୯/୧୧କୁ କୋଡ଼ିଏ

ଓ୍ବାଶିଂଟନ୍‌, ୧୧ା୯: ୨୦୦୧ ସେପ୍ଟେମ୍ବର ୧୧ ପୂର୍ବାହ୍ନ ୮ଟା ୪୫। ଆତଙ୍କବାଦୀ ସଙ୍ଗଠନ ଅଲ୍‌କାଏଦାର ଭୟଙ୍କର ରୂପ ଦେଖିଥିଲା ବିଶ୍ୱର ସର୍ବଶକ୍ତିଶାଳୀ ରାଷ୍ଟ୍ର ଆମେରିକା। ଦୁର୍ଭେଦ୍ୟ ସୁରକ୍ଷା ବଳୟକୁ ଭେଦକରି ଆତଙ୍କବାଦୀ ଖେଳିଥିଲେ ରକ୍ତର ହୋଲି। ସେମାନଙ୍କ ଦ୍ୱାରା ହାଇଜାକ୍‌ କରାଯାଇଥିବା ଦୁଇଟି ବିମାନ ନ୍ୟୁୟର୍କର ଆର୍ଥିକ ବ୍ୟବସ୍ଥାର କେନ୍ଦ୍ରସ୍ଥଳ ଓ୍ବାଲର୍‌ଡ ଟ୍ରେଡ୍‌ ସେଣ୍ଟରକୁ ଘଣ୍ଟା ପ୍ରତି ୯୮୭.୬ କିଲୋମିଟର ବେଗରେ ଆସି ଦେଇଥିଲା ଧକ୍କା। ମାତ୍ର କେଇ ଘଣ୍ଟା ମଧ୍ୟରେ ଆକାଶକୁ ମୁହଁ କରି ଛିଡ଼ା ହୋଇଥିବା ବିଶାଳକାୟ ଅଟ୍ଟାଳିକା ହୋଇଯାଇଥିଲା ଧରାଶାୟୀ। ଏହାର କିଛି ସମୟ ପରେ ଓ୍ବାଶିଂଟନ୍‌ ଡିସି ବାହାରେ ପେଣ୍ଟାଗନ୍‌ରେ ଅନ୍ୟ ଏକ ବିମାନକୁ କରାଯାଇଥିଲା ବିସ୍ଫୋରଣ। ଓ୍ବାଶିଂଟନ୍‌ ଡିସିକୁ ଟାର୍ଗେଟ କରାଯାଇଥିବା ୪ର୍ଥ ବିମାନର ଚାଳକ ଏବଂ ଯାତ୍ରୀ ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି ଉଡ଼ାଜାହଜକୁ ନିୟନ୍ତ୍ରଣକୁ ଆଣିଥିଲେ ହେଁ, ପେନ୍‌ସିଲଭାନିଆ ନିକଟରେ ଏହା କ୍ରାଶ୍‌ ହୋଇଯାଇଥିଲା। ଆତଙ୍କବାଦୀଙ୍କ ଏହି ବର୍ବରକାଣ୍ଡର ବହୁମୂଲ୍ୟ ଦେଇଥିଲେ ଆମେରିକାବାସୀ। ଅକାଳରେ ଲିଭିଯାଇଥିଲା ୩୦୦୦ ଲୋକଙ୍କ ଜୀବନଦୀପ। ଆମେରିକା ଇତିହାସର କଳାଦିନ ଭାବେ ପରିଚିତ ‘୯/୧୧’ର ସେହି ଲୋମଟାଙ୍କୁରା ଘଟଣା ଦୀର୍ଘ ୨୦ ବର୍ଷ ପରେ ଯେତିକି ମର୍ମନ୍ତୁଦ ସେତିକି ସତେଜ।

