୧୨ ଦିନ ପରେ ଜଙ୍ଗଲରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ସମ୍ବଲପୁର,୩ା୩: ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ଡୁମେରଚୁଆଁ ଜଙ୍ଗଲରୁ ବୁଧବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଯୁଯୁମୁରା ଥାନା ଭବାନିପାଲି ଗ୍ରାମ ମିର୍ଦ୍ଧାପଡାର ଦ୍ରୋଣ ମିର୍ଦ୍ଦା(୨୮) ବୋଲି ଜଣାପଡିଛି। ନିକଟ ଗ୍ରାମବାସୀଙ୍କଠାରୁ ଖବରପାଇ ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ତଦନ୍ତ ଆରମ୍ଭ ହାତୀ ଅକ୍ରମଣରେ ମୃତ୍ୟୁ ଘଟିଥିବା ନେଇ ବଡଭାଇ ମହେନ୍ଦ୍ର ମିର୍ଦ୍ଦା ଅଭିଯୋଗ କରିଛନ୍ତି। କିଛିମାସ ପୂର୍ବରୁ ଶିକାରୀମାନେ ବିଛାଇଥିବା ବିଦ୍ୟୁତ୍‌ ତାରରେ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଦ୍ରୋଣଙ୍କୁ ହତ୍ୟା କରାଯାଇଥିବା ମଧ୍ୟ ଆଲୋଚନା ହେଉଛି। ଅନ୍ୟପକ୍ଷେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି। ମିଳିଥିବା ସୂଚନା ଅନୁଯାୟୀ, ଦ୍ରୋଣ ଫେବୃୟାରୀ ୧୯ରୁ ନିଖୋଜ ଥିଲେ। ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇ ସେ ଆଉ ଘରକୁ ଫେରି ନ ଥିଲେ। ବଡଭାଇ ମହେନ୍ଦ୍ରଙ୍କ ସହ ଗ୍ରାମବାସୀ ଜଙ୍ଗଲରେ ଖୋଜାଖୋଜି କରିବାରୁ ଏକ ବାଉଁଶ ଗଛ ନିକଟରେ ଦ୍ରୋଣଙ୍କ ମୃଦଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଜଙ୍ଗଲରୁ ମୃତହେଦ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସଦର ରେଞ୍ଜ ଦାୟିତ୍ୱରେ ଥିବା ଡେପୁଟି ରେଞ୍ଜର ଅକ୍ଷୟ ମହାରଣା କହିଛନ୍ତି, ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସରକାରୀ ନିୟମ ଅନୁସାରେ ପରିବାର ଲୋକଙ୍କୁ ସହାୟତା ଯୋଗାଇ ଦିଆଯିବ।

Share