Categories: ଜାତୀୟ

ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ଭୁଲ ଢଙ୍ଗରେ ଦେଖାଇ ଗିରଫ ହେଲେ ନ୍ୟୁଜ୍‌ ଆଙ୍କର

ନୂଆଦିଲ୍ଲୀ,୫।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ଭୁଲ ଢଙ୍ଗରେ ଉପସ୍ଥାପନ କରିବା ଅଭିଯୋଗରେ ନୋଏଡା ପୋଲିସ ମଙ୍ଗଳବାର ସକାଳେ ନ୍ୟୁଜ୍‌ ଆଙ୍କର ରୋହିତ ରଞ୍ଜନଙ୍କୁ ଗିରଫ କରିଛି। ରୋହିତଙ୍କୁ ଗିରଫ କରିବା ପାଇଁ ଗାଜିଆବାଦରୁ ନୋଏଡା ପର୍ଯ୍ୟନ୍ତ ହାଇ ଭୋଲଟେଜ ଡ୍ରାମା ହେବା ପରେ ଦୁଇ ରାଜ୍ୟର ପୋଲିସ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା। ଶେଷରେ ନୋଏଡା ପୋଲିସ ରୋହିତଙ୍କୁ ଗିରଫ କରିଥିଲା। ଏହାପୂର୍ବରୁ ରୋହିତ ନିଜେ ଟୁଇଟ୍‌ କରି ଛତିଶଗଡ ପୋଲିସ ତାଙ୍କ ଘରେ ପହଞ୍ଚିବା ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ସ୍ଥାନୀୟ ପୋଲିସକୁ ନ ଜଣାଇ ଛତିଶଗଡ ପୋଲିସ ମୋତେ ଗିରଫ କରିବା ପାଇଁ ମୋ ଘର ବାହାରେ ଠିଆ ହୋଇଛି, ଏହା ଆଇନଗତ ଠିକ ଅଟେ କି ୟୁପି ପୋଲିସ ଅଧିକାରୀଙ୍କୁ ଟ୍ୟାଗ କରି ପ୍ରଶ୍ନ ପଚାରିଥିଲେ।
ପ୍ରଥମେ ଛତିଶଗଡ ପୋଲିସ ନ୍ୟୁଜ ଆଙ୍କର ରୋହିତଙ୍କୁ ଗିରଫ କରିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲା। ଏହା ପରେ ନୋଏଡା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଉଭୟ ରାଜ୍ୟର ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଛତିଶଗଡ ପୋଲିସର ଗିରଫଦାରୀରୁ ରୋହିତଙ୍କୁ ରକ୍ଷା କରି ନୋଏଡା ପୋଲିସ ତାଙ୍କୁ ନିଜ ସାଙ୍ଗରେ ନେଇଯାଇଥିଲା।
ସୂଚନାଯୋଗ୍ୟ, ଜୁଲାଇ ୨ରେ ଏକ ଘରୋଇ ଚ୍ୟାନେଲରେ ପ୍ରସାରିତ ହୋଇଥିବା କାର୍ଯ୍ୟକ୍ରମରେ ଆଙ୍କର୍‌ ରୋହିତ ରଞ୍ଜନ କେରଳରେ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଦିଆଯାଇଥିବା ବିବୃତ୍ତିକୁ ଉଦୟପୁର ଘଟଣା ସହ ଯୋଡିଥିଲେ। ପ୍ରକୃତରେ ରାହୁଲ ଗାନ୍ଧୀ ୱାୟାନାଡରେ ଥିବା ତାଙ୍କ ସଂସଦୀୟ କାର୍ଯ୍ୟାଳୟକୁ ଭଙ୍ଗାରୁଜା କରିଥିବା ଲୋକଙ୍କୁ କ୍ଷମା କରିବା କଥା କହିଥିଲେ ଏବଂ ସେମାନେ ଶିଶୁ ବୋଲି କହିଥିଲେ। କିନ୍ତୁ ଟିଭି କାର୍ଯ୍ୟକ୍ରମରେ ତାଙ୍କର ଏହି ବିବୃତ୍ତି ଉଦୟପୁରର କହ୍ନେୟାଲାଲଙ୍କ ହତ୍ୟାକାରୀଙ୍କ ସହ ଜଡିତ ଥିଲା। କଂଗ୍ରେସ ଏହାକୁ ତୀବ୍ର ବିରୋଧ କରିଥିଲା, ଯାହା ପରେ ଏହି କାର୍ଯ୍ୟକ୍ରମର ଭିଡିଓର କିଛି ଅଂଶ ଚ୍ୟାନେଲ ଦ୍ୱାରା ଟୁଇଟର୍‌ରୁ ଡିଲିଟ ହୋଇଯାଇଥିଲା। କେବଳ ଏତିକି ନୁହେଁ, ଲାଇଭ ଶୋ’ ଏବଂ ଟୁଇଟର୍‌ ସମେତ ସୋସିଆଲ ମିଡିଆ ପ୍ଲାଟଫର୍ମରେ କ୍ଷମା ପ୍ରାର୍ଥନା ମଧ୍ୟ କରାଯାଇଥିଲା। ପରଦିନ କାର୍ଯ୍ୟକ୍ରମରେ ସାମ୍ବାଦିକ ରୋହିତ ରଞ୍ଜନ ନିଜେ କ୍ଷମା ମାଗିଥିଲେ ଏବଂ ଏହି ଭୁଲକୁ ମାନବୀୟ ତ୍ରୁଟି ବୋଲି କହିଥିଲେ।

Share