୧୧ ସେପ୍ଟେମ୍ବର ୨୦୦୧ ମଙ୍ଗଳବାର ସକାଳେ ନ୍ୟୁୟର୍କର ସବୁଠୁ ଉଚ୍ଚ ଅଟ୍ଟାଳିକା ଓ୍ବାଲର୍‌ଡ ଟ୍ରେଡ୍‌ ସେଣ୍ଟର(ଡବ୍ଲ୍ୟୁଟିସି) ନର୍ଥ ଟାଓ୍ବାରରେ ମାଡ଼ ହୋଇଥିଲା ବୋଇଂ ୭୬୭ ବିମାନ। ପ୍ରାୟ ୧୦୦ ମିନିଟ୍‌ ଧରି ହୁ ହୁ ହୋଇ ଜଳିବାରେ ଲାଗିଥିଲା ଟାଓ୍ବାରରେ ଥିବା ମହଲାଗୁଡ଼ିକ। ଏହାର ଠିକ୍‌ ୧୮ ମିନିଟ୍‌ ପରେ ସକାଳ ୯ଟା ୩ରେ ଡବ୍ଲ୍ୟୁଟିସିର ଅନ୍ୟ ଟାଓ୍ବାରରେ ପିଟି ହୋଇଥିଲା ଆଉ ଏକ ବିମାନ। ୫୬ ମିନିଟ୍‌ ଧରି ଦ୍ୱିତୀୟ ଟାଓ୍ବାର ଜଳିବାରେ ଲାଗିଥିଲା। ପରେ ଆଖିପିଛୁଳାକେ ଭୁସୁଡ଼ି ପଡ଼ିଥିଲା ଆଖି ପାଉ ନ ଥିବା ବିଶ୍ୱର ଅନ୍ୟତମ ଉଚ୍ଚତମ ଅଟ୍ଟାଳିକା। ନିଆଁ, ମୋଟା କଳା ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା ଚାରିପାଖ। କିଛି ସମୟ ପରେ ଆଉ ଚିତ୍କାର ଶୁଭିବା ମଧ୍ୟ ବନ୍ଦ ହୋଇଯାଇଥିଲା। ଉଦ୍ଧାର କାମ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହେବାବେଳକୁ ପୁଣି ଶୁଭିଥିଲା ଆଉ ୨ ଟି ବିସ୍ଫୋରଣର ଶବ୍ଦ। ସେଥିରେ ଗୋଟିଏ ବିମାନ ଓ୍ବାଶିଂଟନ୍‌ ଡିସିରେ ଥିବା ପେଣ୍ଟାଗନ୍‌ ବିଲ୍ଡିଂରେ ମାଡ଼ ହୋଇଥିବାବେଳେ ଚତୁର୍ଥ ଆକ୍ରମଣକାରୀ ବିମାନ ପେନ୍‌ସିଲଭାନିଆରେ ଏକ ପଡ଼ିଆରେ ପଡ଼ିଥିଲା।
୪ଟି ବିମାନ ଅପହରଣ କରି ଆକ୍ରମଣରେ ଲଗାଇଥିଲା। ଏତତ୍ପାଇଁ ୧୯ ଆତଙ୍କବାଦୀ ନିୟୋଜିତ ହୋଇଥିଲେ। ଆତ୍ମଘାତୀ ବିସ୍ଫୋରଣରେ ଧ୍ୱଂସ ହୋଇଯାଇଥିଲା ୧୧୦ ମହଲା ବିଶିଷ୍ଟ ଡବ୍ଲ୍ୟୁଟିସି ଟୁଇନ୍‌ ଟାଓ୍ବାର। ଲକ୍ଷାଧିକ ଟନ୍‌ର ବର୍ଜ୍ୟ ସେଠାରେ ଠୁଳ ହୋଇଯାଇଥିଲା। ମୃତ୍ୟୁସଂଖ୍ୟା ବଢ଼ି ପ୍ରାୟ ୩ ହଜାରରେ ପହଞ୍ଚିଥିଲା। ମୃତକଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତଙ୍କ ପରିଚୟ ଏବେ ବି ମିଳିପାରିନି। ମଙ୍ଗଳବାର ଆଉ ୨ ମୃତକ ଚିହ୍ନଟ ହୋଇଥିବାବେଳେ ବାକିଙ୍କୁ ଜାଣିବାକୁ ଅତ୍ୟାଧୁନିକ ଡିଏନ୍‌ଏ ଟେକ୍ନୋଲୋଜିରେ ଏହି ପ୍ରକ୍ରିୟା ଜାରି ରହିଛି। ଆହତଙ୍କ ମଧ୍ୟରୁ ଅନେକେ ଏବେ ବି ସୁସ୍ଥ ଜୀବନ ବଞ୍ଚିବା ପାଇଁ ସଂଘର୍ଷରତ। ବିଶ୍ୱକୁ ଥରାଇ ଦେଇଥିବା ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଅଲ୍‌କାଏଦା ମୁଖ୍ୟ ଓସମା ବିନ୍‌ ଲାଡେନ୍‌ଙ୍କୁ ହତ୍ୟା କରିବାକୁ ଆମେରିକା ଯୋଜନା କରିଥିଲା। ଆକ୍ରମଣକାରୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଘୋଷଣା କରିଥିଲେ ତତ୍‌କାଳୀନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍‌। ୨୦୧୧ ମେ’ ୨ରେ ପାକିସ୍ତାନରେ ଆମେରିକା କମାଣ୍ଡୋ ପଶି ଲାଡେନ୍‌ଙ୍କୁ ହତ୍ୟା କରିଥିଲେ। ସେପଟେ ଆମେରିକା ଲାଡେନ୍‌ଙ୍କୁ ଶରଣ ଦେଇଥିବା ତାଲିବାନ୍‌କୁ ୨୦୦୧ରେ ଆଫଗାନିସ୍ତାନ ଶାସନରୁ ହଟାଇଦେଇଥିଲା। ୨୦ ବର୍ଷ ପରେ ଓ୍ବାଶିଂଟନ୍‌ ୯/୧୧ର ଅଭୁଲା ସ୍ମୃତିକୁ ମନେପକାଇ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଉଥିବାବେଳେ ଆମେରିକାକୁ ଅଟ୍ଟହାସ୍ୟ କଲାପରି ତାଲିବାନ୍‌ ଗୋଷ୍ଠୀ ଆତଙ୍କବାଦୀଙ୍କୁ ନେଇ ଆୟୋଜିତ କରିବାକୁ ଯାଉଛି ଦ୍ୱିତୀୟ ପାଳି ସରକାରର ଶପଥ ସମାରୋହ ।

