ଲକ୍ଷେ ଡଲାରରେ ଗଲା ଟୁଇଟର ପକ୍ଷୀ

ସାନ୍‌ ଫ୍ରାନ୍ସିସ୍କୋ, ୨୦।୧:ଆମେରିକାର ସାନ୍‌ ଫ୍ରାନ୍ସିସ୍କୋରେ ଥିବା ମାଇକ୍ରୋବ୍ଲଗିଂ ଆପ୍‌ ଟୁଇଟର ହେଡ୍‌କ୍ୱାର୍ଟର୍ସର ଅଧିକାଂଶ ଆସବାବପତ୍ର ନିଲାମ କରିଛନ୍ତି ଏଲନ ମସ୍କ। ନିଲାମ ହୋଇଥିବା ବସ୍ତୁଗୁଡ଼ିକ ଭିତରୁ ଟୁଇଟର ପକ୍ଷୀ ଷ୍ଟାଚ୍ୟୁ ସର୍ବାଧିକ ୧ ଲକ୍ଷ ଡଲାରରେ ନିଲାମ ହୋଇଛି। ଏହାବ୍ୟତୀତ କର୍ମଚାରୀଙ୍କ ସୁବିଧା ପାଇଁ ଅଫିସ୍‌ରେ ଥିବା ପିଜା ଓଭାନ୍‌, ଇପ୍ରେସୋ ମେଶିନ୍‌, ବାଇସାଇକେଲ ପାଓ୍ବାର୍ଡ ଚାର୍ଜିଂ ଷ୍ଟେଶନ୍‌, ଟେଲିଭିଜନ୍‌ ଏବଂ ଫୁଲଦାନି ନିଲାମ କରାଯାଇଛି। ନିଲାମ ବସ୍ତୁର ମୂଲ୍ୟ ବଜାର ମୂଲ୍ୟଠାରୁ ଢେର୍‌ ଗୁଣା ଅଧିକ ଥିବା କେତେଜଣ ୟୁଜର୍ସ ସୋସିଆଲ ସାଇଟ୍‌ରେ ଆପତ୍ତି ଉଠାଇଛନ୍ତି। ଗତବର୍ଷ ଅକ୍ଟୋବରରେ ମସ୍କ ୪୪ ବିଲିୟନ୍‌ ଡଲାରରେ ଟୁଇଟର କିଣିଥିଲେ। ଏହାପରଠାରୁ ବହୁକର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ସହ କମ୍ପାନୀର ବହୁ ନିୟମରେ ସେ ପରିବର୍ତ୍ତନ ଆଣିଥିଲେ। ଅନ୍ୟପକ୍ଷେ ବହୁ ଆଡଭାର୍ଟାଇଜର ଟୁଇଟର ଠାରୁ ମୁହଁ ଫେରାଇନେବା କାରଣରୁ କମ୍ପାନୀର ଆୟ କ୍ରମାଗତ କମିବାରେ ଲାଗିଛି। ଏ ଦୃଷ୍ଟିରୁ ମସ୍କ ହେଡ୍‌ଅଫିସର ଆସବାବପତ୍ର ନିଲାମ କରୁଥିବା କୁହାଯାଉଛି।

Share