ଅଭିଯୁକ୍ତଙ୍କ ମୃତ୍ୟୁର ୨୧ ମାସ ପରେ କୋର୍ଟ ରାୟ ଦେଲେ ନିର୍ଦ୍ଦୋଷ…

ରାୟପୁର,୧୦।୧୦: ମୃତ୍ୟୁର ୨୧ ମାସ ପରେ ଜଣେ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଗତ ୧୮ ବର୍ଷ ଧରି ଏହି ମାମଲାର ଶୁଣାଣି ଜାରି ରହିଥିଲା। ଜୀବନ ସାରା ତାଙ୍କ ବିରୋଧରେ ଅଣାଯାଇଥିବା ଦୁର୍ନୀତି ଅଭିଯୋଗରୁ ମୁକ୍ତି ପାଇବା ପାଇଁ ଅଭିଯୁକ୍ତ ନ୍ୟାୟ ଲାଗି ଲଢ଼ିଥିଲେ। ସେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ କିନ୍ତୁ ନ୍ୟାୟ ପାଇଁ ସଂଗ୍ରାମ ଜାରି ରଖିଥିଲେ। ଶେଷରେ, ସେ ଦୁନିଆ ଛାଡିଥିଲେ। ତାଙ୍କ ମୃତ୍ୟୁର ୨୧ ମାସ ପରେ, ସେ ନିର୍ଦ୍ଦୋଷ ବୋଲି କୋର୍ଟ ରାୟ ଦେଇଛନ୍ତି। ଛତିଶଗଡରେ ଏହି ଘଟଣା ଘଟିଛି।

୧୯୯୯ଠାରୁ ଏହି ମାମଲାର ବିଚାର ଚାଲିଥିଲା। ଛତିଶଗଡର ଦୁର୍ଗ ଜିଲାର ଶିବ ପ୍ରସାଦ ଫରେଷ୍ଟ ବିଡ ଗାର୍ଡ ଭାବରେ କାର୍ଯ୍ୟ କରୁଥିଲେ। କାଠ ଚୋରି ହେବାର ସୂଚନା ପାଇ ସେ ଘଟଣାସ୍ଥଳରେ ପହଞ୍ଚି କାଠ ଜବତ କରିଥିଲେ। ପରେ କାଠ ଚୋରି ମାମଲାର ଅଭିଯୁକ୍ତ ତାଙ୍କ ବିରୋଧରେ ୧୦୦୦ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ଆଣିଥିଲେ। ଏକ ସ୍ବତନ୍ତ୍ର ଅଦାଲତରେ ଏହି ମାମଲାର ଶୁଣାଣି କରାଯାଇଥିଲା ଏବଂ ଶିବ ପ୍ରସାଦ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଦଣ୍ଡିତ ହୋଇଥିଲେ।

ସ୍ବତନ୍ତ୍ର କୋର୍ଟର ଏହି ନିଷ୍ପତ୍ତି ବିରୋଧରେ ଶିବ ପ୍ରସାଦ ୨୦୦୩ ରେ ହାଇକୋର୍ଟରେ ଆବେଦନ କରିଥିଲେ। ସେଠାରେ ମାମଲାର ଶୁଣାଣି ଜାରି ରହିଥିଲା। ଏହି ସମୟରେ ଶିବ ପ୍ରସାଦ ଏବଂ ତାଙ୍କ ପରିବାର ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଡିସେମ୍ବର ୨୦୧୯ରେ ଶିବ ପ୍ରସାଦଙ୍କର ମୃତ୍ୟୁ ଘଟିଥିଲା। ଏବେ ୨୦୨୧ରେ କୋର୍ଟ ଶିବ ପ୍ରସାଦଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରଛନ୍ତି। ଶିବ ପ୍ରସାଦଙ୍କୁ ନ୍ୟାୟ ମିଳିଛି, କିନ୍ତୁ ସେ ଏହାକୁ ଦେଖିବା ପାଇଁ ଜୀବିତ ନାହାନ୍ତି।

Share