ସଫଳ ହୋଇନି ମିଶନ

୯/୧୧ ଆକ୍ରମଣ ଆମେରିକାର ଜାତୀୟ ସୁରକ୍ଷା ବ୍ୟବସ୍ଥା ପ୍ରତି ଏକ ଶକ୍ତ ଧକ୍କା ଥିଲା। ତତ୍‌କାଳୀନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍‌ ଅଲକାଏଦାକୁ ମୂଳପୋଛ କରିବାକୁ ଶପଥ ନେବା ସହ ଆତଙ୍କବାଦ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ। ସମୟ ବିତିବା ସହ କ୍ରମେ ବଦଳିଥିଲା ଆହ୍ବାନ ଓ ମିଶନର ଲକ୍ଷ୍ୟ। ଏକ ଲମ୍ବା ଯୁଦ୍ଧରେ ପ୍ରବେଶ କରିଥିଲା ଆମେରିକା। ଇରାକ୍‌ ଏବଂ ଆଫଗାନିସ୍ତାନରେ ଆମେରିକା ନେତୃତ୍ୱରେ ଚାଲିଥିବା ଲଢ଼େଇରେ ଲକ୍ଷ ଲକ୍ଷ ଜନସାଧାରଣ ନିହତ ହୋଇଛନ୍ତି। ଟ୍ରିଲିୟନ ଡଲାର ଅର୍ଥ ସରିଛି। ଏହା ସତ୍ତ୍ୱେ ଆତଙ୍କବାଦ ବିରୋଧୀ ଲଢ଼େଇରେ ଲକ୍ଷ୍ୟ ହାସଲ କରିପାରିନି ଆମେରିକା। ୨୦୦୧ ଭଳି ବଡ଼ ଧରଣର ଆକ୍ରମଣ ଆମେରିକାରେ ହୋଇ ନ ଥିଲେ ବି ଅଲ୍‌-କାଏଦା ଭଳି କଠୋରପନ୍ଥୀ ନୀତିଧାରୀ ସଙ୍ଗଠନ ସଂଖ୍ୟା କିନ୍ତୁ ବୃଦ୍ଧି ପାଇଛି। ବିଶେଷ କରି ମଧ୍ୟ ପ୍ରାଚ୍ୟ, ଏସିଆ ଏବଂ ଆଫ୍ରିକାରେ ଆତଙ୍କବାଦୀ ସେମାନଙ୍କ କାୟା ବିସ୍ତାର କରିବାରେ ଲାଗିଛନ୍ତି। ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହୃତ ହେବା ପରେ ଏହି ନେଟଓ୍ବର୍କ ବ୍ୟାପକ ହେବାର ଆଶଙ୍କା ଘନେଇଛି। ବିଶେଷଜ୍ଞଙ୍କ ମତରେ ବର୍ଷ ବର୍ଷ ଧରି ସାମାନ୍ୟ ନିଷ୍କ୍ରିୟ ହୋଇଥିବା ଏହି ସଙ୍ଗଠନଗୁଡ଼ିକ ଏଣିକି ଆମେରିକା ତଥା ବିଶ୍ୱର ଅନ୍ୟ ପ୍ରାନ୍ତରେ ଆହୁରି ଭୟଙ୍କର ଆକ୍ରମଣ କରିବାରେ ସକ୍ଷମ ହେବେ।

