କୋଣାର୍କ,୩।୪(ଡି.ଏନ୍.ଏ.): କରୋନା ସମୟରେ ନିରବଚ୍ଛିନ୍ନ ଖବର ପରିବେଷଣ କରିବା ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଓଡ଼ିଶାର କାର୍ଯ୍ୟରତ ଖବରଦାତାମାନଙ୍କୁ କରୋନା ଟିକା ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରଦତ୍ତ ସରକାରୀ ଚିଠି ଆଧାରରେ କୋଣାର୍କ ଅଞ୍ଚଳର ଖବରଦାତା ଭାଗୀରଥି ସ୍ବାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଟୁଇଟ୍ ଯୋଗେ ଅବଗତ କରାଇଛନ୍ତି। ଖବର ଅନୁଯାୟୀ, ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପତ୍ର ସଂଖ୍ୟା- ୮୨୩୮, ତା -୧୭।୩।୨୧ରେ ସ୍ବାସ୍ଥ୍ୟ ବିଭାଗ ସଚିବ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ସଚିବଙ୍କୁ ପତ୍ର ମାଧ୍ୟମରେ ଓଡ଼ିଶାରେ କାର୍ଯ୍ୟରତ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ଖବରଦାତାମାନଙ୍କୁ କରୋନା ଟିକା ପ୍ରଦାନ ପାଇଁ ଅନୁମତି ଦେବାକୁ କହିଥିଲେ। ହେଲେ ଏ ପର୍ଯ୍ୟନ୍ତ ତାହା କୌଣସି କାର୍ଯ୍ୟକାରୀ ହୋଇ ନ ଥିବାବେଳେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଥିବାରୁ ଖବରଦାତାମାନେ ଚିନ୍ତିତ ଅଛନ୍ତି। ତେଣୁ ଏଥିପ୍ରତି କେନ୍ଦ୍ର ଯଥାଶୀଘ୍ର ଧ୍ୟାନ ଦେବା ପାଇଁ କୋଣାର୍କର ଖବରଦାତା ଭାଗୀରଥି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଟୁଇଟ ଯୋଗେ ଜଣାଇଛନ୍ତି।