ବଲାଙ୍ଗୀର ଅଫିସ, ୨୪।୫: ବଲାଙ୍ଗୀର ଲର୍କିପାଲରେ ଥିବା ସରକାରୀ ଆଇଟିଆଇ କଲେଜ ହଷ୍ଟେଲରେ ୨୦ ଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ସୋମବାର ରାତିରେ ଛାତ୍ରମାନେ ଖାଉଥିବା ସମୟରେ ପ୍ରଥମ ବର୍ଷର ଜଣେ ଛାତ୍ରର ଡାଲିରୁ ଏକ ମୃତ ଝିଟିପିଟି ପଡିଥିବା ଦେଖିବାକୁ ପାଇଥିଲେ। ସେତେବେଳକୁ ଅନେକ ପିଲା ଖାଇ ସାରିଥିଲେ। ଘଟଣା ଜଣାପଡିବା ପରେ ଡାଲିକୁ ଫୋପାଡ଼ିି ଦିଆଯାଇଥିଲା । ରାତିରେ କିଛି ପିଲାଙ୍କ ପେଟ କାଟିଥିଲା। କଲେଜ କର୍ତ୍ତୃପକ୍ଷଙ୍କୁ ଏହା ଜଣାଇବା ପରେ ମଧ୍ୟ ଛାତ୍ରମାନଙ୍କୁ ମେଡିକାଲ ନେଇ ନ ଥିଲେ । ତେବେ ମଙ୍ଗଳବାର ଅନ୍ୟ ୨୦ ଜଣ ଛାତ୍ରଙ୍କ ପେଟ କାଟିବାରୁ, ସେମାନଙ୍କ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। କୌଣସି ଛାତ୍ର ଗୁରୁତର ନ ଥିବା ଜଣାପଡିଛି। ଏ ନେଇ କଲେଜରେ ଉତ୍ତେଜନା ଦେଖା ଦେଇଥିଲା। ଅନ୍ୟପକ୍ଷେ ଘଟଣାର ତଦନ୍ତ କରି ହଷ୍ଟେଲ ଇନ୍ଚାର୍ଜ ରୋଷେୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।