ଲମ୍ବା ଲଢ଼େଇରେ ଆମେରିକା

ଆତଙ୍କବାଦୀ ରକ୍ତର ହୋଲି ଖେଳିବା ପରେ ନୂଆ ମିଶନ ଆରମ୍ଭ କରିଥିଲା ଆମେରିକା। ଆରମ୍ଭ ହୋଇଥିଲା ଇତିହାସର ସବୁଠୁ ଲମ୍ବା ଲଢ଼େଇ। ଆଫଗାନିସ୍ତାନରେ ୨୦ ବର୍ଷ ଧରି ରହିଥିଲେ ଆମେରିକୀୟ ସୈନ୍ୟ। ଯୁଦ୍ଧରେ ନିହତ ହୋଇଥିଲେ ୬୯ ହଜାର ଆଫଗାନ୍‌ ସୁରକ୍ଷା କର୍ମୀ। ପ୍ରାଣ ହରାଇଥିଲେ ୫୧ ହଜାର ଆଫଗାନ୍‌ ନାଗରିକ। ୨୫ଶହ ଆମେରିକୀୟ ସୈନ୍ୟଙ୍କ ସହ ନାଟୋ ସାମରିକ ମେଣ୍ଟର ୧,୧୪୪ ସୁରକ୍ଷା କର୍ମୀ ଏହି ଯୁଦ୍ଧରେ ଜୀବନ ହାରିଥିଲେ।

ଟାଇମ୍‌ଲାଇନ୍‌

୨୦୦୧ ସେପ୍ଟେମ୍ବର ୧୧: ଓ୍ବାଲର୍‌ଡ ଟ୍ରେଡ୍‌ ସେଣ୍ଟର, ପେଣ୍ଟାଗନ୍‌ ଉପରେ ଅଲକାଏଦାର ଆକ୍ରମଣ।
ଅକ୍ଟୋବର ୭ : ଓସାମା ବିନ୍‌ ଲାଡେନ୍‌ଙ୍କୁ ତାଲିବାନ୍‌ ଶରଣ ଦେଇଥିବାରୁ ଆଫଗାନିସ୍ତାନରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍‌ଙ୍କ ‘ଅପରେଶନ ସ୍ଥାୟୀ ସ୍ବାଧୀନତା’ ଘୋଷଣା। ଆଫଗାନିସ୍ତାନକୁ ଆମେରିକାର ସୈନ୍ୟ ପ୍ରେରଣ ଆରମ୍ଭ।
୧୭ ଏପ୍ରିଲ ୨୦୦୨: ଶାସନରୁ ତାଲିବାନ୍‌କୁ ହଟାଇବା ପରେ ହମିଦ୍‌ କରଜାଇଙ୍କ ନେତୃତ୍ୱରେ ଆଫଗାନିସ୍ତାନରେ ସରକାର ଗଠନ।
୨୦୦୯: ବାରାକ ଓବାମା ଆମେରିକା ରାଷ୍ଟ୍ରପତି ଥିବା ସମୟରେ ଇରାକ୍‌ ଓ ଆଫଗାନିସ୍ତାନରେ ଯୁଦ୍ଧ ଶେଷ ପାଇଁ ଯୋଜନା। ଆଫଗାନିସ୍ତାନରେ ଆମେରିକୀୟ ସୈନ୍ୟଙ୍କ ସଂଖ୍ୟା ୧ ଲକ୍ଷକୁ ବୃଦ୍ଧି।
୨ ମେ ୨୦୧୧: ପାକିସ୍ତାନରେ ଓସାମା ବିନ୍‌ ଲାଡେନ୍‌ଙ୍କୁ ହତ୍ୟା।
ଜୁନ୍‌ ୨୦୧୧: ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିବାକୁ ଓବାମାଙ୍କ ଘୋଷଣା। ଡିସେମ୍ବର ସୁଦ୍ଧା ଇରାକ୍‌ରୁ ସମସ୍ତ ସୈନ୍ୟ ପ୍ରତ୍ୟାହାର ଶେଷ କଲା ଆମେରିକା।
ସେପ୍ଟେମ୍ବର ୨୦୧୪: ଆମେରିକାର ୯,୮୦୦ ସୈନ୍ୟଙ୍କ ସମେତ ୧୨,୫୦୦ ବିଦେଶୀ ସୈନ୍ୟ ୨୦୧୫ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ରହିବାକୁ ଆଫଗାନିସ୍ତାନ ସରକାରଙ୍କ ସହ ଚୁକ୍ତି।
୬ ଜୁଲାଇ ୨୦୧୬: ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ମନ୍ଥର କଲେ ଓବାମା। ୨୦୧୭ ପର୍ଯ୍ୟନ୍ତ ୮,୪୦୦ ଆମେରିକୀୟ ସୈନ୍ୟ ସେଠାରେ ରହିବାକୁ ଓବାମାଙ୍କ ଘୋଷଣା।
୨୦୧୭: ଆଫଗାନିସ୍ତାନରେ ୩ ହଜାର ସୈନ୍ୟ ସଂଖ୍ୟା ବୃଦ୍ଧି କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌।
୨୮ ଜୁନ୍‌ ୨୦୧୯: ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ତାଲିବାନ୍‌ ସହ ଦୋହାରେ ଆମେରିକାର ଚୁକ୍ତି ଘୋଷଣା।
୧୫ ଜାନୁୟାରୀ ୨୦୨୧: ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କଲେ ଟ୍ରମ୍ପ୍‌।
୮ ଜୁଲାଇ ୨୦୨୧: ବଗରାମ୍‌ ଏୟାରବେସ୍‌ ଛାଡ଼ିବା ପରେ ସୈନ୍ୟ ପ୍ରତ୍ୟାହାର ଶେଷ ତାରିଖକୁ ଦୁଇ ଦିନ ଘୁଞ୍ଚାଇଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌।
୧୫ ଅଗଷ୍ଟ ୨୦୨୧: ଆଫଗାନିସ୍ତାନ ରାଜଧାନୀ କାବୁଲ ଦଖଲ କଲା ତାଲିବାନ୍‌।
୨୬ ଅଗଷ୍ଟ ୨୦୨୧: କାବୁଲ ଏୟାର ପୋର୍ଟରେ ଆଇଏସ୍‌ଆଇଏସ୍‌-କେ ଆତଙ୍କବାଦୀ ଆକ୍ରମଣ। ୧୩ ଆମେରିକୀୟ ସୈନ୍ୟଙ୍କ ସମେତ ୨୦୦ ନିହତ।
୩୦ ଅଗଷ୍ଟ ୨୦୨୧: ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ଶେଷ।

