Categories: ଜାତୀୟ

ଜେଲରେ ସୁକେଶଙ୍କୁ ଭେଟିଥିଲେ ୧୨ ଅଭିନେତ୍ରୀ

ନୂଆଦିଲ୍ଲୀ, ୨୦।୧୨: କୋଟିପତି ଠକ ବ୍ୟବସାୟୀ ସୁକେଶ ଚନ୍ଦ୍ରଶେଖର ତିହାର ଜେଲରେ ବିଳାସପୂର୍ଣ୍ଣ ଜୀବନ ଯାପନ କରୁଥିଲେ। ଜେଲରେ ଥାଇ ଚଳାଉଥିଲେ ବଟି ଆଦାୟ ର଼୍ୟାକେଟ। ଜେଲରେ ତାଙ୍କୁ ଗୋଟିଏ କି ଦୁଇଟି ନୁହେଁ ୧୨ ବଲିଉଡ୍‌ ଅଭିନେତ୍ରୀ ଆସିଥିଲେ। ଏହି ତାଲିକାରେ ଜାକଲିନ ଫର୍ନାଣ୍ଡିଜ୍‌, ନୋରା ଫତେହିଙ୍କ ଭଳି ଅଭିନେତ୍ରୀ ଅଛନ୍ତି। ଏ ସବୁ ବ୍ୟବସ୍ଥା ପାଇଁ ସେ ତିହାର ଜେଲ୍‌ ଅଧିକାରୀଙ୍କୁ ମସେଉଥିଲେ ମାସିକ ୧ କୋଟି ଟଙ୍କା। ସ୍ବତନ୍ତ୍ର କୋର୍ଟରେ ଇଡି ଦାଖଲ କରିଥିବା ଚାର୍ଜଶିଟରେ ଏହା ଦର୍ଶାଉଛି।

ପ୍ରଲୋଭନ ଦେଖାଇ ଲୋକଙ୍କ ବିଶ୍ୱାସ ଜିତିବା ପରେ ସେମାନଙ୍କୁ ଠକିବା ସୁକେଶଙ୍କ ପେସା। ସେ ୨୦୨୦ ଜୁନ୍‌ରୁ ୨୦୨୧ ମେ’ ମଧ୍ୟରେ ରାନବାକ୍ସିର ପୂର୍ବତନ ମାଲିକ ଶିବିନ୍ଦର ସିଂଙ୍କ ସ୍ତ୍ରୀ ଅଦିତି ସିଂଙ୍କଠାରୁ ୨୦୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀର ତିହାର ଜେଲରେ ଥିବା ସୁକେଶଙ୍କ ବିରୋଧରେ ଇଡି ମନିଲଣ୍ଡରିଂ ମାମଲାର ତଦନ୍ତ ଚଳାଇଛି। ସୁକେଶ ଏବଂ ଅଦିତିଙ୍କ ଭଉଣୀ ଅରୁନ୍ଧତୀ ଖାନ୍ନାଙ୍କୁ ଇଡି ଜେରା କରିବା ପରେ କେତେକ ତଥ୍ୟ ସାମନାକୁ ଆସିଛି। ଅରୁନ୍ଧତୀଙ୍କ ସୂଚନା ଅନୁଯାୟୀ ସୁକେଶ ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ର ସ୍ବତନ୍ତ୍ର ଡ୍ୟୁଟିରେ ଥିବା ଅଧିକାର ଅଭିନବ ବୋଲି ପରିଚୟ ଦେବା ସହ ଆୟକର ବିଭାଗ, ଗୋଇନ୍ଦା ବ୍ୟୁରୋ ଏବଂ ଆଇନ ବିଭାଗର ପ୍ରମୁଖ ଅଧିକାରୀମାନେ ତାଙ୍କ ଅଧୀନରେ ବୋଲି କହିଥିଲେ। ସୁକେଶ ମୋବାଇଲ ଆପ୍ଲିକେଶନ ଏବଂ ଭଏସ୍‌ ମଡ୍ୟୁଲେଶନ ସଫ୍ଟଓ୍ବେର ସହାୟତାରେ ବିଭିନ୍ନ ବରିଷ୍ଠ ଅଧିକାରୀମାନଙ୍କ ସ୍ବରରେ ଅଦିତିଙ୍କୁ ଫୋନ୍‌ କରୁଥିଲେ। ଗିରଫ ହୋଇଥିବା ତାଙ୍କ ସ୍ବାମୀଙ୍କୁ ଜାମିନ ମଞ୍ଜୁର କରାଇଦେବାର ପ୍ରତିଶ୍ରୁତି ଦେଇ ଟଙ୍କା ଆଦାୟ କରୁଥିଲେ। ସୁକେଶ ଜେଲ୍‌ରେ ଥାଇ ଏଭଳି କାରନାମା ଚଳାଇଥିଲେ।

Share