ବଡ଼ ପରଦାରୁ ଟିଭି ସିରିଏଲ୍‌…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶୋମା ଆନନ୍ଦଙ୍କୁ ମଙ୍ଗଳବାର ୬୩ ବର୍ଷ ପୂରଣ ହୋଇଛି। ୧୯୫୮ ଫେବୃୟାରୀ ୧୬ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୬ରେ ବାରୁଦ ଫିଲ୍ମରେ ସେ ଋଷି କପୁରଙ୍କ ସହିତ ଅଭିନୟ କରି ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଋଷିଙ୍କ ଭଳି ବଡ଼ ଷ୍ଟାରଙ୍କ ସହିତ ଫିଲ୍ମ କରି ମଧ୍ୟ ଶୋମାଙ୍କ କ୍ୟାରିଅର ଆଗକୁ ଆଗେଇ ନ ଥିଲା। ଏହାପରେ ପତିତା ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ତେବେ ନାୟିକା ବଦଳରେ ପାର୍ଶ୍ୱ ନାୟିକା ଭାବେ ସେ ବିଭିନ୍ନ ଫିଲ୍ମରେ ଅଭିନୟ କରିଥିଲେ। ଜାଗିର, କୁଲି, ଜୈସୀ କରନି ୟୈସୀ ଭରନି, ଘର ଏକ୍‌ ମନ୍ଦିର, ହଙ୍ଗାମା, କ୍ୟା କୁଲ୍‌ ହୈ ହମ୍‌, କଲ ହୋ ନା ହୋ, ଆଦି ଫିଲ୍ମରେ ସେ ସହ ଅଭିନେତ୍ରୀ ଭାବେ ଅଭିନୟ କରିଥିଲେ। ଜୀବନରେ ଗୋଟିଏ ଭୁଲ ପାଇଁ ତାଙ୍କର ଅଭିନୟ ଜୀବନରେ ଭଟ୍ଟା ଆସିଥିଲା ବୋଲି ସେ କୁହନ୍ତି। ଶୋମା ଫିଲ୍ମ ର୍ନିମାତା ତଥା ନିର୍ଦ୍ଦେଶକ ତାରିକ ଶାହାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହା ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ପରିବାର ସୁଖ ମିଳି ନ ଥିଲା କି ଫିଲ୍ମ ବି ମିଳି ନ ଥିଲା। ତେବେ ଅଭିନୟ କରିବା ଜିଦ ଯୋଗୁ ସେ ହାର୍‌ ମାନି ନ ଥିଲେ। ବଡ଼ ପରଦାରୁ ଦୂରେଇ ଯିବା ପରେ ଛୋଟ ପରଦାରେ ଅଭିନୟ ଆରମ୍ଭ କରିଥିଲେ। ଭାବି, ହମ୍‌ ପାଞ୍ଚ୍‌, ସରାରତ, ଗିଲ୍‌ ଗିଲ୍‌ ଗପ୍ପା, ଖେଲତି ହୈ ଜିନ୍ଦେଗି ଆଖୋଁ ମେ ଚୋଲି, ୟାରୋଁ କା ଟଶନ ଆଦି ଟିଭି ସିରିଏଲରେ ନିଖୁଣ ଅଭିନୟ ଯୋଗୁ ଶୋମା ଘରେଘରେ ପରିଚିତି ହାସଲ କରିପାରିଛନ୍ତି।

Share