Categories: ଜାତୀୟ

ବିବାହର ୨୫ ବର୍ଷ ପରେ ଫେସ୍‌ବୁକ୍‌ ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲେ ମହିଳା

ନୂଆଦିଲ୍ଲୀ,୨୭।୫: ଦିଲ୍ଲୀର ଦରିଆଗଞ୍ଜ ଅଞ୍ଚଳରେ ଓ୍ବାର୍କଶପ୍‌ ମାଲିକ ମୋଇନୁଦ୍ଦିନ କ୍ୟୁରେଶୀ ହତ୍ୟା ମାମଲାରେ ଏକ ସମ୍ବେଦନଶୀଳ ଖୁଲାସା ହୋଇଛି। କୁରେଶୀଙ୍କ ହତ୍ୟାରେ କୌଣସି ବାହାର ଲୋକ ନୁହେଁ, ବରଂ ତାଙ୍କ ସ୍ତ୍ରୀଙ୍କ ହାତ ଥିବା ଜଣାପଡିଛି। କୁରେଶୀଙ୍କ ସ୍ତ୍ରୀ ତାଙ୍କ ପ୍ରେମିକ ମିଶି ଏହି ହତ୍ୟାକାଣ୍ଡ ଘଟାଇଥିଲେ। ଉଭୟ ୬ ଲକ୍ଷ ଟଙ୍କାର ସୁପାରୀ ଦେଇ ଗାଜିଆବାଦରୁ ହତ୍ୟାକାରୀଙ୍କୁ ଡାକିଥିଲେ। ମୃତକଙ୍କ ସ୍ତ୍ରୀଙ୍କ ମୋବାଇଲର କଲ ଡିଟେଲ୍ସ ରେକର୍ଡ (ସିଡିଆର୍‌)ରୁ ପୋଲିସ ଏକ ବଡ ସୁରାଗ ପାଇ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ପୋଲିସ ମୋଇନୁଦ୍ଦିନ କୁରେଶୀଙ୍କ ୪୦ ବର୍ଷିୟା ସ୍ତ୍ରୀ ଜିବା କୁରେଶୀ, ତାଙ୍କର ୨୯ ବର୍ଷିୟ ପ୍ରେମିକ ଶୋଏବ ଏବଂ ହତ୍ୟାକାରୀ ବିନୀତ ଗୋସ୍ବାମୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଏକ ପିସ୍ତଲ ଏବଂ ଏକ ଚୋରି ବାଇକ ଜବତ କରାଯାଇଛି।
ଡିସିପି ଶ୍ୱେତା ଚୌହାନ କହିଛନ୍ତି, ମେ ୧୭ ରାତି ପ୍ରାୟ ୧୦ଟା ବେଳେ ଅଜ୍ଞାତ ବାଇକ ଆରୋହୀମାନେ କାଳିଦାସ ରୋଡରେ ଥିବା ଖାଲସା ସ୍କୁଲ ସମ୍ମୁଖରେ ଓ୍ବାର୍କଶପ୍‌ ମାଲିକ ମୋଇନୁଦ୍ଦିନଙ୍କୁ ଗୁଳି କରି ହତ୍ୟା କରିଥିଲେ। ମୋଇନୁଦ୍ଦିନଙ୍କ ସାନଭାଇ ରୁକ୍‌ନୁଦ୍ଦିନଙ୍କ ପକ୍ଷରୁ ଏନେଇ ମାମଲା ରୁଜୁ କରାଯାଇଥିଲା।
ପଚରାଉଚରା ସମୟରେ ଜିବା ପ୍ରକାଶ କରିଥିଲେ, ସେ ପ୍ରାୟ ୨୫ ବର୍ଷ ପୂର୍ବେ ମୋଇନୁଦ୍ଦିନଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ ଅଛି। ଶେଏବଙ୍କ ସହ ତାଙ୍କର ଫେସ୍‌ବୁକ୍‌ରୁ ପରିଚୟ ସୃଷ୍ଟି ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା।

Share