ନୂଆଦିଲ୍ଲୀ: ଏଲ୍ଇଡି ଟିଭି ସମେତ ରେଫ୍ରିଜରେଟର, ଓ୍ବାଶିଂମେଶିନ ଭଳି ଆପ୍ଲାଏନ୍ସ ଦର ପ୍ରାୟ ୧୦% ବୃଦ୍ଧି ହେବାକୁ ଯାଉଛି। ତମ୍ବା, ଆଲୁମିନିୟମ ଏବଂ ଇସ୍ପାତ ଦର ବଢ଼ିବା ଯୋଗୁ ଦରରେ ଏଭଳି ବୃଦ୍ଧି ଘଟିବ ବୋଲି କୁହାଯାଉଛି। ସେହିଭଳି ସାମୁଦ୍ରିକ ଏବଂ ଆକାଶ ପଥରେ ମାଲ ଭଡ଼ାରେ ବୃଦ୍ଧି ଯୋଗୁ ଦରରେ ଏଭଳି ପରିବର୍ତ୍ତନ ଘଟିବ ବୋଲି ଆକଳନ କରାଯାଇଛି। ଟିଭି ପ୍ୟାନେଲ ଦରରେ ଏବେ ପ୍ରାୟ ୨ ଗୁଣ ବୃଦ୍ଧି ପାଇଛି। ଗ୍ଲୋବାଲ ଭେଣ୍ଡରଙ୍କଠାରୁ ଯୋଗାଣ ସମସ୍ୟା ଯୋଗୁ ଏଭଳି ହୋଇଛି। ସେହିଭଳି ଅଶୋଧିତ ତେଲ ଦର ବଢିବା ଯୋଗୁ ପ୍ଲାଷ୍ଟିକ ମୂଲ୍ୟ ମଧ୍ୟ ବଢିଛି।
ଏଲ୍ଜି, ପାନାସୋନିକ ଏବଂ ଥମ୍ପଶନ ଭଳି କମ୍ପାନୀ ଜାନୁୟାରୀରୁ ମୂଲ୍ୟ ବଢ଼ାଇବେ ବୋଲି ଜଣାପଡିଛି। ଏଭଳି ସ୍ଥିତିରେ ସୋନି ଦର ବଢାଇବା ଉପରେ ବର୍ତ୍ତମାନ ବଜାର ସ୍ଥିତିକୁ ନଜରରେ ରଖିଛି। ଇନ୍ପୁଟ ମୂଲ୍ୟ ଦର ବଢିବା ଯୋଗୁ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରଡକ୍ଟ ମୂଲ୍ୟ ପ୍ରାୟ ୧୦ରୁ ୧୧% ବଢିବ ବୋଲି ପାନାସୋନିକ ଇଣ୍ଡିଆର ସଭାପତି ମନୀଷ ଶର୍ମା କହିଛନ୍ତି। ପହିଲାରୁ ଦର ପ୍ରାୟ ୭ରୁ୮% ବଢାଇବା ନେଇ ଏଲ୍ଜି ଇଲେକ୍ଟ୍ରୋନିକ୍ସ ଯୋଜନା ରଖିଛି। କମ୍ପାନୀର ହୋମ୍ ଆପ୍ଲାଏନ୍ସ ବିଭାଗ ଉପସଭାପତି ବିଜୟ ବାବୁ କହିଛନ୍ତି, ଟିଭି, ଓ୍ବାଶିଂମେଶିନ ଏବଂ ରେଫ୍ରିଜରେଟର ବର୍ଗରେ ମୂଲ୍ୟ ବୃଦ୍ଧି ହେବ। କଞ୍ଚାମାଲ ମୂଲ୍ୟ ବଢିବା ଯୋଗୁ ଏଭଳି ନିଷ୍ପତ୍ତି କମ୍ପାନୀ ଗ୍ରହଣ କରିଛି।
ସୋନି ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ସୁନୀଲ ନାୟାର କହିଛନ୍ତି, ବଜାର ସ୍ଥିତିକୁ ଧ୍ୟାନରେ ରଖି ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯିବ। ଯୋଗାଣ ବ୍ୟବସ୍ଥା ଉପରେ ବର୍ତ୍ତମାନ ନଜର ରଖାଯାଇଛି। ଅନ୍ୟ କମ୍ପାନୀଗୁଡିକ ମଧ୍ୟ ବଜାରର ସ୍ଥିତିକୁ ନଜରରେ ରଖିଥିବା ଜଣାପଡ଼ିଛି।