ଟ୍ୱିଙ୍କଲ ଶେୟାର କଲେ ଟ୍ରକ ପଛରେ ଲାଗିଥିବା ‘ମେଲା’ ଫିଲ୍ମର ପୋଷ୍ଟର

ମୁମ୍ବାଇ: ବଲିଉଡ୍‌ର ବିଗତ ଦିନର ନାୟିକା ଟ୍ୱିଙ୍କଲ ଖାନ୍ନା ଏବେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ଆସିଛନ୍ତି ଚର୍ଚ୍ଚାକୁ । ତାଙ୍କ ଅଭିନୀତ ଫିଲ୍ମ ‘ମେଲା’କୁ ଟ୍ରିବ୍ୟୁଟ ଦେବା ଅବସରରେ ସେ ଏହି ଫଟୋ ଶେୟାର କରିଛନ୍ତି । ଫଟୋରେ ଏକ ଟ୍ରକ ପଛରେ ଲାଗିଥିବା ଫିଲ୍ମର ପୋଷ୍ଟରକୁ ଶେୟାର କରିଛନ୍ତି ନାୟିକା । ପୋଷ୍ଟରରେ ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିଥିବା ଟିନୁ ବର୍ମାଙ୍କୁ ଦେଖିବାକୁ ମିଳିଛି । ଏହି ଫଟୋକୁ ଶେୟାର କରି ଟ୍ୱିଙ୍କଲ ଲେଖିଛନ୍ତି କିଛି ଜିନିଷ ଟାଇମ୍‌ଲେସ ହୋଇଥାଏ । ମୋତେ ଲାଗୁଛି ମେଲା ନିଶ୍ଚିତ ଭାବେ ଲୋକଙ୍କ ମଧ୍ୟରେ କିଛି ଛାପ ଛାଡି ଯାଇଛି । ଯାହାପାଇଁ ଆଜି ତାଙ୍କୁ ପୁଣିଥରେ ମେଲାର ପୋଷ୍ଟର ଦେଖିବାକୁ ମିଳିଛି । ତେବେ ଫଟୋଟି ହ୍ୱାଟ୍ସଆପ ଫରୱାର୍ଡ ମେସେଜ ବୋଲି ଜଣାପଡିଛି । ୧୯୯୫ରେ ବଲିଉଡ୍‌ରେ ଫିଲ୍ମ ‘ବରସାତ’ ମାଧ୍ୟମରେ ଡେବ୍ୟୁ କରିଥିବା ଟ୍ୱିଙ୍କଲ ଏବେ କିନ୍ତୁ ବଡ ପରଦାଠାରୁ ବହୁ ଦୂରରେ । ସୁପରଷ୍ଟାର ଅକ୍ଷୟ କୁମାରଙ୍କ ପତ୍ନୀ ହେବା ପରେ ସେ ଏକ ପ୍ରକାର ବଡ ପରଦାରୁ ଦୂରେଇ ଯାଇଛନ୍ତି । ତେବେ ଏକ ସାକ୍ଷାତ୍‌କାରରେ ଅତୀତରେ ଟ୍ୱିଙ୍କଲ କହିଥିଲେ କି ଅଭିନୟରେ ତାଙ୍କର ସେପରି କୌଣସି ରୁଚି ନାହିଁ । ତେଣୁ ସେ ବଡ ପରଦାରୁ ଦୂରେଇ ଯାଇଛନ୍ତି । ହେଲେ ଏହି ନାୟିକା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ବେଳେବେଳେ କିଛି କଟାକ୍ଷ କରି ସେ ଚର୍ଚ୍ଚାକୁ ଆସିବାକୁ ପସନ୍ଦ କରିଥାଆନ୍ତି ।

Share