ଇଣ୍ଡିଆନ୍‌ ଆଇଡଲ୍‌ ସେଟ୍‌ରେ ଝାଡୁ କରୁଥିବା ଯୁବକ ଏବେ ପ୍ରତିଯୋଗୀ: ତାଙ୍କ ସ୍ବର ଶୁଣି କାନ୍ଦିପକାଇଲେ ଜଜ୍‌

ଛୋଟ ପରଦାର ଲୋକପ୍ରିୟ ରିଆଲିଟି ଶୋ’‘ଇଣ୍ଡିଆନ୍‌ ଆଇଡଲ୍‌’ର ଆଗାମୀ ସିଜିନ୍‌ ଏବେ ଚର୍ଚ୍ଚାରେ ରହିଛି। ଏଥର ଶୋ’ରେ ବହୁ ପ୍ରତିଭାବାନ ପ୍ରତିଯୋଗୀମାନେ ଅଂଶଗ୍ରହଣ କରୁଛନ୍ତି। ଶୋ’ର ପ୍ରମୋରୁ ଏହା ସ୍ପଷ୍ଟ ବାରିହୋଇ ପଡ଼ୁଛି। ଶୋ’ର ଆଗାମୀ ସିଜିନର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଶୋ’ରେ ଝାଡୁ କରୁଥିବା ଜଣେ ଯୁବ ପ୍ରତିଯୋଗୀ ଯୁବରାଜଙ୍କ ପ୍ରତିଭା ଦେଖିବାକୁ ମିଳୁଛି। ତାଙ୍କର ସ୍ବର ଶୁଣିବା ପରେ ଶୋ’ର ଜଜ୍‌ ନେହା କକ୍କର, ବିଶାଲ ଦଦନାନି ଏବଂ ହିମେଶ ରେଶମିୟା ଭାବପ୍ରବଣ ହୋଇପଡ଼ୁଥିବା ଜଣାପଡ଼ୁଛନ୍ତି।
‘ଇଣ୍ଡିଆନ୍‌ ଆଇଡଲ୍‌’ ଶୋ’ର ପ୍ରସାରଣ କରୁଥିବା ଚ୍ୟାନେଲ ସୋନି ଟିଭି ଏହି ଶୋର ଏକ ପ୍ରମୋ ନିକଟରେ ସୋସିଆଲ ମିଡିଆରେ ଶେୟାର କରିଥିଲା। ଏହି ପ୍ରମୋରେ ଯୁବରାଜ ନାମକ ଜଣେ ପ୍ରତିଯୋଗୀ ମରାଠୀ ଭାଷାରେ ଗୀତ ଗାଉଛନ୍ତି। ତାଙ୍କ ସ୍ବର ଶୁଣିବା ପରେ ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି। ଯୁବରାଜ ଗୀତ ଗାଇବା ପରେ କହୁଛନ୍ତି ଯେ, ସେ ସେଟ୍‌ରେ ସଫେଇ କାମ କରୁଥିଲେ। ଜଜ୍‌ମାନେ ଯେତେବେଳେ କାହାର କେଉଁଥିଲେ ଅଭାବ ରହିଛି କହୁଥିଲେ, ସେ ତାହାକୁ ଶୁଣୁଥିଲେ ଓ ସେହିପରି ଗୀତ ଗାଇବାକୁ ଚେଷ୍ଟା କରୁଥିଲେ। ଯୁବରାଜଙ୍କ ଏହି କଥା ଶୁଣିବା ପରେ ଶୋ’ର ଜଜ୍‌ମାନେ ଭାବପ୍ରବଣ ହାଇପଡ଼ୁଛନ୍ତି।
ନେହା କକ୍କର ନିଜର ଲୁହ ପୋଛୁଥିବା ଦେଖିବାକୁ ମିଳୁଥିବା ବେଳେ ବିଶାଲ ଆଶ୍ଚର୍ଯ୍ୟଜନକ ଭାବେ ନିଜ ମୁହଁକୁ ଲୁଚାଇ ଦେଉଛନ୍ତି। ସେହିପରି ହିମେଶ ଭାବପ୍ରବଣ ହୋଇ କହୁଛନ୍ତି, ଆପଣ ସମସ୍ତଙ୍କ ପାଇଁ ପ୍ରେରଣାଠାରୁ କିଛି କମ୍‌ ନୁହନ୍ତି। କିଛି ବି ଅସମ୍ଭବ ନୁହେଁ, ଏହାର ବଡ଼ ଉଦାହରଣ ହେଉଛନ୍ତି ଆପଣ।

Share