ମୁସଲମାନ ବିରୋଧୀ ହିଂସା ବୃଦ୍ଧି

୯/୧୧ ଆକ୍ରମଣ ପରେ ଆମେରିକାରେ ମୁସଲମାନ ସମ୍ପ୍ରଦାୟ ବିରୋଧରେ ହିଂସା ବଢ଼ିବାରେ ଲାଗିଥିଲା। ଘୃଣା ଓ ଭେଦଭାବ ମନୋଭାବ ଯୋଗୁ ମାମଲା ସଂଖ୍ୟା ହଠାତ୍‌ ବୃଦ୍ଧି ପାଇଥିଲା। ସଂଘୀୟ ତଦନ୍ତକାରୀ ବ୍ୟୁରୋ(ଏଫ୍‌ବିଆଇ) ରିପୋର୍ଟ ଅନୁସାରେ, ୨୦୦୦ ମସିହାରେ ଆମେରିକାରେ ଏଭଳି ହିଂସା ମାମଲା ୨୮ ଥିବାବେଳେ ୨୦୦୧ରେ ତାହା ୪୮୧ରେ ପହଞ୍ଚିଥିଲା। ଆକ୍ରମଣର ୪୫ ଦିନ ପରେ ଆମେରିକା ପାଟ୍ରିଅଟ୍‌ ଆକ୍ଟ (ଦେଶଭକ୍ତି ଆଇନ) ପ୍ରଣୟନ କରିଥିଲା। ଏହି ଆଇନ ବଳରେ ସନ୍ଦିଗ୍ଧ ଆତଙ୍କବାଦୀ କାର୍ଯ୍ୟକଳାପକୁ ଚିହ୍ନଟ କରିବା ପାଇଁ ଆମେରିକୀୟଙ୍କ ଫୋନ୍‌ କଲ୍‌, ଅନ୍‌ଲାଇନ୍‌ ଯୋଗାଯୋଗ ଉପରେ ନଜର ରଖାଯାଇଥିଲା। ଏହି ନିୟମ ଆସିବା ପରେ ଆମେରିକୀୟ ମୁସଲମାନଙ୍କୁ ଟାର୍ଗେଟ କରାଯାଇଥିବା ଅଭିଯୋଗ ଆସିଥିଲା। ଏହା ବିରୋଧରେ ସେମାନେ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ମାର୍ଚ୍ଚ ୨୦୨୦ ମାର୍ଚ୍ଚରେ ପାଟ୍ରିଅଟ୍‌ ଆକ୍ଟରୁ କେତେକ ଧାରାର କାର୍ଯ୍ୟକାଳ ଶେଷ ହୋଇଯାଇଛି।

