ଭୁବନେଶ୍ୱର, ୬।୭(ବ୍ୟୁରୋ): ରାଜ୍ୟରେ ‘ବ୍ଲାକ୍ ଫଙ୍ଗସ’ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମେ’ ୧୦ରେ ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିଲେ। ଇତିମଧ୍ୟରେ ମୋଟ୍ ୧୩୦ଜଣ ବ୍ଲାକ ଫଙ୍ଗସରେ ସଂକ୍ରମିତ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ୨୦ ଜଣଙ୍କର ମୃତ୍ୟୁ ହୋଇଛି ଓ ୧୬ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୬ଟି ଜିଲାରୁ ଏହି ରୋଗୀ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଓ ଖୋର୍ଦ୍ଧାରୁ ସର୍ବାଧିକ ୨୧ଜଣ ଲେଖାଏ ଥିବାବେଳେ ବାଲେଶ୍ୱରରୁ ୮, ଅନୁଗୋଳ ଓ କଟକରୁ ୭ ଜଣ ଲେଖାଏ ରୋଗୀ ଚିହ୍ନଟ ହୋଇଛନ୍ତି। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ ଏବେ ଆଉ କାଁ ଭାଁ ବ୍ଲାକ୍ ଫଙ୍ଗସ୍ କେସ୍ ସାମ୍ନାକୁ ଆସୁଛି। ବ୍ଲାକ୍ ଫଙ୍ଗସ କେସ୍କୁ ନେଇ ଏତେ ଭୟଙ୍କର ସ୍ଥିତି ରାଜ୍ୟରେ ନାହିଁ।