ଚେତାଇଲେ ପୋଲିସ କମିଶନର: କାମ ନ ଥାଇ କର୍ଫ୍ୟୁ ବେଳେ ଘରୁ ବାହାରିଲେ…

ଭୁବନେଶ୍ୱର,୧୭।୪(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାର ୧୦ ଜିଲା ସମେତ ଅନ୍ୟ ୨୦ ଜିଲାର ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଜାରି କରିଛନ୍ତି। ଶନିବାର ରାତି ୯ଟାରୁ କଟକ-ଭୁବନେଶ୍ୱର ସମେତ ଅନ୍ୟ ୨୦ ଜିଲାର ସହରାଞ୍ଚଳରେ କର୍ଫ୍ୟୁ ଲାଗୁ ହେବ। ଏହି ସମୟରେ କଟକଣାକୁ କଡ଼ାକଡ଼ି କରିବା ଲାଗି ୧୪୪ ଧାରା ଜାରି କରାଯାଇଛି।

ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, କୋଭିଡ କଟକଣା ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଟ୍ବିନସିଟିରେ ବ୍ୟାପକ ପୋଲିସ ମୁତୟନ ହେବେ। ରାଜଧାନୀରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୬୦ ଅଫିସର ମୁତୟନ ହେବେ। ୨୫ଟି ସ୍ଥାନରେ କଟକଣା ପଏଣ୍ଟ କରାଯିବ। ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କୁ ପାସର ଆବଶ୍ୟକତା ନାହିଁ। ନିଜ ସଂସ୍ଥା ଦ୍ୱାରା ଦିଆଯାଇଥିବା ପରିଚୟପତ୍ର ଦେଖାଇ ସେମାନେ ଯାଇପାରିବେ। ତେବେ କାମ ନ ଥାଇ ଅଯଥା ବାହାରକୁ ବାହାରୁଥିବା ଅମାନିଆମାନଙ୍କ ବିରୋଧରେ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର କହିଛନ୍ତି।

Share