ସାମରିକ କୋର୍ଟରେ ୫ ଅଭିଯୁକ୍ତ

୯/୧୧ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ଖଲିଦ ଶେଖ୍‌ ମହମ୍ମଦଙ୍କ ସମେତ ଅନ୍ୟ ୪ ଅଭିଯୁକ୍ତ ଚଳିତ ସପ୍ତାହରେ ଆମେରିକାର ଗୁଆଣ୍ଟୋନାମୋ ବେ’ସ୍ଥିତ ସାମରିକ ଅଦାଲତରେ ହାଜର ହୋଇଥିଲେ। କୋଭିଡ୍‌ ମହାମାରୀ ଆରମ୍ଭ ହେବା ପରେ ସେମାନଙ୍କୁ ପ୍ରଥମ ଥର ପାଇଁ କୋର୍ଟରେ ହାଜର କରାଯାଇଥିଲା। ଯୁଦ୍ଧ ଅପରାଧରେ ଅଭିଯୁକ୍ତ ୫ ଜଣଙ୍କୁ କୋର୍ଟ ରୁମ୍‌ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଥିବା ଜେଲ୍‌ରେ ରଖାଯାଇଛି। ମାମଲାର ବିଚାର ପାଇଁ ଜଣେ ନୂଆ ସାମରିକ ବିଚାରପତି ନିଯୁକ୍ତ ହୋଇଛନ୍ତି। ଅଲ୍‌ କାଏଦା ଆତଙ୍କବାଦୀମାନେ ୨୦୦୧ ସେପ୍ଟେମ୍ବର ୧୧ରେ ୪ଟି ବିମାନ ଅପହରଣ କରିନେଇ ଆକ୍ରମଣ କରିଥିଲେ। ଏଥିରେ ୨,୯୭୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଆକ୍ରମଣକୁ ୨୦ ବର୍ଷ ବିତିଥିଲେ ମଧ୍ୟ ମୃତକମାନଙ୍କ ପରିବାର ଏବେ ବି ନ୍ୟାୟ ଅପେକ୍ଷାରେ ରହିଛନ୍ତି।

ସରିନି ପୁନଃ ନିର୍ମାଣ

ଅଲ-କାଏଦା ଆକ୍ରମଣରେ ଓ୍ବାଲର୍‌ଡ ଟ୍ରେଡ ଟାଓ୍ବାର ଧ୍ୱଂସ ହେବାର ୨୦ ବର୍ଷ ପରେ ବି ଏହି ପରିସରର ପୁନଃନିର୍ମାଣ ଶେଷ ହୋଇପାରିନି। ଦୁଇଟି ଆକାଶ ଛୁଆଁ ଅଟ୍ଟାଳିକା, ଏକ ପ୍ରଦର୍ଶନୀ କଳା କେନ୍ଦ୍ର ଏବଂ ଏକ ଚର୍ଚ୍ଚ ନିର୍ମାଣ ଏହି ସାଇଟରେ ଅସମ୍ପୂର୍ଣ୍ଣ ରହିଛି। ଏହି ସାଇଟରେ ଦ୍ୱିତୀୟ ଉଚ୍ଚତମ ନଭଶ୍ଚୁମ୍ବୀ ଅଟ୍ଟାଳିକା ନିର୍ମାଣ ଯୋଜନା ହୋଇଥିବାବେଳେ ଏହାର ୮୦ ମହଲା କୋଠା ସମ୍ପୂର୍ଣ୍ଣ ହୋଇପାରେ। ଏବେ ଦୃଶ୍ୟମାନ ହେଉଥିବା ବିଲ୍ଡିଂର ଉତ୍ତର-ପୂର୍ବ କୋଣରେ ରଙ୍ଗୀନ କାରୁକାର୍ଯ୍ୟ କରାଯାଇଛି।

Share