Categories: ଜାତୀୟ

‘ପ୍ରଧାନମନ୍ତ୍ରୀ ମୋଦି ୧୦ ବର୍ଷରେ ପ୍ରେସ କନଫରେନ୍ସ ନ କରି ଖବରଦାତାଙ୍କୁ କଲେ ବହିଷ୍କାର’, ଭାଜପାକୁ ସିଦ୍ଦାରାମାୟାଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୧୬।୯: ବିରୋଧୀ ଦଳ ‘ଇଣ୍ଡିଆ’ ରେ ଅନ୍ତର୍ଭୁକ୍ତ ଦଳଗୁଡିକ ୧୪ ଜଣ ଗଣମାଧ୍ୟମ ଆଙ୍କର ଶୋ’ରେ ସେମାନଙ୍କ ପ୍ରତିନିଧୀଙ୍କୁ ନ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସଙ୍ଗରେ ରାଜନୀତି ସରଗରମ ହୋଇଛି। କର୍ନାଟକର ମୁଖ୍ୟମନ୍ତ୍ରୀ ସିଦ୍ଧାରାମାୟା ଏବେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡାଙ୍କୁ ଟାର୍ଗେଟ କରିଛନ୍ତି। ଇଣ୍ଡିଆ ମିଳିତ ମଞ୍ଚକୁ ସମାଲୋଚନା କରି ଜେପି ନଡା କହିଛନ୍ତି ଯେ ନ୍ୟୁଜ ଆଙ୍କରଙ୍କର ଏଭଳି ତାଲିକା ପ୍ରକାଶ କରିବା ନାଜିମାନଙ୍କର କାର୍ଯ୍ୟ କରିବାର ଶୈଳି ଭଳି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ବିରୋଧୀ ଦଳ ୯ ଟି ଚ୍ୟାନେଲରେ ୧୪ ଆଙ୍କରଙ୍କୁ ବହିଷ୍କାର କରିବାକୁ ଗଣମାଧ୍ୟମକୁ ଧମକ ଦେଉଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଜେପି ନଡାଙ୍କୁ ସମ୍ବୋଧିତ କରି ସିଦ୍ଧାରାମାୟା ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୧୦ ବର୍ଷ ମଧ୍ୟରେ ଗୋଟିଏ ବି ଖବରଦାତା ସମ୍ମିଳନୀକୁ ସମ୍ବୋଧିତ ନକରି ପ୍ରତ୍ୟେକ ଭାରତୀୟ ସାମ୍ବାଦିକଙ୍କୁ ବହିଷ୍କାର କରିଛନ୍ତି। କେବଳ ଏତିକି ନୁହେଁ, କଂଗ୍ରେସ ନେତା ଆହୁରି ମଧ୍ୟ କହିଛନ୍ତି ଯେ ଏକ ରାଜନୈତିକ ଦଳର ମାଉଥପିସ ହୋଇ ଗଣମାଧ୍ୟମର ନୈତିକତାକୁ ସାମ୍ନା କରିଥିବା ୧୪ଜଣ ଆଙ୍କରଙ୍କୁ ବୟକଟ କରିବା କିପରି ଭୁଲ ହୋଇପାରେ।

Share