ନୂଆଦିଲ୍ଲୀ,୧୮।୧୧: ଆଜିକାଲି ଭାରତୀୟ କ୍ରିକେଟ ଅନେକ କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହିଛି। ସବୁ ଆଲୋଚନାର କେନ୍ଦ୍ରରେ ରହିଛନ୍ତି ବିରାଟ କୋହଲି, ସୌରଭ ଗାଙ୍ଗୁଲି ଏବଂ ରୋହିତ ଶର୍ମା। ପ୍ରଥମେ ବିସିସିଆଇ କୋହଲିଙ୍କ ହାତରୁ ଦିନିକିଆ ଅଧିନାୟକତ୍ୱ ଛଡ଼ାଇ ନେଇ ରୋହିତଙ୍କୁ ଦେଇଥିଲା। ହେଲେ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ କୋହଲି ଏକ ଖବରଦାତା ସମ୍ମିଳନୀରେ ଏଭଳି କିଛି କଥା କହିଦେଲେ ଯାହା ବିସିସିଆଇ ଏବଂ ଗାଙ୍ଗୁଲିଙ୍କ ବୟାନଠାରୁ ଭିନ୍ନ ଥିଲା। ଏହାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏବେ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ଏକ ଟୁଇଟ ଏବେ ଭାଇରାଲ ହେଉଛି।
ଜାଡେଜା ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ନକଲି ବନ୍ଧୁମାନେ ଗୁଜବରେ ବିଶ୍ୱାସ କରନ୍ତି। ହେଲେ ପ୍ରକୃତ ବନ୍ଧୁ ଆପଣଙ୍କ ଉପରେ ବିଶ୍ୱାସ କରନ୍ତି। ’ ଏବେ ଭାରତୀୟ ପ୍ରଶଂସକ ଏହି ଟୁଇଟ୍ରେ କୁହାଯାଇଥିବା ଗୁଜବକୁ କୋହଲିଙ୍କ ବିବାଦ ସହ ଯୋଡ଼ି ଆଲୋଚନା କରୁଛନ୍ତି।
କହିରଖୁଛୁ, କୋହଲି ଦିନିକିଆ ଅଧିନାୟକତ୍ୱ ଛାଡ଼ିବା ପରେ ଅନେକ ଗୁଜବ ଘୁରିବୁଲୁଛି। ସେଥିରୁ ଗୋଟିଏ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ କୋହଲି ହଟିବା ନେଇ ଥିଲା। ତେବେ ଖବରଦାତା ସମ୍ମିଳନୀରେ କୋହଲି ସ୍ପଷ୍ଟ କରିଥିଲେ ଯେ ସେ ବିଶ୍ରାମ ପାଇଁ ବିସିସିଆଇରୁ ଛୁଟି ମାଗି ନାହାନ୍ତି। ସେ ପୂର୍ବରୁ ସେଠାରେ ଥିଲେ। ଚୟନ ପାଇଁ ସମ୍ପୂର୍ଣ୍ଣ ଭାବେ ଉପଲବ୍ଧ ରହିଛନ୍ତି। ନିହାତି ଭାବେ ସେ ଦିନିକିଆ ସିରିଜରେ ଖେଳିବେ। ଏଭଳି ପ୍ରଶ୍ନ ତାଙ୍କୁ ନ ପଚାରି ଯେଉଁମାନେ ଏଭଳି ଲେଖୁଛନ୍ତି ତାଙ୍କୁ ପଚରାଯାଉ ବୋଲି ସେ କହିଥିଲେ।