ଓ୍ବାଶିଂଟନ୍୨୬।୪: ଟୁଇଟର୍ର ନୂଆ ମାଲିକ ହୋଇଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ। ୪୪ ବିଲିୟନ ଡଲାରରେ ସେ ଏହାର ମାଲିକାନା ହାସଲ କରିଛନ୍ତି। ତେବେ ମସ୍କ ଟୁଇଟର୍କୁ କିଣିବା ପରେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ଭବିଷ୍ୟତ ନେଇ ପ୍ରଶ୍ନ ଉଠିଛି। ଟୁଇଟରରୁ ପରାଗଙ୍କୁ ହଟାଯିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। କାରଣ ଗତ କିଛି ଦିନ ହେବ ଟୁଇଟର୍ର ପଲିସି ଉପରେ ପ୍ରଶ୍ନ ଉଠାଇ ଆସୁଥିଲେ ମସ୍କ। ଟୁଇଟରର ମ୍ୟାନେଜମେଣ୍ଟ ଉପରେ ତାଙ୍କର ଭରସା ନ ଥିବା ସେ କହିଥିଲେ। ତେଣୁ କମ୍ପାନୀ ସମ୍ପୂର୍ଣ୍ଣ ଭାବେ ମସ୍କଙ୍କ ହାତକୁ ଚାଲିଯିବା ପରେ ପରାଗଙ୍କ ଭବିଷ୍ୟତ ନେଇ ଉଠିଛି ପ୍ରଶ୍ନ । ଯଦି ପରାଗଙ୍କୁ ଟୁଇଟରରୁ ହଟାଯାଲ ତେବେ ତାଙ୍କୁ ମୋଟା ଅଙ୍କର ଅର୍ଥ ରାଶି ଦେବାକୁ ପଡିବ। ପରାଗଙ୍କ ବେସ ସାଲାରି ଓ ଇକ୍ୱିଟି ଆୱାଡର୍ସ ଆଧାରରେ ତାଙ୍କୁ ୪.୨ କୋଟି ଡଲାର ଅର୍ଥାତ ୩୨୧.୬ କୋଟି ମିଳିବ। ଟୁଇଟର୍ ବିକ୍ରି ହେବାର ୧୨ ମାସ ଅର୍ଥାତ୍ ବର୍ଷକ ମଧ୍ୟରେ ପରାଗଙ୍କୁ ବାହାର କରାଗଲେ ତାଙ୍କୁ ଏହି ଅର୍ଥରାଶି ମିଳିବ। ସୂଚନାେଯୋଗ୍ୟ, ଗତ ବର୍ଷ ନଭେମ୍ବରରେ ପରାଗ ଟୁଇଟର୍ର ସିଇଓ ପଦ ସମ୍ଭାଳିଥିଲେ।