Categories: ଜାତୀୟ

କେନ୍ଦ୍ରକୁ ଟୁଇଟର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୬ା୭:ଟୁଇଟରରୁ କଣ୍ଟେଣ୍ଟ ହଟାଇବା ପାଇଁ ଗତବର୍ଷ କେନ୍ଦ୍ର ସରକାର ଦେଇଥିବା ନିର୍ଦ୍ଦେଶକୁ ଏହି ସୋସିଆଲ ମିଡିଆ କମ୍ପାନୀ ମଙ୍ଗଳବାର କର୍ନାଟକ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି। ୨୦୨୧ରେ କେନ୍ଦ୍ର ଟୁଇଟର, ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ରୁ କେତେକ କଣ୍ଟେଣ୍ଟ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତହିଁରୁ କେତେକ ପୋଷ୍ଟ କରୋନା ଭାଇରସ୍‌ ସଂକ୍ରମଣର ମୁକାବିଲାରେ ବିଫଳତା, କେନ୍ଦ୍ରର ୩ କୃଷି ଆଇନ ଉଚ୍ଛେଦ ଦାବିରେ ଚାଷୀ ଆନ୍ଦୋଳନ ଏବଂ ଖଲିସ୍ତାନ ପ୍ରତିଷ୍ଠା ସମ୍ପର୍କରେ ରହିଥିଲା। ଯେଉଁ ଲୋକଙ୍କ ଆକାଉଣ୍ଟଗୁଡ଼ିକରେ ପ୍ରକାଶିତ ପୋଷ୍ଟକୁ ହଟାଇଦେବା ପାଇଁ କୁହାଯାଇଥିଲା, ସେମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କଂଗ୍ରେସ ମୁଖପାତ୍ର ପବନ ଖେରା ଅନ୍ତର୍ଭୁକ୍ତ।
ପକ୍ଷରୁ ଗତବର୍ଷ ଜାନୁୟାରୀ ଓ ଏପ୍ରିଲରେ ନୋଟିସ୍‌ ଜାରି କରାଯାଇଥିଲା। ସମ୍ପୃକ୍ତ ଟୁଇଟ୍‌ଗୁଡ଼ିକୁ ହଟା ନ ଗଲେ ଏହି ଆମେରିକୀୟ ସୋସିଆଲ ମିଡିଆ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେତେବେଳେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଏପରି କି ଆଦେଶ ଉଲ୍ଲଂଘନ ବା ଅବଜ୍ଞା କଲେ କମ୍ପାନୀର ଚିଫ୍‌ କମ୍ପ୍ଲିଆନ୍‌ ଅଥରିଟି (ମୁଖ୍ୟ ଅନୁପାଳନ ଅଧିକାରୀ)ଙ୍କ ବିରୋଧରେ ମଧ୍ୟ ଆପରାଧିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦ୍ର କହିଥିଲା। ଟୁଇଟର ସେହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କର୍ନାଟକ ହାଇକୋର୍ଟରେ ପିଟିଶନ ଦାଖଲ କରିଛି। କଣ୍ଟେଣ୍ଟ ବ୍ଲକ୍‌ କରିବା ନେଇ ନିର୍ଦ୍ଦେଶନାମା ଆଇଟି ଆଇନର ଧାରା ୬୯ଏଠାରୁ ଭିନ୍ନ ବୋଲି ଟୁଇଟର ଏଥିରେ ଦର୍ଶାଇଛି।
ଲ୍ଲେଖଯୋଗ୍ୟ, ଆଇଟି ଆକ୍ଟର ଧାରା ୬୯ଏ ଅନୁଯାୟୀ ଯଦି କୌଣସି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ବା ଆକାଉଣ୍ଟରେ ସାମାଜିକ ବ୍ୟବସ୍ଥାକୁ ବିଗାଡ଼ିବା ଭଳି କିମ୍ବା ଭାରତର ସାର୍ବଭୌମତ୍ୱ ତଥା ଅଖଣ୍ଡତା ପ୍ରତି ବିପଦ ସୃଷ୍ଟିକାରୀ ପୋଷ୍ଟ କରାଯାଇଥିବ, ତେବେ ସରକାର କାର୍ଯ୍ୟାନୁଷ୍ଠାନ ନେଇପାରିବେ। କେନ୍ଦ୍ର ସମେତ କେତେକ ରାଜ୍ୟ ସରକାରଙ୍କ ମଧ୍ୟ ଟୁଇଟର ସହ ମତଭେଦ ଦେଖିବାକୁ ମିଳିଛି।
ପ୍ରଦେଶରେ ଗତବର୍ଷ ଏକ ଭିଡିଓ ବହୁଳ ପ୍ରସାରିତ ହୋଇଥିଲା। ମୁସଲମାନ ସମ୍ପ୍ରଦାୟର ଜଣେ ବରିଷ୍ଠ ନାଗରିକଙ୍କୁ ଦାଢ଼ି କାଟିବା ଏବଂ ବନ୍ଦେ ମାତରମ୍‌ ଓ ଜୟ ଶ୍ରରାମ କହିବାକୁ ବାଧ୍ୟ କରାଯାଇଥିବା ଦୃଶ୍ୟ ଏଥିରେ ଦେଖିବାକୁ ମିଳିଥିଲା। ଯାଞ୍ଚ ପରେ ଉକ୍ତ ଭିଡିଓ ଫେକ୍‌ ବୋଲି ଜଣାପଡ଼ିଥିଲା। ସମ୍ପୃକ୍ତ ବ୍ୟକ୍ତି ମଧ୍ୟ ନିଜ ଅଭିଯୋଗରୁ ଓହରିଯାଇଥିଲେ। ଏହା ପରେ ୟୁପି ପୋଲିସ ପକ୍ଷରୁ ଟୁଇଟର ଇଣ୍ଡିଆ ମୁଖ୍ୟ ମନୀଷ ମାହେଶ୍ୱରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତାଙ୍କୁ ଅପରାଧ ଦଣ୍ଡ ସଂହିତା (ସିଆର୍‌ପିସି) ଧାରା ୪୧ଏ ଅନୁସାରେ ନୋଟିସ୍‌ ଜାରି କରାଯାଇଥିଲା। ସେତେବେଳେ ମାହେଶ୍ୱରୀ କର୍ନାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅନ୍ତରୀଣ ଜାମିନ ଆବେଦନ କରି ତାହା ପାଇଥିଲେ। ଏହା ପରେ ୟୁପି ସରକାର ତାଙ୍କ ଜାମିନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ, ଯାହାକି ଅଦ୍ୟାବଧି ବିଚାରାଧୀନ ରହିଛି। ଟୁଇଟରର ସଦ୍ୟ ଆଇନଗତ ପଦକ୍ଷେପ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

Share