ବାଇଡେନ୍‌ଙ୍କ ପ୍ରଶାସନରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ୨୦ ଭାରତୀୟ ବଂଶୋଦ୍ଭବ

ଓ୍ବାଶିଂଟନ,୧୭।୧: ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ଜାନୁୟାରୀ ୨୦ରେ ଶପଥ ନେବେ। ବାଇଡେନଙ୍କ ପ୍ରଶାସନରେ ମୁଖ୍ୟ ଭୂମିକା ଗ୍ରହଣ କରିବା ଲାଗି ଇତିମଧ୍ୟରେ ୨୦ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ମନୋନୀତ କରାଯାଇଛି। ସେମାନଙ୍କ ମଧ୍ୟରେ ୧୩ ଜଣ ମହିଳା ରହିଛନ୍ତି। ସେହିପରି ହ୍ବାଇଟ୍‌ ହାଉସ୍‌ରେ ୧୭ ଜଣ ଭାରତୀୟ ବଂଶୋଦ୍ଭବ କାର୍ଯ୍ୟ କରିବେ। ସେମାନଙ୍କ ମଧ୍ୟରୁ ନୀରା ଟଣ୍ଡନଙ୍କୁ ହ୍ବାଇଟ୍‌ ହାଉସ୍‌ କାର୍ଯ୍ୟାଳୟର ନିର୍ଦ୍ଦେଶକ ଭାବେ ମନୋନୀତ କରାଯାଇଛି। ଡ. ବିବେକ ମୂର୍ତ୍ତିଙ୍କୁ ଆମେରିକା ସର୍ଜନ ଜେନେରାଲ, ବିନିତା ଗୁପ୍ତାଙ୍କୁ ନ୍ୟାୟ ବିଭାଗ ସହକାରୀ ଆଟର୍ନି ଜେନେରାଲ, ସାଧାରଣ ସୁରକ୍ଷା-ଗଣତନ୍ତ୍ର-ମାନବାଧିକାର ସଚିବ ଭାବେ ଉଜ୍ରା ଜେୟା, ବାଇଡେନ୍‌ଙ୍କ ସ୍ତ୍ରୀ ଡ. ଜିଲି ବାଇଡେନ୍‌ଙ୍କ ନୀତି ନିର୍ଦ୍ଦେଶକ ଭାବେ ମାଲା ଆଦିଗାଙ୍କୁ ମନୋନୀତ କରାଯାଇଛି। ସେହିପରି ସାବ୍ରିନା ସିଂଙ୍କୁ ପ୍ରେସ୍‌ ସଚିବ, ଆଇଶା ଶାହାଙ୍କୁ ହ୍ବାଇଟ୍‌ ହାଉସ୍‌ର ଡିଜିଟାଲ ରଣନୀତି ଅଂଶୀଦାର ପରିଚାଳକ, ସମିରା ଫୈଜିଲଙ୍କୁ ଜାତୀୟ ଆର୍ଥିକ ପରିଷଦ ସହ ନିର୍ଦ୍ଦେଶିକା, ଭାରତ ରାମମୂର୍ତ୍ତିଙ୍କୁ ଜାତୀୟ ଆର୍ଥିକ ପରିଷଦ ସହ ନିର୍ଦ୍ଦେଶକ, ଗୌତମ ରାଘବନଙ୍କୁ ରାଷ୍ଟ୍ରପତିଙ୍କ କାର୍ମିକ କାର୍ଯ୍ୟାଳୟ ସହ ନିର୍ଦ୍ଦେଶକ ଏବଂ ବିନୟ ରେଡ୍ଡୀଙ୍କୁ ସ୍ପିଚ୍‌ ରାଇଟିଂ ନିର୍ଦ୍ଦେଶକ ଭାବେ ମନୋନୀତ କରାଯାଇଛି। ବାଇଡେନ୍‌ଙ୍କ ସରକାରରେ ଭାରତୀୟ ବଂଶୋଦ୍ଭବ କମଲା ହାରିସ୍‌ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ। ଆମେରିକା ଜନସଂଖ୍ୟାରେ ଭାରତୀୟ ବଂଶୋଦ୍ଭବଙ୍କ ସଂଖ୍ୟା ପ୍ରାୟ ୧ ପ୍ରତିଶତ ରହିଛି। ମାତ୍ର ବାଇଡେନ୍‌ଙ୍କ ସରକାରେ ସେମାନଙ୍କ ସଂଖ୍ୟା ଅଧିକ ରହିଥିବା କୁହାଯାଉଛି।

Share