ଟେଲି ଅଭିନେତ୍ରୀଙ୍କ ପିଛା କଲେ ମଦ୍ୟପ, ଆଉ ତା ପରେ..

ନୂଆଦିଲ୍ଲୀ,୨।୨: ପରିବାର ସହ ରାତ୍ରିଭୋଜନ କରି ସ୍ବାମୀଙ୍କ ସହ ଫେରୁଥିବା ଜଣେ ଜଣାଶୁଣା ଟେଲି ଅଭିନେତ୍ରୀଙ୍କ ପଛରେ ପଡ଼ିଗଲେ ୪ ମଦ୍ୟପ ବ୍ୟକ୍ତି। ଅଭିନେତ୍ରୀଙ୍କ ଘର ପର୍ଯ୍ୟନ୍ତ କାରରେ ପିଛା କଲେ। ଏ ନେଇ ସୋମବାର ସନ୍ଧ୍ୟାରେ ଅଭିଯୋଗ ପରେ ସେମାନଙ୍କୁ ଗିରଫ କରାଯାଇଥିଲା। ହେଲେ ଏହା ଜାମିନଯୋଗ୍ୟ ଅପରାଧ ହୋଇଥିବାରୁ ସେମାନଙ୍କୁ ବେଲ ମିଳିଯାଇଛି ବୋଲି ରୋହିନି ଅଞ୍ଚଳର ଡିସିପି ପ୍ରମୋଦ କୁମାର ମିଶ୍ରା କହିଛନ୍ତି।

ଘଟଣା ସମ୍ପର୍କରେ ଅଭିନେତ୍ରୀ ଜଣକ କହିଛନ୍ତି, ରବିବାର ରାତି ପ୍ରାୟ ୨ଟା ହେବ ଆମେ ଘରକୁ ଫେରୁଥିଲୁ। ମଧୁବନ ଛକ ନିକଟରେ ଏକ କାର ଆମକୁ ସାଇଡ୍‌ ଦେଉ ନ ଥିଲା। ଆମେ ହର୍ନ ଦେବାରୁ ସାଇଡ୍‌ ଦେବା ବଦଳରେ ରାସ୍ଥା ମଝିରେ କାର୍‌ ରୋକି ଦେଇଥିଲେ ଉକ୍ତ କାର ଚାଳକ। ଓଭରଟେକ କରିବା ପରେ ସେମାନେ ଆମକୁ ପିଛା କରିଥିଲେ। ଆମେ ଯଥାଶୀଘ୍ର ସୋସାଇଟ୍‌ ଗେଟ ପହଞ୍ଚିଥିଲୁ। ହେଲେ ଅଟୋମେଟିକ୍‌ ଗେଟ ଥିବାରୁ ଖୋଲିବାକୁ କିଛି ସମୟ ଲାଗିଲା। ସେମାନେ ଆମକୁ ଗେଟ୍‌ରେ ଧମକ ଦେବା ସହ ଖରାପ ଭାଷାରେ ଗାଳି କରିଥିଲେ। ଏ ନେଇ ସ୍ଥାନୀୟ ପୋଲିସକୁ ଖବର ଦେବା ପରେ ଦୁଇଟି ପିସିଆର ଭ୍ୟାନ ଆସି ଉକ୍ତ ୪ ମଦ୍ୟପଙ୍କୁ ଉଠାଇ ନେଇଥିଲେ। ଦିଲ୍ଲୀରେ ଏଭଳି ଘଟଣା ଘଟିପାରେ କଦାପି ଚିନ୍ତା କରି ନ ଥିଲି। ମୁଁ ଡରି ଯାଇଥିଲି। ୪ ଜଣ ମଦ୍ୟପ ମୋ ସହ କିଛି ବି କରିପାରି ଥାନ୍ତେ।

Share