Categories: ଜାତୀୟ

ସମୁଦ୍ର ଆଁକୁ ଯିବ ୧୨ ଭାରତୀୟ ସହର…

ନୂଆଦିଲ୍ଲୀ,୨।୧୧: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ଏବେ ୧୨ ଭାରତୀୟ ସହର ଉପରେ ବିପଦ ଦେଖାଦେଇଛି। ବିଶ୍ୱ ତାପନ ବୃଦ୍ଧି ଯୋଗୁ ମେରୁ ଅଞ୍ଚଳର ହିମ ପାହାଡ଼ ତରଳିବାରେ ଲାଗିଛି। ଫଳରେ ସମୁଦ୍ର ପତ୍ତନର କ୍ରମାଗତ ବୃଦ୍ଧି ହେତୁ ସମୁଦ୍ର କୂଳରେ ଅବସ୍ଥିତ ୧୨ ଭାରତୀୟ ସହର ସମୁଦ୍ର ଆଁରେ ପ୍ରବେଶ କରି ଜଳମଗ୍ନ ହେବାର ଆଶଙ୍କା ରହିଛି।

ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ ସ୍ପେସ ଆଡମିନିଷ୍ଟ୍ରେସନ (ନାସା) ଦ୍ୱାରା ପ୍ରକାଶିତ ଏକ ନୂତନ ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ  ପରିବେଶରେ ବ୍ୟାପକ ପରିବର୍ତ୍ତନ ଦେଖିବା ପୂର୍ବରୁ ବିଶ୍ୱର ଜଳବାୟୁ ପରିବର୍ତ୍ତନ ବିରୋଧରେ ବିଭିନ୍ନ ରାଷ୍ଟ୍ର ଏକଜୁଟ ହେବା ଆବଶ୍ୟକ।

ନାସା ନିକଟରେ ଆନ୍ତଃରାଜ୍ୟ ପ୍ୟାନେଲ ଜଳବାୟୁ ପରିବର୍ତ୍ତନ (ଆଇପିସିସି) ରିପୋର୍ଟ ବ୍ୟବହାର କରି ସମଗ୍ର ବିଶ୍ୱରେ ସମୁଦ୍ର ପତ୍ତନ ପରିବର୍ତ୍ତନକୁ ବିଶ୍ଳେଷଣ କରି ଆଶ୍ଚର୍ଯ୍ୟଜନକ ସିଦ୍ଧାନ୍ତରେ ପହଞ୍ଚିଛି। ଏହି ରିପୋର୍ଟରେ ପ୍ରକାଶ ପାଇଛି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଉପକୂଳରେ ଅବସ୍ଥିତ ସମୁଦାୟ ୧୨ ଟି ଭାରତୀୟ ସହର ଜଳମଗ୍ନ ହେବାର ଆଶଙ୍କା ରହିଛି।

ଗତ କିଛି ବର୍ଷ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭାରତର ସବୁଠାରୁ ବ୍ୟସ୍ତବହୁଳ ସହର ମୁମ୍ବାଇ ଜଳମଗ୍ନ ହେବାର ଆଶଙ୍କା ଦେଖାଦେଇଥିବା ଆଇପିସିସି ରିପୋର୍ଟରେ ଦର୍ଶାଯାଇଛି। ଯଦି ବର୍ତ୍ତମାନର ଜଳବାୟୁ ଧାରା ଜାରି ରହେ, ତେବେ ମୁମ୍ବାଇ ୧.୯ ଫୁଟ ସମୁଦ୍ର ପାଣି ତଳେ ବୁଡ଼ିଯିବ। ଦକ୍ଷିଣ ଭାରତର ପର୍ଯ୍ୟଟନସ୍ଥଳୀ ଏବଂ ବ୍ୟସ୍ତବହୁଳ ସହର ମଧ୍ୟରୁ ଚେନ୍ନାଇ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି।

ରିପୋର୍ଟ ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ହେତୁ ଚେନ୍ନାଇ ପ୍ରାୟ ୧.୮୭ ଫୁଟ ଜଳମଗ୍ନ ହେବାର ଆଶଙ୍କା ଅଛି। ସେହିପରି କର୍ନାଟକର ପ୍ରମୁଖ ସହର ମାଙ୍ଗାଲୋର ୧.୮୭ ଫୁଟ ପାଣିରେ ବୁଡ଼ିଯିବାର ଆଶଙ୍କା ଥିବାର ରିପୋର୍ଟରେ ଦର୍ଶାଯାଇଛି। ଗୁଜୁରାଟରେ ଅବସ୍ଥିତ ଭାଉନଗର ସହର ୨.୭୦ ଫୁଟ ପର୍ଯ୍ୟନ୍ତ ଜଳମଗ୍ନ ହେବାକୁ ଯାଉଥିବା ରିପୋର୍ଟରେ କୁହାଯାଇଛି।

ଗୋଆର ମୋର୍ମୁଗୋଆ ସହର ପ୍ରାୟ ୨.୦୬ ଫୁଟ ପାଣିରେ ବୁଡ଼ିଯିବ ବୋଲି ଆଶଙ୍କା କରାଯାଉଛି। ଏହା ବ୍ୟତୀତ ଭାରତର ଅନ୍ୟ କେତେକ ସହର ମଧ୍ୟ ସମୁଦ୍ରରେ ବୁଡ଼ିଯିବାର ସମ୍ଭାବନା ରହିଛି। ଏହି ସହରଗୁଡ଼ିକ ହେଉଛି ଟୁଟିକୋରିନ (୧.୯ ଫୁଟ), ଖିଦିରପୁର (୦.୪୯ ଫୁଟ), ପାରାଦୀପ (୧.୯୩ ଫୁଟ), ଓଖା (୧.୯୬ଫୁଟ), ବିଶାଖାପଟ୍ଟନମ (୧.୭୭ଫୁଟ) ଏବଂ କାଣ୍ଡଲା (୧.୮୭ ଫୁଟ)। ଏନେଇ ସଚେତନତା ସୃଷ୍ଟି କରାଯିବା ଲାଗି ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଛି।

Share