କେବେ ଥିଲେ ଲୋକପ୍ରିୟ ଅଭିନେତ୍ରୀ, ଏବେ ସନ୍ନ୍ୟାସିନୀ

ବମ୍ବେ: ପ୍ରାୟ ତିନି ଦଶନ୍ଧି ଧରି ମନୋରଞ୍ଜନଜଗତ ସହ ଜଡ଼ିତ ରହିବା ପରେ ଏବେ ସନ୍ନ୍ୟାସିନୀ ହୋଇଛନ୍ତି ଅଭିନେତ୍ରୀ ନୁପୂର ଅଳଙ୍କାର। ସମସ୍ତ ଚାକଚକ୍ୟ, ବିଳାସବ୍ୟସନକୁ ସେ ପରିତ୍ୟାଗ କରି ଗେରୁଆ ବସ୍ତ୍ର ପରିଧାନ କରୁଛନ୍ତି ସେ। ଏପରିକି ସେ ହିମାଳୟ ଯିବେ ବୋଲି ଜଣାପଡ଼ିଛି।

ନିକଟରେ ଏକ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ସେ ଅଭିନୟଜଗତକୁ ଛାଡ଼ୁଥିବା ସ୍ପଷ୍ଟ କରିଛନ୍ତି। ଅଭିନେତ୍ରୀ ଭାବେ ସେ ଲୋକପ୍ରିୟତା ଏବଂ ସଫଳତା ପଛରେ ପଡ଼ିଥିଲେ। ହେଲେ ଏବେ ତାଙ୍କୁ ଶାନ୍ତି ମିଳୁଛି। ତଳେ ଶୋଇବା ସହ ଗୋଟିଏ ଓଳି ଖାଦ୍ୟ ଗ୍ରହଣ କରୁଛନ୍ତି। ସନ୍ୟାସ ମାର୍ଗକୁ ବାଛିବା ପୂର୍ବରୁ ସେ ବିବାହିତ ଥିଲେ। ମାତ୍ର ଏବେ ସ୍ବାମୀ ଅଳଙ୍କାର ଶ୍ରୀବାସ୍ତବ ତାଙ୍କୁ ବିବାହ ବନ୍ଧନରୁ ମୁକ୍ତ କରିଛନ୍ତି। କାରଣ ପୂର୍ବରୁ ନୁପୂର ତାଙ୍କୁ ସନ୍ୟାସ ନେବା ବିଷୟରେ ଜଣାଇଥିଲେ। ଅଲଗା ହେବା ପାଇଁ ଆଇନଗତ ବାଟ ବାଛି ନ ଥିଲେ ହେଁ ଉଭୟ ଏକାଠି ନୁହନ୍ତି। ପରିବାର ଏବଂ ସେ ଅଭିନେତ୍ରୀଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିବା ନିଜେ ନୁପୂର କହିଛନ୍ତି। ତେବେ ସେ ନିଜର ଯାତ୍ରା ଏବଂ ଖର୍ଚ୍ଚ ତୁଲାଇବା ନିମନ୍ତେ ମୁମ୍ବାଇରେ କିଣିଥିବା ଫ୍ଲାଟ୍‌କୁ ଭଡ଼ାରେ ଲଗାଇ ଦେଇଥିବା ଜଣାପଡ଼ିଛି।

କହିରଖୁଛୁ, ଅଭିନେତ୍ରୀ ଭାବେ ନୁପୂର ‘ଶକ୍ତିମାନ’ଠାରୁ ଆରମ୍ଭ କରି ‘ଘର କି ଲକ୍ଷ୍ମୀ ବେଟିୟାଁ, ତନ୍ତ୍ର ଭଳି ୧୫୭ରୁ ଅଧିକ ଟେଲିଭିଜନ ଶୋ’ରେ କାମ କରିଛନ୍ତି। ସେହିଭଳି ‘ସାଓ୍ବରିୟାଁ, ରାଜା ଜି, ସୋନାଲୀ କେବୁଲ’ ଭଳି ଚଳଚ୍ଚିତ୍ରରେ ମଧ୍ୟ ସେ କାମ କରିଛନ୍ତି।

Share