ରାସ୍ତା କଡ଼ରେ ଖାଦ୍ୟ ବିକୁଛନ୍ତି ନ୍ୟୁଜ୍‌ ଆଙ୍କର

କାବୁଲ,୧୭।୬: ଏକଛତ୍ରବାଦୀ ତାଲିବାନ ଶାସନ କ୍ଷମତାକୁ ଆସିବା ପରେ ଦେଶ ଅନେକ ଅର୍ଥନୈତିକ ଓ ରାଜନୈତିକ ଅସ୍ଥିରତାର ସମ୍ମୁଖୀନ ହେଉଛି। ଦେଶରେ ଏଭଳି ପରିବର୍ତ୍ତନ ଆସିଛି ଯେ, ବଡ଼ ବୃତ୍ତିଗତମାନେ ମଧ୍ୟ ଚାକିରି ସଙ୍କଟ ଦେଇ ଗତି କରୁଛନ୍ତି। ଏଭଳି କିଛି ଚିତ୍ର ଏବେ ସାମ୍ନକୁ ଆସିଛି ଯାହା ଆଫଗାନିସ୍ତାନର ବାସ୍ତବତାକୁ ଦର୍ଶାଉଛି। ଆଫଗାନିସ୍ତାନର ନ୍ୟୁଜ୍‌ ଚ୍ୟାନେଲରେ ଆଙ୍କର ଭାବେ ବେଶ୍‌ ଜଣାଶୁଣା ମୁସା ମହମ୍ମଦୀ ଏବେ ରାସ୍ତାକଡ଼ରେ ବସି ଖାଦ୍ୟ ବିକ୍ରି କରୁଛନ୍ତି। ତାଲିବାନ ଶାସନ କ୍ଷମତାକୁ ଆସିବା ପରେ ଦେଶର ଆର୍ଥିକ ସ୍ଥିତି ଦୁବର୍ର୍ଳ ହୋଇପଡ଼ିବା ସହ ଅନେକ ଟିଭି ଚ୍ୟାନେଲ ମଧ୍ୟ ଅଚଳ ହୋଇପଡ଼ିଛି। ଦେଶବାସୀ ଏବେବି ଖାଇବାକୁ ପାଉନାହାନ୍ତି। ଖାଲି ମୁସା ନୁହନ୍ତି ଅନେକ ରାଜନେତା ଓ ଖ୍ୟାତନାମା ଲୋକ ମଧ୍ୟ ସମସ୍ତେ ଦାରିଦ୍ର୍ୟ ସୀମାରେଖା ତଳେ ଜୀବନ କାଟୁଛନ୍ତି। ମୁସା ଏକାଧିକ ବର୍ଷ ଧରି ଅନେକ ଟିଭି ଚ୍ୟାନେଲରେ ରିପୋର୍ଟର ଏବଂ ଆଙ୍କର ଭାବେ କାର୍ଯ୍ୟ କରିଆସୁଥିଲେ। ତେବେ ଇଣ୍ଟରନେଟରେ ମୁସାଙ୍କ ଫଟୋ ଭାଇରାଲ ହେବା ପରେ ନ୍ୟାଶନାଲ ରେଡିଓ ଆଣ୍ଡ ଟେଲିଭିଜନ୍‌ର ସାଧାରଣ ନିର୍ଦ୍ଦେଶକ ଅହମଦୁଲ୍ଲାହ ଓ୍ବାସିକ୍‌ ତାଙ୍କୁ ରିପୋର୍ଟର ଭାବେ ଚାକିରିରେ ଦେବା ସହ ପୁଣି ଥରେ ରୋଜଗାରକ୍ଷମ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Share