟଜନ୍ତୁଙ୍କୁ ଶିକାର କରିବା ତ ଦୂର କଥା, ଘରେ ମଧ୍ୟ ରଖିବା ଆଇନଗତ ଅପରାଧ। ୭ ବର୍ଷ ଜେଲଦଣ୍ଡ ସହ ୧ଲକ୍ଷ ଟଙ୍କା ଜରିମାନା ରହିଛି। ଶୁଭେନ୍ଦୁ ଏ ସମ୍ପର୍କରେ ବନ ବିଭାଗକୁ ଅବଗତ କରାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଅନ୍ୟପକ୍ଷରେ ଭିଡିଓ କରିଥିବା ମନୋଜ କହିଛନ୍ତି, ଏସବୁ ସମ୍ପର୍କରେ ଆମେ ଜାଣିନାହୁଁ। ଅପରପକ୍ଷେ ପୂର୍ବତନ ପିସିସିଏଫ୍‌ ବିଜୟ କେତନ କହିଛନ୍ତି, ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ସାପ ଖେଳାଳିମାନେ ଦୁର୍ଲଭ ପ୍ରଜାତିର ସାପକୁ ନେଇ ରାସ୍ତାଘାଟରେ ଦେଖାଉଛନ୍ତି ତ ଆଉ କେତେବେଳେ ଲୋକମାନେ ମାଙ୍କଡ, ଶୁଆ ଭଳି ଜୀବଜନ୍ତୁଙ୍କୁ ନେଇ ବେଆଇନ ଭାବେ ପୋଷା ପ୍ରାଣୀ କରି ରଖୁଛନ୍ତି। ବିଭାଗକୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ।

Share